ନବୀନଙ୍କ ନୂଆ ମନ୍ତ୍ର – ‘ଲୋକ ବିରୋଧୀ’…

ନବୀନଙ୍କ ଜିରୋ ଟଲେରାନ୍ସ ନୀତି କାହାକୁ ବା ଅଛପା । ଦୁନୀର୍ତିର ଗନ୍ଧ ବାରିବା ମାତ୍ରେ କିଭଳି ଏହାକୁ ସଫା କରାଯିବ ସେଥିପାଇଁ କ୍ଷେତ୍ର ପ୍ରସ୍ତୁତ କରିଥାନ୍ତି ନବୀନ । ପଲିଟିକାଲ କ୍ୟାରିୟର ଆରମ୍ଭରୁ ଏହି ଫର୍ମୁଲାକୁ ଆପଣାଇ ନବୀନ ଦୀର୍ଘ ବର୍ଷ ହେବ ଓଡ଼ିଶାବାସୀଙ୍କ ଆସ୍ଥା ଜିତିବା ସହ ବିଶ୍ୱାସ ଭାଜନ ହୋଇପାରିଛନ୍ତି । ଆଉ ସେହି ଲୋକଙ୍କ ବିଶ୍ୱାସ ଯେତେବେଳେ ଗୋପଳପୁର ବିଧାୟକ ଭାଙ୍ଗିଛନ୍ତି ସେତେବେଳେ ନବୀନ ଚୁପ୍ ବସିଥାନ୍ତେ ବା କିପରି? ଯାହାର ପରିମାଣସ୍ୱରୂପ ଆଜି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ବିଜେଡି ଦ୍ୱାର ବନ୍ଦ କରି ଦିଆଯାଇଛି । ଦଳରୁ ପ୍ରଦୀପଙ୍କୁ ବହିଷ୍କାର କରି ନବୀନ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ ‘ମୋ ସରକାର’ରେ ଜନତା ଆଗ, ନେତା ପଛ ।

କମ କଥା କହୁଥିବା ନବୀନ ମାତ୍ର ଦୁଇ ଧାଡିଆ ପ୍ରେସ ରିଲିଜରେ ପ୍ରଦୀପଙ୍କୁ ଦଳରୁ ଆଉଟ କରିଛନ୍ତି । କିନ୍ତୁ ଏହି ଦୁଇ ଧାଡିଆ ପ୍ରେସ ରିଲିଜରେ ପ୍ରଦୀପଙ୍କ ବହିଷ୍କାର ପଛର ଯେଉଁ କାରଣ ନବୀନ ଦେଇଛନ୍ତି ତାହା ଅନେକଙ୍କୁ ଚକିତ କରିଛି । ପ୍ରଥମଥର ପାଇଁ ନବୀନ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି, ଯାହା ହୁଏତ ଓଡ଼ିଶା ରାଜନୀତିରେ କେବେ ଦେଖିବାକୁ ମିଳିନଥିଲା । ଦଳ ବିରୋଧୀ କାର୍ୟ୍ୟ ପାଇଁ ଅନେକ ନେତାଙ୍କୁ ଦଳରୁ ତଡ଼ିଯାଇଥିବା କିମ୍ବା ନିଲମ୍ବିତ କରିବାର ନଜିର ରହିଛି କିନ୍ତୁ ଜନବିରୋଧୀର ଟ୍ୟାଗ୍ ଦେଇ ପ୍ରଥମଥର ଜଣେ ବିଧାୟକଙ୍କୁ ଦଳରୁ ବିଦା କରିଛନ୍ତି ନବୀନ । ଯାହା ସାଧାରଣ ଲୋକଙ୍କ ପ୍ରତି ନବୀନଙ୍କର କଣ ଆଭିମୁଖ୍ୟ ରହିଛି ତାହା ସଂକେତ ଦେଉଛି । ତେବେ ପ୍ରଦୀପ ଏମିତି କଣ ଜନବିରୋଧୀ କାମ କରିଥିଲେ ଯାହା ନବୀନଙ୍କ ପାଇଁ ଅସହ୍ୟ ହୋଇପଡିଥିଲା । ଆଉ ବିରୋଧୀ ଦଳ ଏହାକୁ ପ୍ରସଙ୍ଗ କରି ସଫେଦ କୁର୍ତ୍ତାରେ ଦୁର୍ନୀତିର ଛିଟା ଲଗାଇବା ପୂର୍ବରୁ ନବୀନ ଏଭଳି ଏକ ଚକିତ କରିବା ଭଳି ନିଷ୍ପତ୍ତି ନେଇଥିଲେ ।

