ପ୍ରଚାର ସର୍ବସ୍ୱ ପ୍ରତାପ ନନା!

ପ୍ରଚାର ସର୍ବସ୍ୱ ପ୍ରତାପ ନନା!

ସମସ୍ତେ ତାଙ୍କୁ ଜାଣନ୍ତି ଯେ, ସେ ଜଣେ ସନ୍ନ୍ୟାସୀ ଓ ବ୍ରହ୍ମଚାରୀ । ନିରାଡ଼ମ୍ବର ଜୀବନଯାପନ କରନ୍ତି । ଏପରିକି ରାଜ୍ୟର ସବୁ ରାଜନେତାଙ୍କ ଭିତରେ ତାଙ୍କୁ ସବୁଠାରୁ ସରଳ ବୋଲି ବିବେଚନା କରାଯାଏ । କିନ୍ତୁ ଏହି ସରଳତା ପଛରେ ଯେ ଏତେ କ୍ରୋଧ, ଘୃଣା ଓ ଗର୍ବ ଖୁନ୍ଦି ହୋଇ ରହିଛି ତାହା ଆପଣ ନଦେଖିଲେ ବିଶ୍ୱାସ କରିବେନି । ଆମେ କହୁଛୁ ବାଲେଶ୍ଵର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କଥା । ପୂର୍ବରୁ କେତେବେଳେ ଗାଁ ପୋଖରୀରେ ଗାଧେଇ, ସାଇକେଲରେ ଘର ଘର ବୁଲି ପ୍ରଚାର କରି, ନିଜ ମା’ଙ୍କ ସହ କୁଡ଼ିଆ ଘରେ ରହି, ଗରିବ ଓ ଛୋଟ ପିଲାଙ୍କ ସହ ସମ୍ପର୍କ ବାନ୍ଧି ଚର୍ଚ୍ଚାରେ ଥିବା ଏହି ବାଗ୍ମୀ ପୁରୁଷଙ୍କର ଏବେ ବିଭିନ୍ନ ଘଟଣାରେ ଭିନ୍ନ ଚରିତ୍ରକୁ ନେଇ ଚର୍ଚ୍ଚା ।ଗତ ରବିବାର କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ଓଭରଟେକ କରିଯାଇଥିଲା ଦୁଇଟି ଗାଡି । ଯାହା ମନ୍ତ୍ରୀଙ୍କୁ ହଜମ ହେଇନଥିଲା । ତୁରନ୍ତ ସରକାରୀ କଳ ଉପରେ ଚାପ ପକାଇ ଗାଡି ଦୁଇଟିକୁ ଥାନାକୁ ନିଆଯାଇଥିଲା ।ବ୍ୟାପୀନିକୁ ମିଳିଥିବା ସୂଚନା ଅନୁସାରେ ମନ୍ତ୍ରୀଙ୍କ ଗାଡି ଅତ୍ୟନ୍ତ ଧୀର ଗତିରେ ଯାଉଥିବାରୁ ତାକୁ ଓଭରଟେକ କରିଯାଇଥିଲେ ପଡ଼ୋଶୀ ପଶ୍ଚିମବଙ୍ଗର ଏହି ଦୁଇଟି ଗାଡି । ବାଲେଶ୍ଵର ଜିଲ୍ଲା ବାଲିଆପାଳ ଅଂଚଳରେ ଜାତୀୟ ରାଜପଥ ଉପରେ ଘଟିଥିଲା ଏହି ଘଟଣା । ଉକ୍ତ ଦୁଇ ଗାଡ଼ିରେ ଥିବା ପରିବାର ସଦସ୍ୟ ଶେଷରେ ପାଞ୍ଚ ଘଣ୍ଟା ଥାନାରେ ବସି ଅଣ୍ଡରଟେକିଙ୍ଗ ଲେଖିବା ପରେ ମୁକ୍ତି ପାଇଥିଲେ । ଏବେ ପ୍ରଶ୍ନ ଉଠୁଛି ମନ୍ତ୍ରୀ ଯଦି ଜାତୀୟ ରାଜପଥ ଉପରେ ମନ୍ଥର ଗତିରେ ଯିବେ, ତେବେ ଅନ୍ୟ ଗାଡି କରିବେ କଣ ? କେତେବେଳେ ସାଇକେଲ, ସ୍କୁଟି ଚଢି ତ କେତେବେଳେ ଚାଲିକି ନିଜ ଭିଡ଼ିଓ ଭାଇରାଲ କରୁଥିବା ପ୍ରତାପ ଷଡଙ୍ଗୀ ତାଙ୍କୁ କେହି ଅତିକ୍ରମ କରିବାକୁ କାହିଁକି ସହିପାରିଲେନି ?

