ଖୁବଶୀଘ୍ର ବଦଳିପାରେ ମୋଦିଙ୍କ ମନ୍ତ୍ରୀମଣ୍ଡଳର ରୂପରେଖ । ଏନେଇ ବିଜେପିର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଚାଲିଛି ତୁହାକୁ ତୁହା ବୈଠକ । ମୋଦିଙ୍କ ଟିମରୁ କାହାକୁ ବାଦ୍ ଦିଆଯିବ ଓ କେଉଁ ନୂଆ ମୁହଁକୁ ସାମିଲ କରାଯିବ ସେନେଇ ଚାଲିଛି ଅଙ୍କକଷା । ଖାସକରି କେଉଁ ରାଜ୍ୟରୁ କାହାକୁ ମିଳିବ ମନ୍ତ୍ରୀପଦ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏଥିରୁ ଓଡ଼ିଶା ବାଦ୍ ପଡନ୍ତା ବି କିପରି? ରାଜ୍ୟ ବିଜେପିର ଅନ୍ଦର ମହଲରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କୁ ମୋଦି ନିଜ ଟିମରେ ସାମିଲ କରିପାରନ୍ତି । ଅଶ୍ୱିନୀଙ୍କର ଦିଲ୍ଲୀ ଲିଙ୍କ୍ ବେଶ ଭଲ ରହିଥିବାରୁ ଏଭଳି ଚର୍ଚ୍ଚାକୁ ଅଧିକ ବଳ ଯୋଗାଉଛି । ଏନେଇ ପୂର୍ବରୁ ଆମେ ସଂକେତ ଦେଇ ସାରିଛୁ । କିନ୍ତୁ ଅଶ୍ୱିନୀଙ୍କୁ ଇନ୍ କରି କାହାକୁ ଆଉଟ କରିବେ ମୋଦି ତାହା ସବୁଠୁ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି ।
ଏବେ ମୋଦିଙ୍କ ଟିମରେ ଦୁଇ ଓଡ଼ିଆ ଧର୍ମେନ୍ଦ୍ର ଓ ପ୍ରତାପ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି । କିନ୍ତୁ ନୂଆ ମନ୍ତ୍ରୀମଣ୍ଡଳରେ ଯଦି ଅଶ୍ୱିନୀଙ୍କ ଉପରେ ମୋଦିଙ୍କ ଶୁଭଦୃଷ୍ଟି ପଡେ ତେବେ ଧର୍ମେନ୍ଦ୍ର କିମ୍ବା ପ୍ରତାପଙ୍କ ମଧ୍ୟରୁ ଜଣଙ୍କୁ ମୋଦିଙ୍କ ଟିମରୁ ଆଉଟ ହେବାକୁ ପଡିପାରେ । ଏଭଳିସ୍ଥଳେ କିଏ ମୋଦିଙ୍କ ଟିମରୁ ବିଦାୟ ନେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେପିର ଅନ୍ଦର ମହଲରୁ ମିଳିଥିବା ସୂଚନା ମୁୂତାବକ କାର୍ୟ୍ୟଦକ୍ଷତା ଆଧାରରେ କିଛି ପୁରୁଣା ମୁହଁକୁ ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିପାରେ । ଆଉ ଯଦି ବିଭାଗୱାରୀ କାର୍ୟ୍ୟଦକ୍ଷତାକୁ ମାପଦଣ୍ଡ ବୋଲି ଧରାଯାଏ ତେବେ ପ୍ରତାପ ଷଡଙ୍ଗୀ ମୋଦିଙ୍କ ଟିମରୁ ବାଦ ପଡିବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି ବୋଲି କୁହାଯାଉଛି ।
