ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର। ୨୬ ତାରିଖରେ ବାତ୍ୟା ଉତ୍ତର ଉପକୂଳ ଓଡିଶାରୁ ପଶ୍ଚିମବଙ୍ଗର ସୁନ୍ଦରବନ ଏବଂ ବାଂଲାଦେଶ ମଧ୍ୟରେ କୌଣସି ଏକ ସ୍ଥାନରେ ସ୍ଥଳଭାଗକୁ ଛୁଇଁପାରେ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । କିନ୍ତୁ ଏବେ ସୁଦ୍ଧା ଆଇଏମଡି ପକ୍ଷରୁ ବାତ୍ୟା ସମ୍ପର୍କରେ ସବିଶେଷ ସୂଚନା ଦିଆଯାଇନାହିଁ ବୋଲି ଏସଆରସି କହିଛନ୍ତି । ଏହାକୁ ଆଖିରେ ରଖି ସମସ୍ତ ଜିଲ୍ଲାକୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି ।
ଜିଲ୍ଲାପାଳମାନେ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରିବା ସହ ଶୁଖିଲା ଖାଦ୍ୟ ଆଦି ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଓଡ୍ରାଫ, ଏନଡିଆରଏଫ ଓ ଫାୟାର ସର୍ଭିସକୁ ପଠାଗଲାଣି । ଆମ ପାଖରେ ପର୍ୟ୍ୟାପ୍ତ ପରିମାଣର ଟିମ୍ ଅଛନ୍ତି ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ପଞ୍ଚାୟତ ଗୁଡ଼ିକୁ ସାମିଲ୍ କରି ସ୍ଥାନାନ୍ତରଣ ପକ୍ରିୟାକୁ ସଠିକ୍ ସମୟରେ କରିବା, କୌଣସି ଲୋକ ଯେଭଳି କଚ୍ଚା ଘରେ ରହିବେ ନାହିଁ ସେଥିପାଇଁ ପଦକ୍ଷେପ ନିଆଯାଇଛି । ଆଜି ଠାରୁ ସମୁଦ୍ର ମଧ୍ୟ ଭାଗକୁ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି ।
ସମ୍ଭାବ୍ୟ ବାତ୍ୟା ନେଇ ଓଗଊ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆଜି ଆଣ୍ଡାମାନ ଓ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି। ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବ। ୨୩ ତାରିଖରେ ଅବପାତର ରୂପ ନେବ। ୨୪ ତାରିଖରେ ବାତ୍ୟାରେ ରୂପାନ୍ତରିତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଏହା ପ୍ରଭାବରେ ୨୫ରୁ ଓଡ଼ିଶା ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ ହେବ। ସାଧାରଣତଃ ବାତ୍ୟା ଗତିପଥର ଡାହାଣ ପାର୍ଶ୍ୱରେ ଅଧିକ ପବନ ଓ ବର୍ଷା ହୁଏ। ବାତ୍ୟାର ବାମପଟ ଅର୍ଥାତ୍ ଓଡ଼ିଶା ଉପକୂଳ ଅଞ୍ଚଳ ମଧ୍ୟ ପ୍ରଭାବିତ ହେବ। ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗର କିଛି ଅଞ୍ଚଳ ଅଧିକ ପ୍ରଭାବିତ ହେବ। ଅବପାତରେ ପରିଣତ ହୋଇନଥିବାରୁ ଲ୍ୟାଣ୍ଡଫଲ୍ ସ୍ଥାନ ନିରୂପଣ ହୋଇନି।