ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ତଥା ବବି ଦାସ । ସାମ୍ପ୍ରତିକ ସ୍ଥିତିରେ ରାଜ୍ୟ ରାଜନୀତିର ସବୁଠୁ ଚର୍ଚ୍ଚିତ ଚେହେରା । ସରକାରରେ କୌଣସି ପଦପଦବୀରେ ନଥିବା ବବି ଦଳୀୟ ମହଲରେ କିନ୍ତୁ ବେଶ ପାୱାରଫୁଲ । ଖାସକରି ଶଙ୍ଖ ଶିବିରର ସେନାପତି ଭାବେ ଅବତୀର୍ଣ୍ଣ ହେବା ପରେ ଦଳକୁ ତୃଣମୂଳସ୍ତରରେ ଆହୁରି ସଙ୍ଗଠିତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ବବି । ବିଜେଡିକୁ କ୍ୟାଡର ଭିତ୍ତିକ ଦଳ ଭାବେ ଗଢି ତୋଳିବାକୁ ନବୀନ ଯେଉଁ ମଞ୍ଜି ବୁଣିଛନ୍ତି ତାହାକୁ ବଢାଇବାର ପୂରା ଦାୟିତ୍ୱ ଏବେ ବବିଙ୍କ ହାତରେ । କାରଣ ଦଳର ସାଙ୍ଗଠନିକ ସମ୍ପାଦକ ଭାବେ ବବିଙ୍କ ହାତରେ ଏହି ଗୁରୁଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ।
୨୦୧୪ ନିର୍ବାଚନ ପରଠାରୁ ନବୀନଙ୍କ ଗୁଡବୁକରେ ରହି ଆସିଥିବା ବବିଙ୍କୁ ଦଳର ଏବେ ସେକେଣ୍ଡ ଇନ୍ କମାଣ୍ଡ କୁହାଯାଉଛି । ୨୦୧୭ରେ ନିଜ ଆଡୁ ମନ୍ତ୍ରୀପଦକୁ ବାଏ ବାଏ କରି ଦଳୀୟ ସଙ୍ଗଠନ ବୁଝିବାକୁ ଆଗ୍ରହ ଦେଖାଇ ସୁପ୍ରିମୋଙ୍କ ଭରସା ଜିତିଥିଲେ ବବି । ଆଉ ୨୦୧୯ ନିର୍ବାଚନରେ ବିଜେଡିକୁ ଅଦ୍ଭୁତପୂର୍ବ ସଫଳତା ମିଳବା ପରେ ବବି ପାଲଟି ଯାଇଥିଲେ ବିଜେଡି ଶିବିରର ବଡ ଚେହେରା । ଖାସକରି ସମ୍ମାନର ଲଢେଇ ସାଜିଥିବା ପାଟକୁରା ଉପ-ନିବାର୍ଚନର ଦାୟିତ୍ୱ ନେଇ ବିଜେଡିକୁ ବଡ ବିଜୟ ଭେଟି ଦେବା ସହ ନବୀନଙ୍କର ଗୁଡବୁକରେ ନିଜର ସ୍ଥାନକୁ ଆହୁରି ସୁଦୃଢ କରିବାରେ ସକ୍ଷମ ହୋଇଥିଲେ ।ଯେଉଁଥିପାଇଁ ପୁରସ୍କାର ସ୍ୱରୂପ ବିଜେଡିର ସାଙ୍ଗଠନିକ ସମ୍ପାଦକ ଭଳି ଏକ ପଦବୀ ସୃଷ୍ଟି କରି ବବିଙ୍କୁ ଦିଆଯାଇଥିଲା ଗୁରୁଦାୟିତ୍ୱ । ଆଉ ଏସବୁ ଭିତରେ ସୁପ୍ରିମୋଙ୍କ ଭରସା ଜିତିଥିବା ବବି ଏବେ ଦଳର କ୍ରାଇସିସ ମ୍ୟାନେଜର ଭାବେ ଉଭା ହୋଇଛନ୍ତି । ଦଳୀୟ ନେତାଙ୍କ ଭିତରେ ଥିବା ଫାଟ ଓ କର୍ମୀଙ୍କ ଭିତରେ ଥିବା ଅସନ୍ତୋଷକୁ ଦୂର କରି ଦଳକୁ ସୃଦୁଢ କରିବା କ୍ଷେତ୍ରରେ ଏବେ ବବି ସାଜିଛନ୍ତି ସେତୁ । ଆଉ ଏହାସହ ନିର୍ବାଚନ ପରିଚାଳନାରେ ବବିଙ୍କ ଫର୍ମୁଲା ଦଳକୁ ଗୋଟିଏ ପରେ ଗୋଟିଏ ପାଦ ଆଗକୁ ନେଉଛି । ଯାହାର ଝଲକ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ଦେଖିବାକୁ ମିଳିଛି ।
