ଧର୍ମେନ୍ଦ୍ର କଣ କଲମ୍ବସ ହୋଇଗଲେଣି କି?

ବିଜୁ ଜନତା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଟାର୍ଗେଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟ କରି ଶାଣିତ ସମାଲୋଚନା କରିବା ସହ ପଚାରିଛନ୍ତି ଭାଜପା ରାଜନୀତିର ସବୁଠାରୁ ବଡ ପ୍ରଶ୍ନ । ବବି ଟ୍ୱିଟ କରି ଲେଖିଛନ୍ତି,

ଭାଇ ଧର୍ମେନ୍ଦ୍ର ପ୍ରଧାନ, ଆପଣ କଲମ୍ବସ ପରି ଭର୍ତ୍ତୃହରିଙ୍କ ବୁଦ୍ଧି ଓ ଅଭିଜ୍ଞତାର ଆବିଷ୍କାର କରିଛନ୍ତି । ମୋର ଅନୁରୋଧ, ଆପଣ ଲାଲକୃଷ୍ଣ ଆଡଭାନୀ ଜୀ ଓ ମୂରଲୀ ମନୋହର ଯୋଶୀ ଜୀଙ୍କ ଅମାପ ଅଭିଜ୍ଞତା ଓ ଦକ୍ଷତାର ମଧ୍ୟ ସେଇଭଳି ସଦୁପଯୋଗ କରନ୍ତୁ । ସେମାନେ ମଧ୍ୟ ଯଥେଷ୍ଟ ବୁଦ୍ଧିମାନ ଓ ବିଜେପି ପାଇଁ ସମର୍ପିତ ।

ବବି ଦାସଙ୍କର ଏହି ଉକ୍ତିର କଣ ଜବାବ କେନ୍ଦ୍ରମନ୍ତ୍ରୀ ଦେବେ ସେ ଅକଳରେ ନିଶ୍ଚିତ ପଡିଥିବେ । ବ୍ୟାପିନୀକୁ ମିଳିଥିବା ସୁଚନା ଅନୁସାରେ, ବିଜେପି ଶିବିର ଯଦିଓ ଏହା ଉପରେ ଚିନ୍ତା କରୁଛି କିଛି ପ୍ରତିକ୍ରିୟା ରଖିବା ପାଇଁ ହେଲେ ସେମାନେ କଣ କହିବେ ବୁଝିପାରୁନାହାନ୍ତି । ବ୍ୟାପିନୀ ପ୍ରତିନିଧିଙ୍କ ସୁଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ ଏହାଉପରେ କୈାଣସି ଟିପ୍ପଣୀ ରଖିବାର ସମ୍ଭାବନା କମ୍ । କାରଣ ବବି ଦାସ ଯେଉଁଦିଗକୁ ଇଙ୍ଗିତ କରିଛନ୍ତି, ତାହା ହେଉଛି ବିଜେପି ରାଜନୀତିର ସବୁଠାରୁ ଦୁର୍ବଳତମ ଦିଗ । ୨୦୧୪ରେ ମୋଦି ଦିଲ୍ଲୀ ଦରବାରକୁ ନିଜ ନିୟନ୍ତ୍ରଣକୁ ନେବା ପରେ ଦଳରେ ଆଡଭାନୀ, ଯୋଶୀଙ୍କ ଭଳି ନେତା ଗୁରୁତ୍ୱ ହରାଇ ବସିଥିଲେ ଆଉ ଦଳରେ ସେମାନଙ୍କୁ ମାର୍ଗଦର୍ଶକ ମଣ୍ଡଳୀର ଆଖ୍ୟା ଦିଆଯାଇଥିଲା । ଆଉ ବିଜେପିରେ ଆରମ୍ଭ ହୋଇଥିଲା ମୋଦୀ ଯୁଗ ।

ଏବେ ରାଜ୍ୟ ରାଜନୀତି କିଛି ସେଭଳି ଦିଗରେ ଅଗ୍ରସର ହେଉଥିବା ଚର୍ଚ୍ଚା ହେଉଛି । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ‘ଓଡିଶା ଇତିହାସ’ର ହିନ୍ଦୀ ଅନୁବାଦ ଉନ୍ମୋଚନ କରିବା ଅବସରରେ ଭର୍ତ୍ତୃହରିଙ୍କୁ ଭୁୟସୀ ପ୍ରଶଂସା କରିଥିଲେ । ଏପରିକି ସ୍ୱତନ୍ତ୍ର ଓଡିଶା ଗଠନ ଏବଂ ଏହାକୁ ବିକାଶ ରାସ୍ତାରେ ଆଗେଇ ନେବାରେ ହରେକୃଷ୍ଣ ମହତାବଙ୍କ ଭୁମିକା କିଭଳି ଥିଲା ତାକୁ ମଧ୍ୟ ବେଶ ଉଲ୍ଲାସର ସହ ଉଲ୍ଲେଖ କରିଥିଲେ ଉଭୟ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଭର୍ତ୍ତୃହରି ମହତାବ ରଖୁଥିବା ବୟାନ ଦର୍ଶାଉଥିଲା, ସେ ଧୀରେ ଧୀରେ ବିଜେପି ଆଡକୁ ଢଳିବା ଆରମ୍ଭ କଲେଣି ।

