ଲୋକ ବିରୋଧୀ କାମ କଲେ, ଦଳରୁ ବିଦା ହେଲେ ।

ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଲୋକ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଥିବା ନେଇ ଦଳର ଗଣମାଧ୍ୟମ ବ୍ୟାପାର ସାଧାରଣ ସଂପାଦକ ମାନଓ ମଙ୍ଗରାଜ ସୂଚନା ଦେଇଛନ୍ତି । ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନିଆଯାଇଥିବା ଏହି ପଦକ୍ଷେପ ରାଜନୈତିକ ଝଡ ତିଆରି କରିଛି । ପାଠକ ବାପା-ପୁଅଙ୍କ ସହ ସଂପର୍କ ଅଭିଯୋଗରେ ନିଆଯାଇଥିବା ନିଷ୍ପତ୍ତି ପୁଣି ପ୍ରମାଣିତ କରିଛି, ଦୁର୍ନୀତି ଅଭିଯୋଗକୁ କେତେ ଗୁରୁତର ସହ ଦଳ ନେଇଛି ।

ବଡ କଥା ହେଉଛି, ପ୍ରଥମ ଥର ପାଇଁ ଲୋକ ବିରୋଧୀ କାର୍ଯ୍ୟ ପାଇଁ ଜଣେ ନେତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନେତାଙ୍କୁ ବାହାରର ରାସ୍ତା ଦେଖାଯାଉଥିଲା, ଏବେ ନୂଆ ଏକ ଶଦ୍ଦ ଯୋଡି ହୋଇଛି ବିଜୁ ଜନତା ଦଳର ପ୍ରେସ ରିଲିଜରେ । ପ୍ରଦୀପ ପାଣିଗ୍ରାହୀ ଲୋକ ବିରୋଧୀ କାର୍ଯ୍ୟ କରିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଲା ବୋଲି ସଫା ସଫା କୁହାଯାଇଛି ।

ଆକାଶ ପାଠକଙ୍କ ସହ ମିଶି ସେ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଠକିଥିବାର ସାଂଘାତିକ ପ୍ରମାଣ ସାମ୍ନାକୁ ଆସିଥିଲା । ଗୋପାଳପୁର ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଟାଟା ନାମରେ ମିଥ୍ୟା ନିଯୁକ୍ତିପତ୍ର ଦେଇ କୋଟି କୋଟି ଟଙ୍କାର କାରବାର ହୋଇଥିବା ଅଭିଯୋଗ ହେଲା । କୁହାଯାଉଛି, ପ୍ରଦୀପ ପାଣିଗ୍ରାହୀ କୁଆଡେ ସବୁ ଜାଣି ମଧ୍ୟ ଲୋକଙ୍କୁ ଠକେଇର ଶୀକାର ହେବାକୁ ଦେଲେ । କାରଣ କିଛି ଦିନ ପରେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କ ସହ ଆକାଶ ପାଠକଙ୍କ ବାହାଘର ହୋଇଥାନ୍ତା । ତେଣୁ ଲୋକଙ୍କୁ ଠକିବାକୁ ହୋଇଥିବା ସାଂଘାତିକ ଷଡଯନ୍ତ୍ରଖୁ ବରଦାସ୍ତ କରିବା ମୁଡରେ ନଥିଲେ ନବୀନ ।

ନବୀନ ମନ୍ତ୍ରୀମଣ୍ଡଳରେ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଏକଦା ଦାୟିତ୍ୱ ପାଇଥିବା ପ୍ରଦୀପ ପାଣିଗ୍ରାହୀ ଧୀରେ ଧୀରେ ବିଜେଡିରେ କୋଣଠେସା ହୋଇଥିଲେ । ଖାସ କରି ୨୦୧୯ ନିର୍ବାଚନରେ ସେ କୁଆଡେ ବିଜେପି ଆଡକୁ ଢଳୁଥିଲେ ବୋଲି ଅଭିଯୋଗ ଆସିଥିଲା । ଯେଉଁଥିପାଇଁ ପାୱାର ସର୍କଲରୁ ତାଙ୍କୁ ଦୂରେଇ ରଖାଯାଇଥିଲା । ଆଉ ଏବେ ଯେଉଁ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଲା, ସେଥିପାଇଁ ତାଙ୍କୁ ଦଳରୁ ବହିଷ୍କାର କରି ନବୀନ ଦଳୀୟ ଲୋକଙ୍କୁ କଡା ବାର୍ତ୍ତା ଦେଇଛନ୍ତି । ଲୋକଙ୍କ ପାଇଁ କାମ କର, ଲୋକଙ୍କୁ ଠକିଲେ ସେ ଯେତେବଡ ନେତା ହୁଅନ୍ତୁ ନା କାହିଁକି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଛଘୁଂଚା ଦିଆଯିବ ନାହିଁ ।

Comments (0)
Add Comment