ନବୀନଙ୍କ ବିଶ୍ୱାସ – ବବି ଦାସ

ବିଜୁ ଜନତା ଦଳ ଆରମ୍ଭ ହେବା ଦିନଠାରୁ ଏକା ନବୀନ ଥିଲେ ଦଳର ଆନ୍ ବାନ୍ ଆଉ ଶାନ୍ । ସଂଗଠନ ଆଉ ସରକାର ଉଭୟ ନବୀନଙ୍କ ଠାରୁ ଆରମ୍ଭ ହେଉଥିଲା ଆଉ ନବୀନଙ୍କ ଠାରେ ହିଁ ସରୁଥିଲା । ପରାମର୍ଶଦାତା ଆଳରେ କିଏ ଗଣମାଧ୍ୟମରେ ନିଜର ଛବି ସିନା ତିଆରି କରୁଥିଲା ଆଉ ସଂଗଠନ ସମ୍ଭାଳୁଛି ବୋଲି ମୁହଁ ଭୁରୁଡି ମାରୁଥିଲା, ହେଲେ ଔପଚାରିକ ଭାବେ ନବୀନଙ୍କ ବିଶ୍ୱାସ ଜିତି ସଂଗଠନ ସମ୍ଭାଳିବା ଦାୟିତ୍ୱ ଦୁଇ ଦଶନ୍ଧି ଭିତରେ କାହାକୁ ମିଳିନଥିଲା । ସ୍ପଷ୍ଟ ଭାବେ କହିବାକୁ ଗଲେ, କାହା ନିକଟରେ ନବୀନ ସେହି ଦକ୍ଷତା ଦେଖିବାକୁ ପାଉନଥିଲେ, ଯିଏ ଦଳକୁ ଆଗରେ ରଖିବ ଆଉ ନିଜ ସ୍ୱାର୍ଥକୁ ପଛରେ ରଖିବ । ଯିଏ ବିଜେଡି ପାଇଁ ନିଜର ପ୍ରତି ସେକେଣ୍ଡକୁ ଉତ୍ସର୍ଗ କରିବ, ଯିଏ ଚିନ୍ତା କରିବ ଦଳ ପାଇଁ ଆଉ ସମ୍ଭାବନା ସୃଷ୍ଟି କରିବ ଏକ ଶ୍ରେଷ୍ଠ ଓଡିଶା ଗଠନ କରିବା ପାଇଁ । ପାଂଚ ପାଂଚ ଥର କ୍ଷମତାକୁ ଆସିଥିବା ନବୀନ ଅନେକ ନେତାଙ୍କୁ ଅତି ନିକଟରୁ ଦେଖିଛନ୍ତି । ସେମାନଙ୍କ ଦକ୍ଷତାକୁ ମାପିଛନ୍ତି ଆଉ ଆନୁଗତ୍ୟକୁ ପରଖି ଦେଖିଛନ୍ତି । ହେଲେ ଏହି କଠୋର ପରୀକ୍ଷାରେ ସଫଳତା କେହି ଜଣେ ବି ପାଇନଥିଲେ । ଅନେକ ନେତା ବିଭିନ୍ନ ପର୍ଯ୍ୟାୟରେ ନବୀନଙ୍କ ନିକଟତର ହୋଇଥିଲେ, ମାତ୍ର ନିଜ ସ୍ୱାର୍ଥକୁ ଯେତେବେଳେ ପ୍ରାଥମିକତା ଦେବା ଆରମ୍ଭ କଲେ ନବୀନ ନିଜକୁ ସେମାନଙ୍କ ଠାରୁ ଦୁରେଇ ଯାଇଥିଲେ ।

ବବି ଆସିଲେ, ଛାଇଗଲେ…
ସମୟ ଗଡିବା ସହ ଦଳ ଭିତରେ ଆବିର୍ଭାବ ହୋଇଥିଲା ପ୍ରଣବ ପ୍ରକାଶ ଦାସଙ୍କର । ରାଜନୈତିକ ପରିଚୟର ଆବଶ୍ୟକତା ନାହିଁ । ଠିକ ଯେମିତି ନବୀନ ପଟ୍ଟନାୟକ ଓଡିଶାକୁ ଆସି ରାଜନୀତିର ମଙ୍ଗ ଧରିବା ବେଳେ ତାଙ୍କ ପରିଚୟ ଥିଲା ସେ ବିଜୁ ବାବୁଙ୍କର ପୁଅ, ଠିକ୍ ସେମିତି ବବି ଦାସଙ୍କର ପରିଚୟ ଥିଲା ସେ ଅଶୋକ ଦାସଙ୍କର ପୁଅ । ମାତ୍ର ଗୋଟିଏ ଦଶନ୍ଧିରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଲେ । ବାପାଙ୍କ ଭଳି ରାଜନୈତିକ ବିଚକ୍ଷଣତା ଆଉ ସାହାସିକତା ଭରି ରହିଛି ତାଙ୍କ ନିକଟରେ, ଦମ୍ଭର ସହ ଯେକୈାଣସି ପରିସ୍ଥିତିର ମୁକାବିଲା କରିବାର ଦକ୍ଷତା ରଖୁଥିବା ଏହି ନେତା ଆଜି ବିଜୁ ଜନତା ଦଳର ସଂଗଠନ ସଂପାଦକ ଭାବେ କାର୍ଯ୍ୟ କରୁଛନ୍ତି । ବିଜେଡି ଇତିହାସରେ ଯେଉଁ ପଦ ପଦବୀ କେବେ ସୃଷ୍ଟି ହୋଇନଥିଲା ତାକୁ ନିଷ୍ଠାର ସହ କାର୍ଯ୍ୟ କରି ହାସଲ କରିଛନ୍ତି ଯାଜପୁରର ଏହି ବିଧାୟକ ।

ପୁରଷ୍କାର ଦେଲେ ନବୀନ
ଦଳୀୟ ନିର୍ବାଚନ ପରେ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ସହ ମାର୍ଚ୍ଚ ୫, ୨୦୨୦ରେ, ନବୀନ ଦଳୀୟ ନିଯୁକ୍ତି ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ । ନଜର ପକାଇବାର ଦିଗଟି ହେଉଛି, ଆଜିଯାଏଁ ଦଳୀୟ ନିଯୁକ୍ତି ନେଇ ଗଣମାଧ୍ୟମକୁ କେବଳ ପ୍ରେସ ରିଲିଜ ଆସୁଥିଲା, ହେଲେ ପ୍ରଥମ ଥର ପାଇଁ ନବୀନ ଦଳୀୟ କାର୍ଯ୍ୟାଳୟରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଥିଲେ । ଦଳୀୟ ସଭାପତି ଭାବେ ୨୦୧୪, ୨୦୧୯ ସାଧାରଣ ନିର୍ବାଚନ ଏବଂ ଉପ-ନିର୍ବାଚନରେ ପ୍ରଣବ ପ୍ରକାଶ ଦାସଙ୍କର ଦକ୍ଷତା ଓ ପରିଚାଳନାକୁ ପ୍ରଶଂସା କରିଥିଲେ । ଦଳର ସଂଗଠନ ସଂପାଦକ ଭାବେ ଦାୟିତ୍ୱ ପାଇଥିବା ନେଇ ସବୁଠାରୁ ବଡ ଘୋଷଣା କରିଥିଲେ । ଯାହା ସ୍ପଷ୍ଟ ପ୍ରମାଣିତ କରୁଥିଲା, ବବି ଦାସ ହେଉଛନ୍ତି ଦଳରେ ଦ୍ୱିତୀୟ ସର୍ବବୃହତ ନେତା । ତୃଣମୁଳସ୍ତରରୁ ଶୀର୍ଷସ୍ତର ଯାଏଁ ସଂଗଠନର ସବୁ ବ୍ୟାପାର ବବି ଦାସଙ୍କ ଉପରେ ନ୍ୟସ୍ତ କରାଗଲା । ଆଉ ଏହି ବଡ ଘୋଷଣା କରାଯାଇଥିଲା, ମାର୍ଚ୍ଚ ୫ ତାରିଖରେ । ଯେଉଁଦିନରେ ଦୁଇ ଦଶନ୍ଧି ପୁର୍ବେ ରାଜ୍ୟ ଶାସନ ଭାର ଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ । ଯାହା ପ୍ରମାଣିତ କରୁଥିଲା ଦଳ ଭିତରେ କିଭଳି ନିଜର ଏକ ସ୍ୱତନ୍ତ୍ର ଛାପ ସୃଷ୍ଟି କରିବାରେ ସେ ସଫଳ ହୋଇଛନ୍ତି ।

ମୋଦି,ଶାହାଙ୍କୁ ପାଣି ପିଆଇଲେ!
