ରାଜ୍ୟରେ ଏବେ ନକଲି କାରଖାନାରେ ଉପରେ ଚଢାଉ ଜୋରସୋରେ ଚାଲିଛି । କଟକ, ଭୁବନେଶ୍ୱର, ସମ୍ବଲପୁର ପରେ ଏବେ ବ୍ରହ୍ମପୁରରେ ନକଲି କାରଖାନା ଉପରେ ଚଢାଉ ହୋଇଛି । ବ୍ରହ୍ମପୁରର ପାଣ୍ଡବନଗରରେ ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ କାରଖାନାରେ ଚଢାଉ କରିଛି ବ୍ରହ୍ମପୁର ପୁଲିସ । ଏଠାରୁ ବିପୁଳ ପରିମାଣର ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ ଜବତ ହୋଇଛି ।
ହଳଦୀ ଓ ଲଙ୍କାଗୁଣ୍ଡରେ ମିଶୁଥିଲା କାଠଗୁଣ୍ଡ, ଚାଉଳ ଓ ଖୁଦ । ଗୁରୁବାର ସକାଳେ ବଡବଜାର ପାଣ୍ଡବନଗରରେ ନକଲି ହଳଦୀ ଗୁଣ୍ଡ ଓ ମରିଚ ଗୁଣ୍ଡ କାରବାର ଚାଲିଥିବା ବେଳେ ଚଢାଉ ହୋଇଥିଲା । ଚଢାଉ ବେଳେ ପୁଲିସ ବିପୁଳ ପରିମାଣର କାଠଗୁଣ୍ଡ, ଚାଉଳ ଓ ଖୁଦ ଜବତ କରିଛି । ବ୍ରହ୍ମପୁରର ଏହି ମିଲରେ ଅପମିଶ୍ରିତ ହଳଦୀ ଗୁଣ୍ଡରେ କରତ ଗୁଣ୍ଡ, ଚାଉଳ ଗୁଣ୍ଡ ଓ ଅନ୍ୟ ସାମଗ୍ରୀ ମିଶ୍ରଣ କରି ବଜାରକୁ ନାମିଦାମୀ ବ୍ରାଣ୍ଡର ଜରି ପ୍ୟାକିଂରେ ଛଡାଯାଉଥିଲା । ଲଙ୍କା ଗୁଣ୍ଡ ବି ଅପମିଶ୍ରିତ କରି ବଜାରକୁ ଛଡାଯାଉଥିଲା ।
ଚଢାଉ ବେଳେ ଜବତ ହୋଇଛି ପାଖାପାଖି ୬ ଶହ କିଲୋ ଲଙ୍କାଗୁଣ୍ଡ ସହ ୬ ଶହ କିଲୋ ହଳଦୀ ଗୁଣ୍ଡ ଏବଂ ୨ଟି ମେସିନ୍ । ଜଣଙ୍କ ଅଟକ ରଖି ପଚରାଉଚରା କରୁଛି ପୋଲିସ ।ନକଲି ମସଲା ତିଆରି କାରଖାନା ଚାଲିଥିବା ଖବର ପାଇ ବଡ଼ ବଜାର ଥାନା ଓ ଗୋଶାଣି ନୂଆଗାଁ ଥାନା ପୁଲିସ୍ ମିଳିତ ଭାବେ ଚଢ଼ଉ କରିଥିଲେ।
ବୁଧବାର ଭୁବନେଶ୍ୱର ଉପକଣ୍ଠ ପାହାଳ ନିକଟରେ ମଧ୍ୟ ଅପମିଶ୍ରିତ ସସ ଓ ଆଚାର କାରଖାନା ଉପରେ ଚଢାଉ ହୋଇଥିଲା ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ଚାଲିଥିଲା ସସ ଓ ଆଚାର ତିଆରି । ଆଚାରରେ ପୋକସାଲୁବାଲୁ ହେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।