ରାଷ୍ଟ୍ରପତି ଦେଲେ ଲକ୍ଷେ ଟଙ୍କା…


ବଡ ଠାକୁର ଓ ବଡ ଦେଉଳର ବିକାଶ ଅଭିଯାନରେ ସାମିଲ ହେଲେ ଦେଶର ପ୍ରଥମ ବ୍ୟକ୍ତି । ସମର୍ପଣ ନିଧି ସଂଗ୍ରହ ଅଭିଯାନରେ ଯୋଡି ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ଫେରିବା ବେଳେ ଏହି ଅଭିଯାନରେ ସାମିଲ ହେବା ସହ ନିଜ ଦରମାରୁ ଲକ୍ଷେ ଟଙ୍କା ଦାନ କରିଛନ୍ତି ରାମନାଥ କୋବିନ୍ଦ । ତେବେ କୋବିନ୍ଦଙ୍କ ଏହି ଅଭିଯାନରେ ସାମିଲ ହେବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଷ୍ଟ୍ରପତି ଏ ବାବଦରେ କୌଣସି ସୂଚନା ଦେବା ପୂର୍ବରୁ ଧର୍ମେନ୍ଦ୍ରଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଏହା ଜାଣିବାକୁ ମିଳିଥିଲା । ଚଳିତଥର ରାଷ୍ଟ୍ରପତିଙ୍କ ଗସ୍ତର ଟିକିନିକି ସୂଚନା ଧର୍ମେନ୍ଦ୍ରଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ଜାଣିବାକୁ ମିଳୁଛି । ତେଣୁ ସମର୍ପଣ ନିଧି ସଂଗ୍ରହ ଅଭିଯାନରେ ରାଷ୍ଟ୍ରପତିଙ୍କ ସାମିଲ ହେବା ନେଇ ଧର୍ମେନ୍ଦ୍ରଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଜାଣିବା କିଛି ନୂଆ କଥା ମଧ୍ୟ ନୁହେଁ । କିନ୍ତୁ ଏହି ସୋସିଆଲ ମିଡ଼ିଆ ପୋଷ୍ଟ କରି ଧର୍ମେନ୍ଦ୍ର ଅନେକ ଦିଗକୁ ଇଙ୍ଗିତ କରିଥିବା ଚର୍ଚ୍ଚା ହେଉଛି ।

ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ଯୋଜନାର ଘୋଷଣା କରିବା ପରେ ପୁରୀ ବିକାଶକୁ ନେଇ ଧର୍ମେନ୍ଦ୍ର ତତ୍‌ପର ହୋଇ ଉଠିଥିଲେ । ମହାପ୍ରଭୁଙ୍କ ସେବା ପାଇଁ ସମସ୍ତଙ୍କୁ ସୁଯୋଗ ମିଳିବା ଉଚିତ୍ ବୋଲି ମନେ କରି ସମର୍ପଣ ନିଧି ସଂଗ୍ରହ ଅଭିଯାନର ମୂଳଦୁଆ ପକାଇଥିଲେ । ଏପରିକି ଯେପରି ଏହାକୁ କେହି ରାଜନୈତିକ ଦୃଷ୍ଟି କୋଣରୁ ନ ଦେଖନ୍ତୁ ସେଥିପାଇଁ ପୁରୀ ଗଜପତି ମହାରାଜାଙ୍କ ତତ୍ତ୍ୱାବଧାନରେ ଏହି ଅଭିଯାନକୁ ଆଗକୁ ବଢାଇଥିଲେ । ପରେ ଏହାକୁ ଜନଆନ୍ଦୋଳନରେ ପରିଣତ କରିବାକୁ ବିଦେଶରେ ରହୁଥିବା ଓଡ଼ିଆ ସମାଜ ସହ ଆଲୋଚନା କରି ଶ୍ରୀମନ୍ଦିରର ବିକାଶ ପାଇଁ ସହଯୋଗର ହାତ ବଢାଇବାକୁ ଆହ୍ୱାଦ ଦେଇଥିଲେ ଧର୍ମେନ୍ଦ୍ର । ମୋଟାମୋଟି ଭାବେ କହିବାକୁ ଗଲେ ଶ୍ରୀମନ୍ଦିରର ବିକାଶ ପାଇଁ କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ବରଂ ସେ ମଧ୍ୟ ପ୍ରୟାସ କରୁଥିବା ନେଇ ସଂକେତ ଦେଇଥିଲେ ଧର୍ମେନ୍ଦ୍ର ।

ଆଉ ଆଜି ଯେତେବେଳେ ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମର୍ପଣ ନିଧି ଅଭିଯାନରେ ସାମିଲ ହେବା ସହ ଲକ୍ଷେ ଟଙ୍କା ଦାନ କରିଛନ୍ତି ସେତେବେଳେ ଏହାକୁ ନେଇ ଭିନ୍ନ ଏକ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି, ସମର୍ପଣ ନିଧି ସଂଗ୍ରହ ଯୋଜନାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ଚେଷ୍ଟା କରୁଥିବା ଧର୍ମେନ୍ଦ୍ରଙ୍କ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ବଡ ଚେହେରା ଆଉ କିଏ ବା ହୋଇଥାଇପାରନ୍ତା । ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସମୟରେ ସମର୍ପଣ ନିଧି ସଂଗ୍ରହ ଅଭିଯାନ ବାବଦରେ ରାମନାଥ କୋବିନ୍ଦଙ୍କୁ ଜଣାଇଥିଲେ ଧର୍ମେନ୍ଦ୍ର । ଆଉ ପୁରୀ ଗସ୍ତ ସମୟରେ ଏହାର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ପୁରୀ ପ୍ରଶାସନକୁ ଲକ୍ଷେ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଆଉ ଏହାକୁ ସଙ୍ଗେ ସଙ୍ଗେ ନିଜ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ ଧର୍ମେନ୍ଦ୍ର । ରାଷ୍ଟ୍ରପତିଙ୍କୁ ଏହି ଅଭିଯାନରେ ସାମିଲ କରାଇ ଦେଶବିଦେଶରେ ରହୁଥିବା ଜଗନ୍ନାଥପ୍ରେମୀଙ୍କ ପାଇଁ ଧର୍ମେନ୍ଦ୍ର ବଡ ବାର୍ତ୍ତା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।

Comments (0)
Add Comment