ଯେଉଁ ଦୁଇଟି ନିର୍ବାଚନର ଉଦାହରଣ ମୁଖ୍ୟମନ୍ତ୍ରୀ ଏହି ଘୋଷଣା ସମୟରେ ଉପସ୍ଥାପନ କରିଥିଲେ, ତାହା ଥିଲା ୨୦୧୪ ଏବଂ ୨୦୧୯ର ସମୟ । ଅର୍ଥାତ୍ ସାରା ଦେଶରେ ଯେତେବେଳେ ମୋଦି ଲହର୍ ଚାଲୁଥିଲା, ବିଜେପିକୁ ଭୋଟ ଦେବାକୁ ଲୋକଙ୍କ ମଧ୍ୟରେ ଅହେତୁକ ଆଗ୍ରହ ଦେଖିବାକୁ ମିଳୁଥିଲା ସେଭଳି ପ୍ରତିକୁଳ ପରିସ୍ଥିତିରେ ଦଳକୁ ବିଜୟ ଆଣିଦେବା ଏତେ ସହଜ କଥା ନୁହେଁ । ଉଭୟ ନିର୍ବାଚନରେ ୧୦୦ରୁ ଅଧିକ ଆସନ ହାସଲ କରିଥିଲା ବିଜେଡି । ଚିତପଟାଙ୍ଗ ମାରିଥିଲା ଭାଜପା । ସାରା ଦେଶରେ ଯେତେବେଳେ ମୋଦି ଲହର୍ ଚଲିଥିଲା ସେତେବେଳେ ପ୍ରଣବ ପ୍ରକାଶ ଦାସ ଓଡିଶାରେ ନବୀନ ହାୱା ବୁହାଇଥିଲେ । ଖାସ କରି ପଂଚମ ପାଳିରେ ଯେତେବେଳେ ବିଜେଡି ନିର୍ବାଚନକୁ ଗଲା ସେତେବେଳେ ବିଜେପିର ହାୱା ସହ ଥିଲା ସତ୍ତା ବିରୋଧରେ ଲୋକଙ୍କ ଆଭିମୁଖ୍ୟ । ହେଲେ ନିଜ କରିସ୍ମା ବଳରେ ଆଉ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ଆଉ ସର୍ବୋପରି ନିଜ ରାଜନୈତିକ ବିଚକ୍ଷଣତାରେ ପ୍ରତିପକ୍ଷକୁ ମାତ୍ ଦେଇଥିଲେ ବବି ଦାସ । ବିଜେପିର ସେତେବେଳର ଅଧ୍ୟକ୍ଷ ଅମିତ ଶାହା ରାଜ୍ୟରେ ୧୨୦ର ନାରା ଦେଇଥିଲେ, ହେଲେ ବବି ଏମିତି ଗୋଟିଚଳାଇଲେ ଯେ, ଅମିତ ଶାହା ମଧ୍ୟ ଚିତପଟାଙ୍ଗ ମାରିଗଲେ । ଯାହା ସ୍ପଷ୍ଟ ଦର୍ଶାଇଥିଲା ଯେ ବିଜେପିର ଏଜେଣ୍ଡା ଆଉ ପ୍ରୋପାଗାଣ୍ଡା ଓଡିଶାରେ ଚାଲିବନି । ଯଦି କିଛି ଓଡିଶାରେ ଚାଲିବ, ତାହା ଥିଲା ନବୀନଙ୍କ ରଥ ଯାହାର ସାରଥୀ ଥିଲେ ବବି ଦାସ ।

ଆହ୍ୱାନଭରା ରାସ୍ତାର ପଥିକ
