ଧର୍ମେନ୍ଦ୍ରଙ୍କୁ ଘାଇଲା କରିଦେଲେ ବବି ଦାସ !

ଶାନ୍ତ ଥିଲେ, ହଠାତ୍ ଅସ୍ଥିର ହୋଇଗଲେ । ପରସ୍ପରକୁ ଫୁଲଶର ମାରୁଥିବା ନେତା ଆଜି ଧନୁତୀର ଧରି ଲଢିଲେଣି । ଧର୍ମେନ୍ଦ୍ର ପ୍ରଧାନ ଏବଂ ବବି ଦାସଙ୍କ ଭିତରେ ଯୁଦ୍ଧ କେବଳ ବ୍ୟକ୍ତିଗତ ସ୍ତରରେ ଆଉ ସୀମିତ ନାହିଁ । ଏହା ସଂକେତ ଦେଉଛି ରାଜନୀତିର ମୈଦାନରେ ବିଜେପି-ବିଜେଡି ଏବେ ଆଉ ପରସ୍ପରର ତଥାକଥିତ ମିତ୍ର ନୁହଁନ୍ତି, ଉଭୟଙ୍କ ଭିତରେ ଅହି-ନକୁଳ ସଂପର୍କ ଆରମ୍ଭ ହୋଇଗଲାଣି । ୨୦୧୯ ନିର୍ବାଚନ ପରଠାରୁ କେବେ ନରମ କେବେ ଗରମ ଆଭିମୁଖ୍ୟ ସହ ଉଭୟ ରାଜନୈତିକ ଦଳ ଆଗକୁ ବଢୁଥିଲେ । ହେଲେ ପରୀ ପ୍ରସଙ୍ଗ ପରଠାରୁ କାହିଁ କେଜାଣି ଉଭୟ କ୍ୟାମ୍ପର ପାରା ଶୀର୍ଷରେ ପହଁଚିଗଲାଣି ।

ପ୍ରଥମେ ନବୀନ କେନ୍ଦ୍ରର ଆନ୍ତରିକତାକୁ ନେଇ ପ୍ରଶ୍ନ ଉଠାଇଲେ । ପରେ ଧର୍ମେନ୍ଦ୍ର ବିଜେଡିକୁ ହିସାବ କିତାବ ଦେଇ ବିକାଶର ପାଠ ପଢାଇଲେ । ଆଉ ଏବେ ନବୀନଙ୍କ ହନୁମାନ ବବି ଦାସ ଧର୍ମେନ୍ଦ୍ରଙ୍କୁ ମହିଳା ତୀର ମାରିଛନ୍ତି । ହାଣ୍ଡିଶାଳ ଗଣିତ କିଛି ଏମିତି ପଢାଇଛନ୍ତି ଯେ, ଧର୍ମେନ୍ଦ୍ର କି ଉତ୍ତର ଦେବେ ତାକୁ ଓଡିଶା ପଢିବାକୁ ଅପେକ୍ଷା କରିଛି । ହେଲେ ବ୍ୟାପିନି ପ୍ରତିନିଧିଙ୍କ ସୁଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ ଏହି ପ୍ରସଙ୍ଗରେ ଚୁପ ରହିପାରନ୍ତି ।

ନୂଆବର୍ଷରୁ ନୂଆ ରଣନୀତି ଆପାଣାଇବାକୁ ଚାହିଁଲେଣି ବିଜେପି-ବିଜେଡି । ଡିସେମ୍ବରରେ ପ୍ରବଳ ଶୀତ ମଧ୍ୟରେ ବିଜେପି-ବିଜେଡି ଭିତରେ ଆରମ୍ଭ୍ ହେଲାଣି ଶୀତଳ ଯୁଦ୍ଧ । ମହିଳାଙ୍କ ସଂରକ୍ଷଣ ଦାବିରେ ଯେତେବେଳେ ନବୀନ ପରୋକ୍ଷରେ ମୋଦି ଓ ଶାହାଙ୍କୁ ଟାର୍ଗେଟ କରିଛନ୍ତି ସେତେବେଳ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଭୁ ଭକ୍ତି ଦେଖାଇବାକୁ ଯାଇ ନବୀନଙ୍କୁ ଟାର୍ଗେଟ କରିବାକୁ ପଛେଇନାହାନ୍ତି । ଆଉ ଧର୍ମେନ୍ଦ୍ର ଯେତେବେଳେ ବିଜେଡି ସୁପ୍ରିମୋ ନବୀନଙ୍କୁ ତୀର ମାରିଛନ୍ତି ତାହା ନବୀନଙ୍କୁ ଆଘାତ ଦେବା ଆଗରୁ ସୁରକ୍ଷା କବଚ ସାଜି ଉଭା ହୋଇଛନ୍ତି ବିଜେଡିର ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ।

ବିଜେଡି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ପାଇଁ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ଦାବିରେ ଜାତୀୟ ଦଳକୁ ଟାର୍ଗେଟ କରିଥିଲେ । ଏନେଇ ଲଢେଇ ଜୋରଦାର କରିବାକୁୁ କହିଥଲେ । ଆଉ ଏହା ପରେ ନବୀନଙ୍କୁ କଡ଼ା ଜବାବ ଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ମହିଳାଙ୍କ ପ୍ରତି ପ୍ରଧାନମନ୍ତ୍ରୀ କରିଥିବା ପ୍ରତ୍ୟେକଟି କାର୍ଯ୍ୟର ଗୋଟି ଗୋଟି ହିସାବ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ପାଲଟା ପ୍ରଶ୍ନ କରିଥିଲେ । ମହିଳାଙ୍କୁ ସଶକ୍ତ ସହ ବିକାଶ କରିବା ମୋଦି ସରକାରଙ୍କ ମୂଳସ୍ତମ୍ଭ ବୋଲି କହିଥିଲେ ଧର୍ମେନ୍ଦ୍ର ।

ତେବେ ନବୀନଙ୍କ ଆଡକୁ ଧର୍ମେନ୍ଦ୍ରଙ୍କ ଏହି ତୀରମାଡ଼ ପରେ ବିଜେଡିର ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଟୁଇଟ କରି କେନ୍ଦ୍ର ମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି । ପ୍ରଣବ ପ୍ରକାଶ ଦାସ ଟୁଇଟ କରି ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଚାହାଁନ୍ତି ମା ଓ ଭଉଣୀମାନେ ସଂସଦ ଓ ବିଧାନସଭାରେ ବସି ଦେଶର ଭାଗ୍ୟ ନିର୍ଦ୍ଧାରଣ କରନ୍ତୁ । ମହିଳାମାନେ କଣ ଘରର ଚାରିକାନ୍ଥ ଭିତରେ ରହି କେବେଳ ରୋଷେଇ କରନ୍ତୁ ଆପଣ ଚାହାଁନ୍ତି କି ବୋଲି ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି ବବି ଦାସ । ମା ଓ ଭଉଣୀ ମାନେ ଆଜି ବି ଚମତ୍କାର ରୋଷେଇ କରନ୍ତି । ସୁଯୋଗ ମିଳିଲେ ସେମାନେ ଦେଶ ମଧ ଚଳାଇପାରିବେ ବୋଲି ଟୁଇଟ କରି କହିଛନ୍ତି ପ୍ରଣବ ପ୍ରକାଶ ଦାସ ।

Comments (0)
Add Comment