କାହିଁକି ଜୀବନ ହାରିଲେ ଛାତ୍ରୀ?

ଯାଜପୁରରେ ଜିଆଇଇଟି ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ବଢ଼ୁଛି ସନ୍ଦେହ । ଚଣ୍ଡିଖୋଲ ନିକଟ ଘରୋଇ କଲେଜ ଜିଆଇଇଟିର ଯୁକ୍ତଦୁଇ ଦ୍ୱିତୀୟ ବର୍ଷ ଛାତ୍ରୀ ସ୍ମୃତିଶ୍ରୀ ଛାତ୍ରୀନିବାସରେ ରହୁଥିଲେ । ଗତ ୩ତାରିଖ ମଧ୍ୟାହ୍ନରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଆତ୍ମହତ୍ୟା କରିଥିବା ସୂଚନା ଦେଇଥିଲେ କଲେଜ କର୍ତ୍ତୃପକ୍ଷ । ଏପିରିକି ଏକ ସୁଇସାଇଡ୍ ନୋଟ ମଧ୍ୟ ଜବତ ହୋଇଛି । ହେଲେ ପରିବାର ଓ ପୋଲିସ ପହଞ୍ଚିବା ପୂର୍ବରୁ ହଷ୍ଟେଲରେ ସେହି ରୁମର କବାଟ ଖୋଲି ସାରିଥିଲେ କଲେଜ କର୍ତ୍ତୃପକ୍ଷ ।
ସ୍ମୃତିଶ୍ରୀ ଛାଡି ଯାଇଥିବା ସୁଇସାଇଡ ନୋଟରେ ଲେଖିଛନ୍ତି ଯେ, ତାଙ୍କୁ ମାନସିକ ନିର୍ୟାତନା ଦିଆଯାଉଥିଲା । କିଛି ସହପାଠୀ ଓ ଜଣେ ଅଧ୍ୟାପକଙ୍କ ନାଁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ଯାହା ପୂରା ଘଟଣାକୁ ଅଧିକ ସନ୍ଦିହାନ କରିଦେଇଛି । ତେବେ କଲେଜର ଜଣେ ଅଧ୍ୟାପକ ଓ କର୍ମଚାରୀଙ୍କୁ ଡକାଇ ପଚରାଉଚରା କରିବା ପରେ ବଡଚଣା ପୋଲିସ ଛାଡି ଦେଇଥିବା ଜଣାପଡିଛି ।
ସ୍ମୃତିଶ୍ରୀ ଲେଖିଥିବା ସୁଇସାଇଡ୍ ନୋଟରେ ଜଣେ ସହପାଠୀ ଶୁଭ ଓ ଜଣେ ଅଧ୍ୟାପକ ଶଶୀକାନ୍ତ ସାରଙ୍କ ନାଁ ଉଲ୍ଲେଖ କରିଛନ୍ତି । ତେବେ କାହିଁକି ସ୍ମୃତିଶ୍ରୀଙ୍କୁ କଲେଜରେ ମାନସିକ ନିର୍ୟାତନା ଦିଆଯାଉଥିଲା । କେଉଁମାନେ ତାଙ୍କୁ ରାଗିଂ କରୁଥିଲେ । କଲେଜ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଯୁକ୍ତ ଦୁଇ ଶେଷବର୍ଷର ଛାତ୍ରୀ ସ୍ମୃତିଶ୍ରୀ ଜୀବନ ହାରିଦେଲେ କି । ଏହିଭଳି ଅନେକ ପ୍ରଶ୍ନ ଏବେ ପୂରା ଘଟଣାକୁ ଗୋଳମାଳିଆ କରିଦେଇଛି ।

Comments (0)
Add Comment