କଥା କେବଳ ନିର୍ବାଚନରେ ହିଁ ସୀମିତ ନଥିଲା, ଯେଉଁଠି ଯେଉଁଠି ଦଳର ସଂଗଠନରେ କିଛି ତ୍ରୁଟି ବିଚ୍ୟୁତି ଦେଖୁଥିଲେ ସେଠି ସିଧାସଳଖ ପହଁଚିଯାଉଥିଲେ ପ୍ରଣବ ପ୍ରକାଶ । ଉଭୟ ପକ୍ଷକୁ ଏକାଠି ବସାଉଥିଲେ, ଆଉ ଚୁଟକିରେ ମାମଲାର ସମାଧାନ କରୁଥିଲେ । ସାମ, ଦାମ, ଦଣ୍ଡ, ଭେଦ ସବୁକିଛିରେ ମାହିର ଥିବା ଏହି ନେତାଙ୍କ ଉପରେ ଏବେ ପଡିଛି ମୟୁରଭଂଜକୁ ସମ୍ଭାଳିବାର ଦାୟିତ୍ୱ । କାରଣ ଏହି ବୃହତ ଜିଲ୍ଲାରେ ବିଜେପିର ପଲ୍ଲା ବିଜଡେି ଠାରୁ ଭାରି ରହିଛି । ତେଣୁ ସ୍ୱାଭାବିକ ଭାବେ ଗେରୁଆ ଗଡକୁ ସବୁଜ ଗଡରେ ପରିଣତ କରିବାର ଦାୟିତ୍ୱ ନିଜ ମୁଣ୍ଡକୁ ନେଇଛନ୍ତି ବବି । ଫ୍ଲାଟ ପିଚରେ ବ୍ୟାଟିଂ କରିବା ସହଜ । ଯାହା ଅରୁଣ, ସଂଜୟ, ଅତନୁଙ୍କ ଭଳି ନେତା ସବୁବେଳେ କରିଥାନ୍ତି । ଅର୍ଥାତ୍ ନିଜେ ସୁବିଧାରେ ରହିବେ ଆଉ ନିଜ ସ୍ୱାର୍ଥ ପାଇଁ କାମ କରିବେ । ହେଲେ ରାଜନୈତିକ ସମୀକ୍ଷକଙ୍କ ମତରେ ବବି ଦାସ ବିଶ୍ୱାସ କରିଥାନ୍ତି ବଲ୍ ଟର୍ଣ୍ଣ ଆଉ ସ୍ୱିଙ୍ଗ କରୁଥିବା ପିଚରେ ବ୍ୟାଟିଂ କରିବା ସହ ଟିମକୁ ଜିତାଇବାରେ । ସେଥିପାଇଁ ନିଜେ ମୟୁରଭଂଜ ଦାୟିତ୍ୱ ନେଇ ତାକୁ ସୁଧାରିବାରେ ସେ ବ୍ୟସ୍ତ ରହିଛନ୍ତି । ପ୍ରଥମ କାର୍ଯ୍ୟ କଲେ ମୟୁରଭଂଜକୁ ଦୁଇଟି ସାଂଗଠନିକ ଜିଲ୍ଲାରେ ଭାଗ କଲେ । ପରେ ପରେ ନିଜର ଅତ୍ୟନ୍ତ ଅନୁଗତଙ୍କୁ ସେଠାରେ ଦାୟିତ୍ୱ ବାଂଟିଦେଲେ । ଏବେ ସେଠାରେ ଯୁବଗୋଷ୍ଠୀଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ଖେଳକୁ ଏକ ବଡ ଆୟୁଧ କରିଛନ୍ତି ବବି । ଯାହା ସ୍ପଷ୍ଟ ପ୍ରମାଣିତ କରୁଛି ଆଗାମୀ ପଂଚାୟତ ନିର୍ବାଚନ ବେଳକୁ ମୟୁରଭଂଜ ପୁଣି ଆସିସାରିଥିବ ବିଜେଡି କବଜାକୁ ।

ବବିଙ୍କ ଲଙ୍ଗଟର୍ମ ପଲିିସି
ସଂଗଠନ ସଂପାଦକ ଭାବେ ବିଜେଡି ପାଇଁ ଏକ ଲଙ୍ଗଟର୍ମ ଯୋଜନା ବବି ଦଳ ପାଇଁ ପ୍ରସ୍ତୁତ କରିଛନ୍ତି । ଆଉ ଏହା ଯଦି ସଫଳତାର ସହ କାର୍ଯ୍ୟକାରୀ ହୋଇଯାଏ ଆଉ ସମସ୍ତଙ୍କର ସମର୍ଥନ ମିଳେ ତେବେ ବିଜେଡିକୁ କ୍ଷମତାକୁ ହଟାଇବା ଏତେ ସହଜ ହେବନାହିଁ । ବିଜେଡି ଦୀର୍ଘଦିନ ଯାଏଁ ଶାସନରେ ରହିବ, ଏହାର