କେଉଁ ଅଫିସରଙ୍କ ଅଧୀନରେ କାମ କରିପାରିବିନି : ପ୍ରଦୀପ

ବିଜେଡିରୁ ବିଦା ହେବା ପରେ ମୁହଁ ଖୋଲିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଦଳ କିଭଳି ପରିଚାଳିତ ହେଉଛି, କିଭଳି ତାଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା, କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁହଷ୍ଠାନ ଗ୍ରହଣ କରାଗଲା, ଆଗକୁ ତାଙ୍କ ବିରୁଦ୍ଧରେ କଣ ହୋଇପାରେ, ଝିଅ ବାହାଘରକୁ ନେଇ ତାଙ୍କୁ କଣ କୁହାଯାଇଥିଲା, ଏମିତି ଅନେକ ଗୁମର ସେ ଗଣମାଧ୍ୟମ ସାମ୍ନାରେ ରଖିଛନ୍ତି । ସବୁଠାରୁ ବଡ କଥା ହେଉଛି, ସେ କୈାଣସି ଜନ ବିରୋଧୀ କାର୍ଯ୍ୟ କରିନାହାନ୍ତି, ବରଂ ତାଙ୍କ ଲୋକପ୍ରିୟତାରେ ଅସହିଷ୍ଣୁ ହୋଇ ଦଳୀୟ ଲୋକ ତାଙ୍କ ବିରୋଧରେ କାର୍ଯ୍ୟ କରିଛନ୍ତି ବୋଲି ସେ ପାଲଟା ଅଭିଯୋଗ ଆଣିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବା ଦିନଠାରୁ ଦଳ ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି ତାକୁ ସେ ସୁଚାରୁ ରୂପେ ତୁଲାଇଛନ୍ତି ବୋଲି ଉଦାହରଣ ଦେଇ ସେ ବୁଝାଇଛନ୍ତି । ୨୦୧୪ରେ ଖଣ୍ଡପଡାରେ ସୈାମ୍ୟରଂଜନ ପଟ୍ଟନାୟକଙ୍କୁ ହରାଇବା ଠାରୁ ଆରମ୍ଭ କରି କେନ୍ଦ୍ରାପଡାରେ ୨୦୧୯ରେ ବୈଜୟନ୍ତଙ୍କୁ ହରାଇବା ଆଉ ଶଶୀଭୂଷଣ ବେହେରାଙ୍କୁ ଜିତାଇବା ପର୍ଯ୍ୟନ୍ତ ଯାହା ଦାୟିତ୍ୱ ପାଇଛନ୍ତି, ସେ ସେଥିରେ ସଫଳତା ପାଇଥିବା ଗଣମାଧ୍ୟମ ଆଗରେ ବଖାଣିଛନ୍ତି । ହେଲେ ଦଳ ଭିତରେ ତାଙ୍କୁ ନେଇ ଯେଉଁଭଳି ବାତାବରଣ ନବୀନଙ୍କ ସାମ୍ନାରେ ତିଆରି କରାଗଲା ତାକୁ ସେ ମୁକାବିଲା କରିବାରେ ବିଫଳ ହେଲେ ବୋଲି ପରୋକ୍ଷରେ ସ୍ୱୀକାର କରିଛନ୍ତି ।

କୈାଣସି ଅଫିସରଙ୍କ ଅଧୀନରେ ସେ କାର୍ଯ୍ୟ କରିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦଳର ପରିଚାଳନା କିଭଳି ଚାଲିଛି ସେଦିଗକୁ ଇଙ୍ଗିତ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ । ଜନପ୍ରତିନିଧି ଭାବେ ଅବା ଗୋଟେ ବିଭାଗର ମନ୍ତ୍ରୀ ଭାବେ ସେ ଅଧିକାରୀଙ୍କ ସହ କାନ୍ଧରେ କାନ୍ଧ ମିଳାଇ କାର୍ଯ୍ୟ କରିପାରିବେ ହେଲେ କୈାଣସି ଅଧୀକାରୀଙ୍କ ଅଧୀନରେ ନୁହେଁ । ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିବ, ଦଳ ଆଜିର ଦିନେ କିଭଳି ଚାଲୁଛି ଆଉ କାହା ଦ୍ୱାରା ପରିଚାଳିତ ହେଉଛି? ହେଲେ ସ୍ପଷ୍ଟ ଭାବେ ସେ କାହା ନେବାକୁ ଚାହିଁନାହାନ୍ତି ବରଂ ଇଶାରାରେ ଅନେକ କଥା କହିଯାଇଛନ୍ତି ।