କେବଳ ଏତିକି ନୁହେଁ, ତାମିଲନାଡୁରେ କାମ କରୁଥିବା ଓ କମ୍ପାନୀରେ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବାଲିଆପାଳ ଅଞ୍ଚଳର ଦୁଇ ବ୍ୟକ୍ତିଙ୍କ ଘରକୁ ସେତେବେଳେ ଯାଉଥିଲେ ପ୍ରତାପ ଷଡଙ୍ଗୀ ।ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ ମଧ୍ୟ । ଯାହାର ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି । ଯେଉଁଥିରେ ଗୋଟିଏପଟେ ପରିବାର ସଦସ୍ୟଙ୍କ କାନ୍ଦ ଶୁଭୁଥିବା ବେଳେ ଅନ୍ୟପଟେ ମନ୍ତ୍ରୀ ସମ୍ପୃକ୍ତ କମ୍ପାନୀ କର୍ମଚାରୀଙ୍କୁ ଧମକ ଓ ଗାଳି ଦେଉଥିବା ଦେଖିବାକୁ ମିଳୁଛି । ତେବେ ବଡ଼କଥା ହେଉଛି ଜଣେ କେନ୍ଦ୍ରମନ୍ତ୍ରୀ ଯଦି ପ୍ରକୃତରେ ଚାହିଁବେ, ତେବେ ସେହି କମ୍ପାନୀ ଉପରେ ଚାପ ପକାଇ ମୃତକଙ୍କ ପରିବାରକୁ ଭରଣପୋଷଣ ବ୍ୟବସ୍ଥା କରିପାରିବେନି କି ? ସେକଥା ନକରି ପ୍ରତାପ ନନା କାନ୍ଦୁଥିବା ଅତ୍ମୀୟଙ୍କ ସମ୍ମୁଖରେ ଏମିତି କଥାବାର୍ତ୍ତା କରିବା ମିଛ ଆତ୍ମପ୍ରଚାର ନୁହେଁ କି ?

ସେପଟେ ନିଜକୁ ଅତି ଗରିବ ବୋଲି ପ୍ରଦର୍ଶିତ କରୁଥିବା କେନ୍ଦ୍ରମନ୍ତ୍ରୀ ପଶ୍ଚିମବଙ୍ଗରେ ଟଙ୍କା ବାଣ୍ଟିବାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଦଳମତ ନିର୍ବିଶେଷରେ ଓଡିଶା ରାଜନୀତିକୁ ଲକ୍ଷ କଲେ ପ୍ରତାପ ଷଡ଼ଙ୍ଗୀଙ୍କ ଜୀବନଶୈଳୀକୁ ସମଗ୍ର ରାଜ୍ୟବାସୀ ପ୍ରସଂଶା କରନ୍ତି । କିନ୍ତୁ କିଛି ଦିନ ହେବ ନନାଙ୍କ ଏମିତି କାର୍ୟ୍ୟଶୈଳୀକୁ ନେଇ ସାଧାରଣରେ ଆଲୋଚନା ବଢ଼ିବାରେ ଲାଗିଛି ।

Comments (0)
Add Comment