ଆଉ କୈାଣସି ଅବକାଶ ରହିବନି । ବବି ଦାସ ଭଲ ଭାବେ ଜାଣିଛନ୍ତି, ବିଜେଡିକୁ କ୍ଷମତାରେ ରଖିବାକୁ ହେଲେ ଛାତ୍ର ଆଉ ଯୁବ ସମାଜ ସହ ଯୁବ ଆଉ ଭଲ ନେତା ଦଳ ସହ ସାମିଲ ହେବା ଦରକାର । ଭିଜନ ୨୦୩୬ ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ୱପ୍ନ ରହିଛି, ତାକୁ ବାସ୍ତବତାର ରୁପ ଦେବା ପାଇଁ ବବି ଏବେ ବ୍ୟଗ୍ର । ସେଥିପାଇଁ ଅଧିକରୁ ଅଧିକ ଛାତ୍ର ଆଉ ଯୁବକଙ୍କୁ ଦଳ ସହ ଯୋଡିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାର ଛାପ ଦଳୀୟ ସଂଗଠନରେ ମଧ୍ୟ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଦଳରେ ବରିଷ୍ଠ ଉପ-ସଭାପତି ପଦ ସୃଷ୍ଟି କରାଗଲା । ଏଥିରେ ବରିଷ୍ଠ ନେତାଙ୍କୁ ସୁଯୋଗ ଦିଆଗଲା ଯେଉଁମାନେ ଦଳର ମାର୍ଗଦର୍ଶନ କରିବେ । ପରେ ଉପ-ସଭାପତିଙ୍କୁ ରଖାଗଲା, ଯାହାଙ୍କ ଉପରେ ଦଳ ବହୁତ ବର୍ଷ ଧରି ନିର୍ଭରଶୀଳ ଥିଲା । ପରେ ଯୁବଗୋଷ୍ଠୀଙ୍କୁ ଦଳର ବିଭିନ୍ନ ପଦ ପଦବୀ ଦିଆଗଲା, ଯେଉଁମାନେ ଜୋରେ ଦୈାଡିପାରିବେ, ଯେଉଁମାନେ ଦଳକୁ ନୁଆ ବିଚାରଧାରା ସହ ଯୋଡି ଶକ୍ତିଶାଳୀ କରିପାରିବେ । ଏହାପଛରେ ପ୍ରଣବ ପ୍ରକାସ ଦାଶଙ୍କର ଏକ ବଡ ଚିନ୍ତାଧାରା କାର୍ଯ୍ୟ କରିଥିଲା । ଦଳକୁ ଆଗକୁ ବଢାଇବାକୁ ହେଲେ ନୁଆ ନୁଆ ଚିନ୍ତାଧାରା ସହ ଟେକ୍ନୋଲୋଜୀକୁ ବୁଝୁଥିବା ନେତା ଦରକାର । ବାସ୍ ଏହାକୁ କାର୍ଯ୍ୟକାରୀ କରାଇ ଦଳ ପାଇଁ ଏକ ଲଙ୍ଗ ଟର୍ମ ପଲିସି ଧରି ଟାର୍ଗେଟ ନିର୍ଦ୍ଧାରଣ କରିଦେଲେ ବବି ଦାସ ।

ନୁଆ ରକ୍ତ, ନୁଆ ଶକ୍ତି