କଥା ଏତିକିରେ ସରିନଥିଲା । ପ୍ରଜାତନ୍ତ୍ର ପ୍ରଚାର ସମିତିର ବାର୍ଷ ଉତ୍ସବ ବିଷୁବ ମିଳନରେ ମଧ୍ୟ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହରେକୃଷ୍ଣ ମହତାବଙ୍କୁ ପ୍ରଶଂସାରେ ପୋତିଥିଲେ । ଏହି କାର୍ଯ୍ୟକ୍ରମ ଆୟୋଜନ ପଛରେ ଭର୍ତ୍ତୃହରିଙ୍କର ଥିଲା ସବୁଠାରୁ ମହତ୍ତ୍ୱପୁର୍ଣ୍ଣ ଅବଦାନ । ବାସ, ବିଜେଡି ରାଜନୀତି ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛି । ନିଜ ଦଳ କଥା ନବୁଝୀ ଅନ୍ୟ ଦଳ କଥାରେ ମୁଣ୍ଡ ପୁରାଇବାକୁ କଡା ଭାଷାରେ ସମାଲୋଚନା କରିଛନ୍ତି ପ୍ରଣବ ପ୍ରକାଶ ଦାସ । ବିଜେପି ଯେଉଁଭଳି ଅପମାନଜନକ ଭାବେ ଆଡଭାନୀ ଏବଂ ଯୋଶୀଙ୍କୁ ସକ୍ରିୟ ରାଜନୀତିରୁ ବାଦ୍ ଦେଲା ଏକଥା କେହି ଭୁଲିନାହାନ୍ତି । ଏପରିକି ଯେଉଁ ଦଳ ଗଠନରେ ଏବଂ ତାକୁ ଆଗକୁ ବଢାଇବାରେ ଆଡଭାନୀଙ୍କର ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ଭୁମିକା ଥିଲା ତାକୁ ମଧ୍ୟ ଏଡାଇ ଦେଗଲେ ବିଜେପିର ଏବେକାର କ୍ଷମତାଶାଳୀ ଗୋଷ୍ଠୀ । ଯାହା ସେତେବେଳେ ଅନେକଙ୍କୁ ବିସ୍ମିତ କରିଥିଲା, ହେଲେ କ୍ଷମତାର ଲାଳସାରେ ହେଉ ଅବା ବାଧ୍ୟବାଧ୍ୟକତାରେ କେହି ମୁହଁ ଖୋଲିବାକୁ ସାହାସ କରିନଥିଲେ ।

ଏବେ ବିଜେପିର ସେହି ଦୁର୍ବଳତମ ଦିଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଣବ ପ୍ରକାଶ ଦାସ । ସଫାସଫା କହିଛନ୍ତି, ଭର୍ତ୍ତୃହରିଙ୍କ ବୁଦ୍ଧି ଆଉ ଅଭିଜ୍ଞତାର ଆବିଷ୍କାର କରିବା ବଦଳରେ ବିଜେପି ଆଡଭାନୀ ଏବଂ ଯୋଶୀଙ୍କର ଅଭିଜ୍ଞତା ଓ ଦକ୍ଷତାର ଉପଯୋଗ କରୁ । ଏହା କହିବାର ଅର୍ଥ ହେଲା, ବିଜେପି ଅନ୍ୟକୁ ଆଇନା ଦେଖାଇବା ଆଗରୁ ନିହେ ଆଇନା ଅଗରେ ଠିଆ ହୋଇ ନିଜର ବିଶ୍ଳେଷଣ କରୁ ଏବଂ ନିଜ ଉପରେ ପଡିଥିବା ଅନେକ କାଦୁଅ କିଭଳି ସଫା କରିବ ତାକୁ ଚିନ୍ତା କରୁ । ବ୍ୟାପିନୀ ପ୍ରତିନିଧିଙ୍କ ଆକଳନ ଅନୁସାରେ, ପୁର୍ବରୁ ମଧ୍ୟ ପ୍ରଣବ ପ୍ରକାଶ ଦାସ, କେନ୍ଦ୍ରମନ୍ତ୍ରୀଙ୍କୁ ଦୁଇଟି ପ୍ରଶ୍ନ ପଚାରିଥିଲେ । ହେଲେ ତାର ଉତ୍ତର ଧର୍ମେନ୍ଦ୍ର ପ୍ରଧାନ ଦେଇନଥିଲେ । ଏଥର ମଧ୍ୟ କେନ୍ଦ୍ରମନ୍ତ୍ରୀ ଚୁପ ରହି ନିଜ ଦୁର୍ବଳତାକୁ ଲୁଚାଇବେ ବୋଲି ବ୍ୟାପିନୀ ପ୍ରତିନିଧି ଆକଳନ କରୁଛନ୍ତି ।

Comments (0)
Add Comment