ବିଜୁ ପଟ୍ଟନାୟକ । ଦୁର୍ଦ୍ଦଷ ତଥା ପରାକ୍ରମୀ ପାଇଲଟ ଭାବେ ଯାହାଙ୍କୁ ପୂରା ଦେଶ ଜାଣିଥିଲା । କେବଳ ଦେଶ କାହିଁକି ବିଦେଶରେ ମଧ୍ୟ ଯାହାଙ୍କର ଜୟ ଜୟକାର ପଡିଥିଲା । ଯାହାଙ୍କ ବିନା କଷ୍ଟସାଧ୍ୟ ମିଶନ ସମ୍ପୂର୍ଣ୍ଣ ହେଉନଥିଲା । ବିଶ୍ୱାସର ଅନ୍ୟ ନାଁ ସାଜିଥିଲେ ବିଜୁ ପଟ୍ଟନାୟକ । କିଛି ଶବ୍ଦରେ ହେଉ ପଛେ ଦେଶ ସ୍ୱାଧୀନତା ପାଇବା ପୂର୍ବରୁ ଇଏ ଥିଲା ବିଜୁଙ୍କ ପରିଚୟ । କିନ୍ତୁ ଦେଶ ସ୍ୱାଧୀନତା ପାଇବା ସହ ବିଜୁ ପଟ୍ଟନାୟକ ରାଜନୀତିର ଧ୍ରୁବ ତାରା ସାଜି ଉଭା ହୋଇଥିଲେ । ବିଜୁ ରାଜନୀତିରେ ଏଣ୍ଟ୍ରି ମାରିବାରେ ଆଦୌ ଆଶ୍ଚଯ୍ୟ ହେବାର କୌଣସି ଅଭିପ୍ରାୟ ମଧ୍ୟ ନଥିଲା । କାରଣ ପିଲାଟି ବେଳୁ ନେତୃତ୍ୱ ନେବା ଓ ସାହସିକ ପଦକ୍ଷେପ ନେବାର ଝଲକ ବିଜୁଙ୍କ ଠାରେ ଦେଖିବାକୁ ମିଳିଥିଲା । ଦେଶ ସ୍ୱାଧୀନ ହେବା ସହ ପାଇଲଟ ଥିବା ବିଜୟାନନ୍ଦ ପଟ୍ଟନାୟକ ପଲିଟିକ୍ସରେ ଏଣ୍ଟ୍ରି କରି ବିଜୁ ବାବୁ ଭାବେ ଉଭା ହୋଇଥିଲେ । ଆଉ ରାଜନୀତିରେ ଏଣ୍ଟ୍ରି ସହ ବିଜୁଙ୍କ ଜୀବନରେ ଆରମ୍ଭ ହୋଇଥିଲା ଆଉ ଏକ ନୂଆ ଅଧ୍ୟାୟ ।
ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ, ଥରେ କେନ୍ଦ୍ରମନ୍ତ୍ରୀ । କେତେବେଳେ ବିରୋଧୀ ଦଳ ନେତା ତ ପୁଣି କେତେବେଳେ ସଂସଦରେ ଓଡ଼ିଶାର ପ୍ରତିନଧି ଛିଡା ହୋଇଥିଲେ ଟଲମ୍ୟାନ୍ । ଇଏ ଥିଲା ବିଜୁଙ୍କ ରାଜନୀତି କ୍ୟାରିୟର । ପ୍ରାୟ ୫ ଦଶନ୍ଧୀର ରାଜନୈତିକ କ୍ୟାରିୟର ଭିତରେ ବିଜୁ ଯେଉଁ ସଫଳତା ହାସଲ କରିଥିଲେ ତାହା ଥିଲା ଅନନ୍ୟ ଓ ଅକଳ୍ପନୀୟ । ଆମର ଲେଖିବାରେ ହୁଏତ ଭୁଲ ହୋଇଥାଇପାରେ କିନ୍ତୁ ବିଜୁ ବାବୁ ରାଜନୀତିକୁ କ୍ୟାରିୟର ନୁହେଁ ବରଂ ବତ୍ର ଭାବେ ଗ୍ରହଣ କରିଥିଲେ । ଆକାଶରେ ଉଡିଥିବା ବିଜୁ ଓଡ଼ିଶାର ବିକାଶକୁ ମଧ୍ୟ ଆକାଶଛୁଆଁ କରିବାକୁ ସ୍ୱପ୍ନ ଦେଖିଥିଲେ । ଆଉ କଂଗ୍ରେସ ଦଳରୁ ପ୍ରଥମଥର ୧୯୬୧ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ସହ ରାଜ୍ୟର ବିକାଶ ପାଇଁ ପୁନାଦି ଖୋଳିଥିଲେ ବିଜୁ ପଟ୍ଟନାୟକ । ଦଳର ବରିଷ୍ଠ ନେତାଙ୍କ ବିରୋଧ ସତ୍ତ୍ୱେ ୧୯୬୧ରେ ବିଜୁ ଯେଉଁ କରିସ୍ମା କରି ଦେଖାଇଥିଲେ ତାହା କଂଗ୍ରେସର ଜାତୀୟ ସ୍ତରର ଶୀର୍ଷ ନେତୃତ୍ୱକୁ ବେଶ ପ୍ରଭାବିତ କରିଥିଲା । ମାତ୍ର ଦୁଇ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ କାମରାଜ ଯୋଜନା ଦ୍ୱାରା ପ୍ରଭାବିତ ହୋଇ ଅନ୍ୟ ମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବା ଲକ୍ଷ୍ୟରେ ଆପଣାଛାଏଁ ମୁଖ୍ୟମନ୍ତ୍ରୀ ପଦରୁ ଅପସରି ଯାଇଥିଲେ । ଆଉ ଏଥିପାଇଁ ବିଜୁଙ୍କୁ ବହୁମୂଲ୍ୟ ଦେବାକୁ ପଡିଥିଲା । ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପାଇଁ ବିଜୁଙ୍କୁ ୨୭ ବର୍ଷ ଅପେକ୍ଷା କରିବାକୁ ପଡିଥିଲା ।
ମୁଖ୍ୟମନ୍ତ୍ରୀ ପଦରୁ ସ୍ୱେଚ୍ଛାକୃତ ହଟିଯିବା ପରେ ଦଳରେ ତାଙ୍କ ବିରୋଧରେ ଆରମ୍ଭ ହୋଇଥିଲା ଷଡଯନ୍ତ୍ର । ଏସବୁ ଭିତରେ ଜବାହାରଲାଲ ନେହେରୁଙ୍କର ଦେହାନ୍ତ ହୋଇସାରିଥିଲା । ଜାତୀୟ କଂଗ୍ରେସର ମଙ୍ଗ ଧରିବାକୁ ଓହ୍ଲାଇଥିଲେ ଝିଅ ଇନ୍ଦିରା । ତେବେ ଇନ୍ଦିରାଙ୍କ ସହ ମତଭେଦ କାରଣରୁ କଂଗ୍ରେସ ଛାଡି ଉତ୍କଳ କଂଗ୍ରେସର ଗଠନ କରିଥିଲେ ବିଜୁ । କୁହାଯାଏ ବାଟ ଭାଙ୍ଗି ନୂଆ ବାଟ ତିଆରି କରୁଥିବା ମଣିଷଟିଏ ହେଉଛନ୍ତି ବିଜୁ । ଆଉ ଉତ୍କଳ କଂଗ୍ରେସ ଏହାର ସବୁଠୁ ବଡ ଉଦାହରଣ । ତେବେ ବିଜୁଙ୍କୁ ସବୁଠୁ ବଡ ଝଟକା ଲାଗିଥିଲା ୧୯୭୧ ମସିହା ନିର୍ବାଚନରେ । ୪ଟି ବିଧାନସଭା ଆସନରେ ଲଢିଥିବାରୁ ସବୁଠୁ ପରାଜୟର ସ୍ୱାଦ ଚାଖିଥିଲେ ବିଜୁ । କିନ୍ତୁ ଭାଙ୍ଗି ପଡିନଥିଲେ କି ପଛକୁ ଫେରିନଥିଲେ । ଆଉ ଏହି ସମୟରେ କେନ୍ଦ୍ରାପଡାକୁ କର୍ମଭୂମି ଭାବେ ଗ୍ରହଣ କରିଥିଲେ ବିଜୁ । ଉପ-ନିର୍ବାଚନରେ ରାଜନଗରରୁ ପୁଣିଥରେ ବିଜୟ ମୁକୁଟପିନ୍ଧି ଫେରିଥିଲେ ବିଜୁ ପଟ୍ଟନାୟକ । ୧୯୭୪ରେ ପୁର୍ନବାର ରାଜନଗରରୁ ବିଜୟ ହାସଲ କରିବା ପରେ ଦେଶରେ ଲାଗିଥିଲା ଇମରଜେନ୍ସି । ଇନ୍ଦିରାଙ୍କ ବିରୋଧୀ ତଥା କଂଗ୍ରେସ ବିରୋଧୀ ନେତାଙ୍କୁ ଜେଲରେ ଭର୍ତ୍ତି କରାଗଲା । ଆଉ ଇନ୍ଦିରାଙ୍କୁ ଚ୍ୟାଲେଞ୍ଜ ଦେଉଥିବା ବିଜୁ ବା ଏଥିରୁ ବାଦ୍ ପଡନ୍ତେ କିପରି? ତେବେ ଦେଶରୁ ଜରୁରୀକାଳୀନ ପରିସ୍ଥିତି ଉଠିବା ପରେ ଇନ୍ଦିରାଙ୍କୁ ହଟାଇ ଦେଶରେ ଅଣକଂଗ୍ରେସ ସରକାର ଗଠନ ପାଇଁ ଯେଉଁ ମୂଳଦୁଆ ପଡିଥିଲା ତାହା ପଛର ବିନ୍ଧାଣୀ ସାଜିଥିଲେ ବିଜୁ । ଆଉ ଇଏଠୁ ଜାତୀୟ ରାଜନୀତିରେ ବିଜୁଙ୍କର ହୋଇଥିଲା ପ୍ରତ୍ୟକ୍ଷ ଅଭ୍ୟୁଦୟ ।