ଉଭୟ ଛାତ୍ର ଆଉ ଯୁବ ସଗଠନରେ ନୁଆ ନୁଆ ଚେହେରାଙ୍କୁ ଭର୍ତ୍ତି କରି ଜିଲ୍ଲା ସ୍ତରରେ ଆଉ ଜୋନ୍ ସ୍ତରରେ କାର୍ଯ୍ୟ ଆରମ୍ଭ ହୋଇସାରିଛି । ଦଳରେ ଏହି ଦୁଇ ଛାମୁଆ ସଂଗଠନ ଯେତେ ଶକ୍ତିଶାଳୀ ହେବ ନିର୍ବାଚନ ଜିତିବା ଦଳ ପାଇଁ ସେତେ ସହଜ ହେବ । ଯାହାକୁ ଭଲ ଭାବେ ବୁଝିଛନ୍ତି ପ୍ରଣବ ପ୍ରକାଶ ଦାସ । ଦୁଇ ଯୁବ ବିଧାୟକ ବ୍ୟୋମକେଶ ରାୟ ଏବଂ ପ୍ରଣବ ବଳବନ୍ତରାୟଙ୍କ ମାଧ୍ୟମରେ ଦଳୀୟ ସଂଗଠନକୁ କିଭଳି ଆହୁରି ରୁଦ୍ଧିମନ୍ତ କରାଯାଇପାରିବ, ସେନେଇ ରଣନୀତି ମଧ୍ୟ ପ୍ରସ୍ତିତ ହୋଇଛି । ଜିଲ୍ଲାରୁ ଜିଲ୍ଲା ନେତା ବୁଲୁଛନ୍ତି, ଆଉ ଅଧିକରୁ ଅଧିକ ଯୁବକଙ୍କୁ ଦଳ ପ୍ରତି ଆକର୍ଷିତ କରୁଛନ୍ତି । ବବି ଦାସଙ୍କର ସବୁଠାରୁ ବଡ ଶକ୍ତି ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରୁ ସେ ଶିଖି କାର୍ଯ୍ୟରେ ଲଗାଇଛନ୍ତି କଥା କମ୍ କାମ ବେଶୀ । ଅଯଥା ମିଡିଆରେ ଶିରୋନାମା ପାଇବା ପାଇଁ ସେ କେବେ ଚେଷ୍ଟା କରିନାହାନ୍ତି, ଚୁପ କିନା ନିଜ କାମ ସାରିଦେଇ ଦଳକୁ ଆଗକୁ ବଢାଇଛନ୍ତି । ଗଣମାଧ୍ୟମକୁ ଆସି ବୟାନ ରଖି ନିଜ ବାହାବା ନେବାକୁ କେବେ ଚେଷ୍ଟା କରିନାହାନ୍ତି ବରଂ ପରଦା ପଛରେ ରହି କାର୍ଯ୍ୟ କରିବାକୁ ସବୁବେଳେ ଆଗ୍ରହ ଦେଖାଇଛନ୍ତି । ମନ୍ତ୍ରୀ ପଦରେ ଥାନ୍ତୁ ଅବା ନଥାନ୍ତୁ ସେ କାମରେ ବିଶ୍ୱାସ କରିଥାନ୍ତି କଥାରେ ନୁହେଁ । ମନ୍ତ୍ରୀ ପଦ ପାଇବାର ଲାଳସା ତାଙ୍କ ନିକଟରେ ଦେଖିବାକୁ ମିଳୁନାହିଁ । ଅନ୍ୟ ଯୁବନେତା ଯେମିତି ମନ୍ତ୍ରୀପଦ ପାଇବାକୁ ଲବି କରିଥାନ୍ତି ତାଠାରୁ ବହୁ ଦୁରରେ ବବି ଦାସ । ଯାହା ତାଙ୍କର ଦଳ ପାଇଁ ଥିବା ସମର୍ପିତ ମନୋଭାବର ପରିଚୟ । ଦଳକୁ ମଜଭୁତ କରିବାକୁ ଯେଉଁ ଗୁରୁ ଦାୟିତ୍ୱ ମୁଖିଆ ତାଙ୍କ ଉପରେ ନ୍ୟସ୍ତ କରିଛନ୍ତି ତାର ଫଳ ପଂଚାୟତ ନିର୍ବାଚନରେ ବାହାରିବ । ଆଉ ଏଥିରେ ସଫଳତାର ହାର ପ୍ରଣବ ପ୍ରକା ଦାସଙ୍କର ରାଜନୈତିକ ପତିଆରାକୁ ଆହୁରି ରୁଦ୍ଧିମନ୍ତ କରିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମତ ରଖିଛନ୍ତି ।

Comments (0)
Add Comment