ଚାକିରୀ ଦିଅ ନଚେତ୍ ଆମ ଜମି ଆମକୁ ଫେରାଅ । ଦାମନଯୋଡିରେ ତାତିଲେ ନାଲକେ ବିସ୍ଥାପିତ । ନାଲକୋରେ ନିଯୁକ୍ତି ଦାବି କରି ୪ ଦିନ ହେବ ଧାରଣାରେ ବସିଥିବା ବିସ୍ଥାପିତଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷର ନିଆଁ । ପ୍ରଶାସନିକ ଆଲୋଚନା ବିଫଳ ହେବା ପରେ ମୁହାଁମୁହିଁ ହୋଇଛନ୍ତି ପୁଲିସ୍-ବିସ୍ଥାପିତ । ଆନ୍ଦୋଳକାରୀଙ୍କ ପଥର ମାଡ଼ରେ ଜଣେ ପୋଲିସ୍ କର୍ମଚାରୀ ଆହତ ହୋଇଥିବା ବେଳେ ୨ଟି ଗାଡ଼ି, ପୋଲିସ୍ ଓ ମାଜିଷ୍ଟ୍ରେଟଙ୍କ ଗାଡ଼ିର କାଚ ଭାଙ୍ଗି ଯାଇଛି। ଘଟଣାସ୍ଥଳରେ ୧୪୪ ଧାରା ଜାରି କରିବା ସହ ୫୪ରୁ ଅଧିକ ବିକ୍ଷୋଭକାରୀ ବିସ୍ଥାପିତଙ୍କୁ ଉଠାଇନେଇଛି ପୁଲିସ୍।
ଅଁଳାବାଡି ନାଲକୋ ପରିସରରେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ହୋଇଥବା ପ୍ରଶାସନିକ ଆଲୋଚନା ବିଫଳ ହେବା ପରେ ଜିଦ୍ରେ ଅଟଳ ବିସ୍ଥାପିତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବିସ୍ଥାପିତ ଢେଲାମାଡ଼ କରିଥିବା ବେଳେ ପୋଲିସ ପକ୍ଷରୁ ଲାଠିଚାର୍ଜ ଓ ଫାଙ୍କା ଗୁଳିଚାଳନା କରାଯାଇଛି । ଏହାସହ ଟିୟର ଗ୍ୟାସ୍ ପ୍ରୟୋଗ କରାଯାଇଥିବା ଜଣାପଡିଛି । ଆଜିକୁ ୪ ଦିନ ହେଲା ଦାମନଯୋଡ଼ି ନାଲ୍କୋର ଖଣି ଖନନ ଓ ପରିବହନ ବନ୍ଦ ରହିଛି। ଦୈନିକ ୨୬ ହଜାର ଟନ୍ ବକ୍ସାଇଟ୍ ଖନନ ବନ୍ଦ ରହିଛି। ପ୍ରକଳ୍ପର ଠିକ୍ ନାକ ତଳେ ମାଥାଲପୁଟ ନିକଟରେ ବିସ୍ଥାପିତ କଲୋନି ବାସିନ୍ଦା ଓ ପାଖଆଖର ୧୩ଟି ଗ୍ରାମର ଲୋକେ ଧାରଣାରେ ବସିଥିଲେ। ନାଲକୋ ଖଣିକୁ ଯାଉଥିବା ରାସ୍ତା ଉପରେ ବୁଧବାରରୁ ଆରମ୍ଭ ହୋଇଥିଲା ଆନ୍ଦୋଳନ। ଆନ୍ଦୋଳନକାରୀ ଏହି ଗାଁଗୁଡ଼ିକରେ ମୌଳିକ ସୁବିଧା ପହଞ୍ଚାଇବା ସହ ଜମିହରା ତଥା ବିଧବାମାନଙ୍କୁ ନାଲକୋ କମ୍ପାନିରେ ଚାକିରି ଦେବା ପାଇଁ ଅଡ଼ି ବସିଥିବା ବେଳେ ଏ ପର୍ୟ୍ୟନ୍ତ ନାଲକୋ କର୍ତ୍ତୃପକ୍ଷ ଆଲୋଚନାକୁ ନ ଆସିବା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଥିଲା। ।
ଜବରଦଖଲକାରୀ ତାଙ୍କ ଦାବିରେ ଅଡ଼ି ବସିଥିବାବେଳେ ନାଲକୋ ପକ୍ଷରୁ କୌଣସି ପ୍ରତିଶ୍ରୁତି ମିଳୁ ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଇବା ଆଶା କରାଯାଉଛି।