ପ୍ରଦୀପଙ୍କ ବିରୋଧରେ ଆସିଥିବା ଅଭିଯୋଗଟି ଅତି ସଙ୍ଗୀନ । ଆୟବର୍ହିଭୂତ ମାମଲାରେ ଭିଜିଲାନ୍ସ ଜାଲରେ ଆଇଏଫଏସ ଅଭୟକାନ୍ତ ପାଠକ ପଡିବା ପରେ ପ୍ରଦୀପଙ୍କ କଳା ସାମ୍ରାଜ୍ୟର ପେଡି ଖୋଲିଥିଲା । ନିଜର ଭାବି ଜ୍ୱାଇଁ ତଥା ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ଠକେଇକୁ ପ୍ରଶୟ ଦେଇ ଆସୁଥିବା ଅଭିଯୋଗ ଆସିଥିଲା ପ୍ରଦୀପଙ୍କ ନାଁରେ । ଆଉ ଏହି ଠକାମୀର ଶିକାର ହୋଇଥିଲେ ସାଧାରଣ ଲୋକେ । ଟାଟା କମ୍ପାନିରେ ଚାକିରି କରାଇଦେବାକୁ କହି ଭାବି ଜ୍ୱାଇଁ ଆକାଶ ପାଠକ ଗୋପାଳପୁର ଅଞ୍ଚଳର ୬୮ ଜଣଙ୍କୁ ଠକିଥିବା ଅଭିଯୋଗ ହୋଇଛି । ଏପରିକି ଏଥିରେ ପ୍ରଦୀପ ପାଣିଗ୍ରାହୀଙ୍କ ସିଧାସଳଖ ସଂପୃକ୍ତି ରହିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । କିନ୍ତୁ ଏଭଳି ଫ୍ରଡମାଷ୍ଟରକୁ ଘଣ୍ଟ ଘୋଡାଇବା ସହ ତାଙ୍କ ପାଇଁ ଗଣମାଧ୍ୟମରେ ଓକିଲାତି କରିଛନ୍ତି ପ୍ରଦୀପ । ଏହାସହ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଅଭୟକାନ୍ତଙ୍କୁ ସଚ୍ଚୋଟ ଅଫିସର କହୁଥିବା ପ୍ରଦୀପ ଏବେ ଜନବିରୋଧୀ କାମ କଣ କରୁଥିଲେ ବୋଲି ପ୍ରଶ୍ନ କରୁଛନ୍ତି ।

ଲୋକଙ୍କ ବିଶ୍ୱାସ ବଳରେ ନବୀନ ୫ ଥର ମୁଖ୍ୟମନ୍ତ୍ରୀ ଆସନରେ ବସିଲେଣି । ତେଣୁ ନବୀନ ସରକାରର ମୂଳମନ୍ତ୍ର ପାଲଟିଛି ପିପୁଲ ଫାଷ୍ଟ । ଯେଉଁଥିପାଇଁ ଲୋକଙ୍କ ବିକାଶକୁ ପ୍ରାଥମିକତା ଦେଇ ଆସୁଛନ୍ତି ନବୀନ । ଖାସକରି ଲୋକଙ୍କ ସମସ୍ୟା ବୁଝିବା ପାଇଁ ମୋ ସରକାରର ମୂଳଦୁଆ ପଡିଛି । ତୃଣମୁଳସ୍ତରରେ ଲୋକଙ୍କ ପାଖରେ ପହଞ୍ଚିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିବା ବେଳେ ପ୍ରଦୀପ ତୃଣମୁଳସ୍ତରରେ ପାଠକ ପୁଅଙ୍କ ସହ ଠକେଇର ପ୍ଲଟ ରଚିଥିଲେ । ଆଉ ନିଯୁକ୍ତିର ନାଆରେ ବସାଇଦେବାକୁ କହି ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଥିଲେ ପ୍ରଦୀପଙ୍କ ଭାବି ଜ୍ୱାଇଁ ଆକାଶ ପାଠକ । ଆଉ ଏଥିରେ ଭାବି ଶ୍ୱଶୁର ପ୍ରଦୀପ ପାଣିଗ୍ରାହୀଙ୍କ ହାତ ଥିବା ନେଇ ସାଂଘାତିକ ଅଭିଯୋଗ ଆସିଥିଲା । ଯାହା ଦର୍ଶାଉଥିଲା ଯେ, ମୋ ସରକାରର ମୂଳମନ୍ତ୍ରକୁ ପାଦରେ ଦଳି ମକଚି ଦେଇଛନ୍ତି ପ୍ରଦୀପ । ତେବେ ଜିରୋ ଟଲେରନ୍ସ ନୀତିକୁ ଆପଣାଇଥିବା ନବୀନଙ୍କ ପାଇଁ ଏହା ଅସହ୍ୟ ହେବାରୁ ଶେଷରେ ପ୍ରଦୀପଙ୍କୁ ଦଳରୁ ବହିଷ୍କାର କରିବା ସହ ପଛରେ ଲଗାଇଛନ୍ତି ଜନବିରୋଧୀ ଷ୍ଟାମ୍ପ । ଆଉ ଏହା ସ୍ପଷ୍ଟ ସଂକେତ ଦେଉଛି ଯେ, ଯେତେ ପ୍ରଭାବଶାଳୀ ନେତା ହୁଅନ୍ତୁ ନାଁ କାହିଁକି ନବୀନ ସରକାରରେ ଜନତା ଆଗ, ନେତା ପଛ । ଆଉ ଯେତେବେଳେ ନେତା ଓ ଅଫିସରଙ୍କ ନାଁରେ ଜନବିରୋଧୀ କାର୍ୟ୍ୟର ପ୍ରମାଣ ମିଳେ ସେତେବେଳେ ଏଭଳି ଆଶ୍ଚର୍ୟ୍ୟ କଲା ଭଳି ନିଷ୍ପତ୍ତି ନେବାକୁ ସଂକୋଚ କରନ୍ତି ନାହିଁ ନବୀନ ।

Comments (0)
Add Comment