୧୯୭୭ ଲୋକସଭା ନିର୍ବାଚନରେ ଦେଶରେ କଂଗ୍ରେସକୁ ହଟାଇ ବିଜୁ ଲେଖିଥିଲେ ଜାତୀୟ ରାଜନୀତିର ନୂଆ ଅଧ୍ୟାୟ । କିଙ୍ଗମେକର ସାଜି ଇନ୍ଦିରାଙ୍କୁ ଶାସନ କ୍ଷମତାରୁ ହଟାଇବା ସହ ଜାତୀୟ ରାଜନୀତିରେ ବିଜୁ ସାଜିଥିଲେ ସଙ୍କଟମୋଚକ । କେନ୍ଦ୍ରମନ୍ତ୍ରୀ ଭାବେ ଜାତୀୟ ରାଜନୀତିରେ ପ୍ରଥମ ଇନିଂସ ଆରମ୍ଭ କରିଥିଲେ ବିଜୁ । ୧୯୭୭ରୁ ୧୯୮୦ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଭାବେ ଜାତୀୟ ରାଜନୀତିରେ ସ୍ୱତନ୍ତ୍ର ଛାପ ଛାଡିବାରେ ସକ୍ଷମ ହେଲେ ବିଜୁ । ଅଣକଂଗ୍ରେସ ଦଳକୁ ଏକାଠି କରି ସରକାର ଗଠନ କରିବା ହୁଏତ ସେତେବେଳେ କେହି କଳ୍ପନା ମଧ୍ୟ କରିନଥିଲେ । କିନ୍ତୁ ବିଜୁ ନିଜର ବିଚକ୍ଷଣ ବୁଦ୍ଧି ବଳରେ ସ୍ୱାଧୀନତା ପରେ କଂଗ୍ରେସକୁ ପ୍ରଥମ ଥର ପାଇଁ କ୍ଷମତାରୁ ଦୂରେଇ ରଖିବାରେ ସକ୍ଷମ ହେଲେ । ୧୯୮୦ରେ ରାଜ୍ୟ ରାଜନୀତିକୁ ଫେରି ଆସିବା ସହ ପାଟକୁରା ଆସନରୁ ଭାଗ୍ୟ ପରୀକ୍ଷା କରିଥିଲେ ବିଜୁ । ଆଉ ଏଠାରେ ମଧ୍ୟ ବିଜୁଙ୍କୁ ମିଳିଥିଲା ଅଦ୍ଭୁତପୂର୍ବ ସମର୍ଥନ । ପାଟକୁରାରୁ ଜିତିଥିଲେ ମଧ୍ୟ ବିଜୁଙ୍କର ମନ ମାନୁନଥିଲା । ଓଡ଼ିଶାରେ ରାଜନୈତିକ ସଙ୍କଟ ସାଙ୍ଗକୁ ଆଞ୍ଚଳିକ ଦଳ ଗୁଡିକ ମଧ୍ୟରେ ମତଭେଦ ବିଜୁଙ୍କୁ ପୁଣିଥରେ ଟାଣି ନେଲା ଜାତୀୟ ରାଜନୀତିକୁ । କେନ୍ଦ୍ରାପଡା ଲୋକସଭା ଆସନରୁ ଲଢି ବିଜୁ ପୁଣି ଫେରିଲେ ସଂସଦକୁ । ୧୯୮୪ରେ ମଧ୍ୟ ଓଡ଼ିଶାରୁ ଏକମାତ୍ର ଅଣକଂଗ୍ରେସ ସାଂସଦ ଭାବେ କେନ୍ଦ୍ରାପଡା ଆସନରୁ ବିଜୟୀ ହୋଇ ବିଜୁ ନିଜର ଲୋକପ୍ରିୟତାର ପ୍ରମାଣ ଦେଇଥିଲେ । ତେବେ ଜାତୀୟ ରାଜନୀତିରେ ବଡ ଚେହେରା ଭାବେ ଉଭା ହୋଇ ସାରିଥିଲେ ମଧ୍ୟ ଓଡ଼ିଶା ରାଜନୀତି ପ୍ରତି ଥିବା ଆସକ୍ତି ତାଙ୍କୁ ପୁଣିଥରେ ଟାଣି ଆଣିଲା ଜନ୍ମମାଟିକୁ ।