ଦଳୀୟ ପାଂଠି ଅନିୟମିତତା ନେଇ ତାଙ୍କ ବିରୋଧରେ ଉଠିଥିବା ତମାମ ଅଭିଯୋଗ ଉପରେ ମଧ୍ୟ ସେ ସ୍ପଷ୍ଟୀକରଣ ରଖିଛନ୍ତି । ଟଙ୍କାଟିଏ ମଧ୍ୟ ହେରଫେର କରିନଥିବା କହିଥିବା ବେଳେ ଜିଲ୍ଲାର ସମସ୍ତ ପ୍ରାର୍ଥୀଙ୍କୁ ଜିତାଇବାକୁ ସେ ଆପ୍ରାଣ ଉଦ୍ୟମ କରିଥିଲେ ବୋଲି କହିଛନ୍ତି । ଅପରପକ୍ଷରେ ଟିକେଟ ଚୟନ ବେଳେ ଉପରୁ ପ୍ରାର୍ଥୀଙ୍କୁ ଲଦି ଦିଆଯାଉଛି, ଆଉ ହାରିଲେ ଜିଲ୍ଲା ସଭାପତିଙ୍କ ନାଁରେ ଦୋଷ ଲଦାଯାଉଛି, ଏହା କିଭଳି ଗ୍ରହଣୀୟ ବୋଲି ସେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି । ଆକାଶ ପାଠକଙ୍କ ସହ ସଂପର୍କ ଆଉ ତାଙ୍କୁ ନେଇ ଯାହା ସବୁ ଖବର ପ୍ରସାରଣ ହେଉଛି ସେସବୁ ମିଛି ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ । ଓଲଟା ସେ ଏହାକୁ ଏକ ଷଡଯନ୍ତ୍ର ବୋଲି ଅଭିହିତ କରିବାକୁ ମଧ୍ୟ ପଛାଇ ନାହାନ୍ତି । ତାଙ୍କ ପାଖରେ ସମସ୍ତ ତଥ୍ୟ ଆଉ ପ୍ରମାଣ ରହିଛି, ସମୟ ଆସିଲେ ସେ ସବୁ କିଛି ପ୍ରମାଣିତ କରିଦେବେ ବୋଲି କହିଛନ୍ତି । ଅନେକ ବିଧାୟକଙ୍କ ମନରେ କ୍ରୋଧ ରହିଛି, ଅନେକ ବିଧାୟକ ବହୁତ କିଛି କହିବାକୁ ଚାହୁଁଛନ୍ତି, ହେଲେ କହିପାରୁନାହାନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ସେ ଜଣାଇଛନ୍ତି ।

ବିଜୁ ଜନତା ଦଳ ବିରୁଦ୍ଧରେ ସେ କେବେ ବି କାର୍ଯ୍ୟ କରିନଥିଲେ ମଧ୍ୟ ତାଙ୍କୁ ନେଇ ଭୁଲ ଧାରଣା ତିଆରି କରି ଦିଆଗଲା । ଯାହାର ପରିଣତି ଦଳରୁ ତାଙ୍କୁ ବହିଷ୍କାର କରାଗଲା ବୋଲି ସେ ଦର୍ଶାଇଛନ୍ତି । ଆଗାମୀ ଦିନରେ ରାଜନୈତିକ ସ୍ଥିତି ଆହୁରି ରୋଚକ ହେବାର ମଧ୍ୟ ସେ ଅନୁମାନ କରିଛନ୍ତି । ଖୁବଶୀଘ୍ର ତାଙ୍କ ଘରେ ରେଡ ହୋଇପାରେ ବୋଲି ମଧ୍ୟ ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଲୋକ ବିରୋଧୀ କାର୍ଯ୍ୟ ପାଇଁ ଆଜି ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଥିଲା ।

Comments (0)
Add Comment