୨୦୧୯ ନିର୍ବାଚନ ପରେ ଜାତୀୟ ଗଣମାଧ୍ୟମରେ କ୍ରେଜ ଓ ସଂଘ ବ୍ୟାକଗ୍ରାଉଣ୍ଡ ପାଇଁ ମୋଦିଙ୍କ ଟିମରେ ପ୍ରତାପଙ୍କୁ ସ୍ଥାନ ମିଳିଥିଲା । ପ୍ରତାପଙ୍କ ମାଧ୍ୟମରେ ରାଜ୍ୟରେ ଏକ ବଡ ଭୋଟବ୍ୟାଙ୍କ ସୃଷ୍ଟି କରିଯାଇପାରିବ ବୋଲି ବିଜେପିର ଶୀର୍ଷ ନେତୃତ୍ୱ ଆଶା ବାନ୍ଧି ବସିଥିଲେ । କିନ୍ତୁ ସମୟ ବିତିବା ସହ ଏହି ଆଶା ସେତେବେଳେ ମଉଳିଲା ଯେତେବେଳେ ନିଜ ନିର୍ବାଚନମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ଦଳୀୟ ବିଧାୟକ ପ୍ରାର୍ଥୀଙ୍କୁ ବିଜୟର ସ୍ୱାଦ ଚଖାଇ ପାରିନଥିଲେ ପ୍ରତାପ । ଏହାଛଡା ଗତ ଦୁଇ ବର୍ଷ ମଧ୍ୟରେ ପ୍ରତାପଙ୍କ ଦାୟିତ୍ୱରେ ଥିବା ବିଭାଗ ବି ସେଭଳି ପ୍ରଭାବୀ ପ୍ରଦର୍ଶନ କରିନାହିଁ । ବିଭାଗୱାରୀ ପ୍ରଦର୍ଶନରେ ବି ଫେଲ ମାରିଛନ୍ତି ପ୍ରତାପ । ତେଣୁ ନୂଆ ମନ୍ତ୍ରୀମଣ୍ଡଳରେ ପ୍ରତାପଙ୍କୁ ଦ୍ୱିତୀୟ ଥର ସୁଯୋଗ ଦେଇ ନପାରନ୍ତି ମୋଦି ।
ଅନ୍ୟପଟେ ୨୦୧୪ରୁ ମୋଦିଙ୍କ ଗୁଡବୁକରେ ରହି ଆସିଥିବା ଧର୍ମେନ୍ଦ୍ରଙ୍କର ଏବେ ମଧ୍ୟ ପାୱାର କରିଡରରେ ବେଶ ଦବଦବା ରହିଛି । କିନ୍ତୁ ଧର୍ମେନ୍ଦ୍ର ଯେଉଁ ବିଭାଗର ଦାୟିତ୍ô ନେଇଛନ୍ତି ତାହା ଏବେ ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଲଗାତାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଧର୍ମେନ୍ଦ୍ରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତୈଳଦର ବୃଦ୍ଧିକୁ ନେଇ ଲୋକଙ୍କର ଅସନ୍ତୋଷ ମଧ୍ୟ ବଢୁଛି । ଏଭଳି ସ୍ଥଳେ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେଲେ ପ୍ରଧାନ ବାବୁଙ୍କୁ ପେଟ୍ରୋଲିୟମ ବିଭାଗ ହରାଇବାକୁ ପଡିପାରେ ବୋଲି ଚର୍ଚ୍ଚା ହେଉଛି । ବିଭାଗ ବଦଳିଲେ ମଧ୍ୟ ଧର୍ମେନ୍ଦ୍ରଙ୍କ ମନ୍ତ୍ରୀପଦରେ ରହିବା ପଛର ସବୁଠୁ ବଡ ପୁଞ୍ଜି ହୋଇପାରେ ତାଙ୍କର ସଙ୍ଗଠନ । ରାଜ୍ୟରେ ଧର୍ମେନ୍ଦ୍ରଙ୍କର ନିଜସ୍ୱ ସଙ୍ଗଠନ ରହିଥିବା ବେଳେ ଦିଲ୍ଳୀର ଶୀର୍ଷ ନେତୃତ୍ୱଙ୍କ ସହ ବେଶ ଭଲ ସମ୍ପର୍କ ରହିଛି । ତେଣୁ ଯଦି ଅଶ୍ୱିନୀଙ୍କୁ ମନ୍ତ୍ରୀପଦ ମିଳେ ତେବେ ମୁକୁଙ୍କ ମନ୍ତ୍ରୀପଦକୁ ଏତେଟା ବିପଦ ନାହିଁ ବୋଲି କୁହାଯାଉଛି ।