୧୯୯୦ରେ ଦୀର୍ଘ ୨୭ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ବିଜୁ । ଦ୍ୱିତୀୟ ପାଳିରେ ଆଧୁନିକ ଓଡ଼ିଶାର ସୂକ୍ଷ୍ମ କାରିଗର ସାଜି ଅଧୁରା ରହିଥିବା ଓଡ଼ିଶାର ବିକାଶକୁ ପ୍ରଗତି ପଥରେ ଆଗେଇ ନେଇଥିଲେ ବିଜୁ ବାବୁ । ବୟସରଙ୍କ ସାୟାହ୍ନରେ ପହଞ୍ଚିଥିଲେ ମଧ୍ୟ ଥକିନଥିଲେ ବିଜୁ । ରାଜ୍ୟର ବିକାଶକୁ ପ୍ରାଥମିକତା ଦେଇ ଗୋଟିଏ ପରେ ଗୋଟିଏ ଶିଳ୍ପାନୁଷ୍ଠାନରେ ଶେଷ ସ୍ପର୍ଶ ଦେଉଥିଲେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । କିନ୍ତୁ ୧୯୯୫ରେ ଦଳରେ ଅର୍ନ୍ତଘାତୀ କାରଣରୁ ବିଜୁଙ୍କୁ ପୁଣିଥରେ ପରାଜୟର ସାମ୍ନା କରିବାକୁ ପଡିଲା । ବିଧାନସଭା ନିର୍ବାଚନରେ ଦଳର ପରାଜୟ ଭିତରେ ବିଜୁ ଆସ୍କା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ ସତ କିନ୍ତୁ ମନରୁ ସହଜରେ ଲିଭିନଥିଲା ପରାଜୟର ଗ୍ଲାନି । ଆଜୀବନ ଲୋକପ୍ରତିନିଧି ରହିଥିବା ବିଜୁ ରାଜନୈତିକ ଜୀବନରେ ଅନେକବାର ଜୟ ଓ ପରାଜୟକୁ ସାଦରେ ଗ୍ରହଣ କରିଛନ୍ତି । ୫୦ରୁ ଅଧିକ ବର୍ଷ ରାଜନୈତିକ କ୍ୟାରିୟରରେ ମାତ୍ର ୧୦ ବର୍ଷରୁ ଅଧିକ ସମୟ କ୍ଷମତାର ଚୌକିରେ ବସିଥିଲେ ମଧ୍ୟ ଓଡ଼ିଶାବାସୀଙ୍କ ହୃଦୟ ସିଂହାସନରେ ସବୁଦିନ ପାଇଁ ବସି ସାରିଥିଲେ । ଯେଉଁଥିପାଇଁ ଓଡ଼ିଶାର ଭିନ୍ନ ଭିନ୍ନ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢିବାର ସାହସ ଜୁଟାଇ ପାରିଥିଲେ ବିଜୁ । ଆଉ ପ୍ରତିବଦଳରେ ଭୋଟ ଆକାରରେ ବିଜୁଙ୍କୁ ମିଳିଥିଲା ଲୋକଙ୍କ ଭଲ ପାଇବା, ଅକୁଣ୍ଠ ସେହ୍ନ ଓ ଶ୍ରଦ୍ଧା । ଆଉ ସମସ୍ତଙ୍କ ପାଇଁ ସାଜିଥିଲେ ରାଜନୀତିର ଧ୍ରୁବ ତାରା । ସାଲିସ ବିହୀନ ରାଜନୀତିକୁ ବେଶ ପସନ୍ଦ କରୁଥିବା ବିଜୁ ଓଡ଼ିଶାକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ । କିଛି ପୂରା ହୋଇଥିଲା, ଆଉ କିଛି ବାକି ରହିଥିଲା । ହେଲେ ୧୭ ଏପ୍ରିଲ ୧୯୯୭, ଦିଲ୍ଲୀରୁ ଯେଉଁ ଖବର ଆସିଲା ତାହା ପ୍ରତିଟି ଓଡିଆଙ୍କ ଆଖିରେ ଲୁହ ଭରିଦେଲା । କାରଣ ଓଡ଼ିଶାକୁ ନେଇ ଅଧୁରା ଥିବା ସ୍ୱପ୍ନ ପୂରା କରିବା ପୂର୍ବରୁ ସବୁ ଦିନ ପାଇଁ ଶୋଇ ପଡିଥିଲେ ଶତାବ୍ଦୀର ଶ୍ରେଷ୍ଠ ପୁରୁଷ ।