ଖାସକରି ବାଲେଶ୍ୱର ଉପନିର୍ବାଚନରେ ବବିଙ୍କ ନିବାର୍ଚନୀ ଷ୍ଟ୍ରାଟେଜି ବିଜେଡିକୁ ବଡ ବିଜୟ ଭେଟି ଦେଇଥିଲା । ଗେରୁଆ ଗଡରେ ଉଡିଥିଲା ସବୁଜ ବାନା । ୨୦୧୯ରେ ଯେଉଁ ଭୋଟର ବିଜେପିକୁ ଭୋଟ ଦେଇଥିଲେ ୨୦୨୦ରେ ସେହି ଭୋଟରଙ୍କ ମୁଡ ପରିବର୍ତ୍ତନ କରାଇବା ପଛରେ କାମ କରିଥିଲା ବବିଙ୍କ ମାଷ୍ଟରମାଇଣ୍ଡ । ନବୀନ ବାଲେଶ୍ୱର ପାଇଁ ନୂଆ ପ୍ରାର୍ଥୀ ଦେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ ସତ ତେବେ ନବୀନଙ୍କ ନିଷ୍ପତ୍ତିକୁ ନିର୍ଣ୍ଣାୟକ ମୋଡରେ ପହଞ୍ଚାଇବାକୁ ବବିଙ୍କୁ କରିବାକୁ ପଡିଥିଲା କସରତ । ନୂଆ ପ୍ରାର୍ଥୀଙ୍କୁ ନେଇ ବାଲେଶ୍ୱରରେ କର୍ମୀଙ୍କ ଭିତରେ ଅସନ୍ତୋଷ ତେଜୁଥିବା ବେଳେ ସାଙ୍ଗଠନିକ ସମ୍ପାଦକ ଭାବେ ମାପିଚୁପି ଗୋଟି ଚାଳନା କରିଥିଲେ ବବି । ଅସନ୍ତୁଷ୍ଟ ନେତାଙ୍କୁ ସନ୍ତୁଷ୍ଟ କରିବାର ଫର୍ମୁଲା ବାହାରି କରି ବାଲେଶ୍ୱରରେ ବିଜେଡିକୁ ବଡ ବିଜୟ ଭେଟି ଦେଇଥିଲେ ପ୍ରଣବ । କେବଳ ଏତିକି ନୁହେଁ ମୟୁରଭଞ୍ଜରେ ମଧ୍ୟ ଦଳୀୟ ଅସନ୍ତୋଷ ଦେଖାଦେଇଥିବା ବେଳେ ଏହାକୁ ସମାଧାନ କରିବାକୁ ଦୁଇ ସଭାପତିର ଫର୍ମୁଲା ବାହାର କରି ଦଳକୁ ସଙ୍ଗଠିତ କରିବା ପଛରେ ବବିଙ୍କର ବଡ ଭୂମିକା ରହିଥିଲା ।
ତୃଣମୂଳସ୍ତରରୁ ରାଜ୍ୟସ୍ତରୀୟ ପର୍ୟ୍ୟନ୍ତ ଦଳୀୟ ସଙ୍ଗଠନକୁ ସଜାଡିବା ଓ ସୁଦୃଢ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି କ୍ରାଇସିସ ମ୍ୟାନେଜର ଭାବେ ବବି ଦେଖାଇଛନ୍ତି ନିଜର ସାଙ୍ଗଠନିକ ଦକ୍ଷତା । ସାଙ୍ଗଠନିକ ସମ୍ପାଦକ ଭାବେ ଦଳ ପାଇଁ ସାଜିଛନ୍ତି ସଙ୍କଟମୋଚକ । ଆଉ ଏବେ ଯେତେବେଳେ ବିଜେଡିର ଭବିଷ୍ୟତ କଥା ଚିନ୍ତା କରାଯାଉଛି ସେତେବେଳେ ଦଳରେ ବବିଙ୍କୁ ନେଇ ଚର୍ଚ୍ଚା ଜୋର ଧରୁଛି ।