ଫଟେଇଥିଲେ ଏବେ ଫଳ ଭୋଗୁଛନ୍ତି !

ପ୍ରଶାସିକାରୁ ସିଧା ରାଜନେତା ଆସନ ମଣ୍ଡନ କରିଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ନିଜ ନିର୍ବାଚନ ମଣ୍ଡଳୀରେ ବିରୋଧର ଶୀକାର ହେଇଛନ୍ତି । ତାହା ପୁଣି ନିଜ ଦଳର କର୍ମୀଙ୍କ ଦ୍ୱାରା  । ରାଜଧାନୀର ଭରତପୁର ଅଞ୍ଚଳରେ ପଦଯାତ୍ରା କରୁଥିବା ସମୟରେ ତାଙ୍କୁ ବିରୋଧ କରିଛନ୍ତି ସ୍ଥାନୀୟ ବିଜେପି କର୍ମୀ ।

ପ୍ରଶାସନିକ ଚାକିରୀ ଛାଡି ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ଯୋଗୁ ୨୦୧୯ରେ ସିଧାସଳଖ ତାଙ୍କୁ ମିଳିଥିଲା ସମ୍ମାନଜନକ ରାଜଧାନୀ ଭୁବନେଶ୍ୱରର ସାଂସଦ ଟିକେଟ । କିନ୍ତୁ ରାଜ୍ୟ ବିଜେପି ଉପରେ ତାଙ୍କର ଭରଷା ନଥିବା ପରି ଲାଗିଥିଲା । ସିଧାସଳଖ ନିଜେ ନିଜର ସଂଗଠନ ଗଢିବାରେ ଲାଗିପଡିଥିଲେ ସେ । କିନ୍ତୁ ଜାଣିପାରିଥିଲେ ଯେ ଭୁବନେଶ୍ୱରରେ ଜିତିବା ତାଙ୍କ ପାଇଁ ଗୋଟେ ପ୍ରକାର ଅସମ୍ଭବ । ତେଣୁ ନିଜ ଆଇଏଏସ ବୁଦ୍ଧି ଲଗାଇ ଉଦ୍ୟମ ଆରମ୍ଭ କରିଦେଇଥିଲେ । ଆଉ ତାଙ୍କର ଟାର୍ଗେଟରେ ଥିଲା ବିଜେପିର ସଂଗଠନ । ଏପରିକି ଭୁବନେଶ୍ୱର ଲୋକସଭା ଆସନ ଅନ୍ତର୍ଗତ ୭ଟି ବିଧାନସଭା ଆସନରେ ଦଳୀୟ ସଙ୍ଗଠନକୁ ଭାଙ୍ଗିବାକୁ ମଧ୍ୟ ପଛେଇ ନଥିଲେ ।

ପ୍ରଥମେ ଆକ୍ସନ ଆରମ୍ଭ ହୋଇଥିଲା ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରୁ । ବିଜେଡିର ଅସନ୍ତୁଷ୍ଟ ଯୁବନେତା ବାବୁ ସିଂ ଙ୍କୁ ଦଳକୁ ନେଇଥିଲେ ଓ ଟିକେଟ ମଧ୍ୟ ଦେଇଥିଲେ । ଯାହା ଫଳରେ ଏକାମ୍ରର ବିଜେପି ସଂଗଠକ ଓ ପୂର୍ବ ପ୍ରାର୍ଥୀ ଅମୀୟ ଦାଶଙ୍କୁ କୋଣଠେସା ହେବାକୁ ପଡିଥିଲା । ସେହିପରି ଉତ୍ତର ଭୁବନେଶ୍ୱର ପାଇଁ ଆଶାୟୀ ବିଜେପି ନେତା ଗୋଲକ ମହାପାତ୍ର ଓ ଦିଲ୍ଲୀପ ମହାନ୍ତିଙ୍କୁ ମଧ୍ୟ ବିଶ୍ୱାସକୁ ନେଇନଥିଲେ ଅପରାଜିତା । ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରି ନୂଆ ସମୀକରଣ ତିଆରି କରିଦେଇଥିଲେ । ଏପରିକି ମ୍ୟାଡାମ ଷଡଙ୍ଗୀ ନିଜର ଏକାନ୍ତ ବିଶ୍ୱସ୍ତ ତଥା ଟିକେଟ ଆଶାୟୀ ଥିବା ଯୁଗାଷ୍ଣୁ ପଣ୍ଡାଙ୍କୁ ମଧ୍ୟ ଧୋକ୍କା ଦେବାକୁ ପଛେଇନଥିଲେ ।ଫଳରେ ସେ ସ୍ୱାଧୀନ ଭାବରେ ଲଢ଼ିଥିଲେ ।

ଜଟଣୀ ନିର୍ବାଚନ ମଣ୍ଡଳୀରେ ମଧ୍ୟ ସମାନ ଫର୍ମୁଲା ଆପଣେଇଥିଲେ ଏହି ପୂର୍ବତନ ଆଇଏଏସ । ମୁଖପାତ୍ର ସୁଦୀପ୍ତ ରାୟଙ୍କ ବଦଳରେ ବିଶ୍ୱରଂଜନ ବଡ଼ଜେନାଙ୍କୁ ସମର୍ଥନ ଢାଳିଥିଲେ । ବୋଲଗଡ଼-ବେଗୁନିଆ ଆସନ ପାଇଁ ବିଜେଡି ନେତା ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦଙ୍କୁ ପ୍ରାର୍ଥୀ କରି ସେଠାରେ ସଂଗଠନ ଧରିଥିବା ଯତୀନ ମହାନ୍ତିଙ୍କୁ ବାଦ ଦିଆଯାଇଥିଲା । ଖୋର୍ଦ୍ଧାରେ କିନ୍ତୁ ପୂର୍ବରୁ ଟିକେଟ ନପାଇବା ସୁରାକ ପାଇ ବିଜେପି ନେତା ଜିତୁ ମିତ୍ର ବିଜେଡିକୁ ଲମ୍ଫ ଦେଇଦେଲେ । ଫଳରେ କାଳୁ ଖଣ୍ଡାୟତରାୟଙ୍କୁ ଟିକେଟ ଦେବାରେ କିଛି ଅସୁବିଧା ହୋଇନଥିଲା ।  ଜୟଦେବ ନିର୍ବାଚନ ମଣ୍ଡଳୀରେ ବିଜେପି ଦୁଇ ଜଣ ପ୍ରାର୍ଥୀଙ୍କ ଉପରେ ନଜର ରଖିଥିବା ବେଳେ ନରେନ୍ଦ୍ର ନାୟକଙ୍କୁ ଲଢ଼ିବାର ସୁଯୋଗ ଦିଆଯାଇଥିଲା । କିନ୍ତୁ ଅନ୍ୟ ଆଶାୟୀ ନବ କିଶୋର ମଲ୍ଲିକ ସ୍ୱାଧୀନ ଭାବରେ ଲଢ଼ି ଦ୍ଵିତୀୟ ସ୍ଥାନରେ ରହିଥିଲେ ।

କିନ୍ତୁ ଏ ସବୁ ଭିତରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଜେପିର ସଙ୍ଗଠନକୁ ଏମିତି କୌଶଳପୂର୍ଣ୍ଣ ଭାବରେ ଭଙ୍ଗାଯାଇଥିଲା ଯେ ନା ଦଳୀୟ କର୍ମୀ ନା ନେତା ଅସଲ ଉଦ୍ଦେଶ୍ୟ ବୁଝିପାରିଥିଲେ । ଟିକେଟ ପାଇଥିବା ଓ ପାଇନଥିବା ନେତା ଏବଂ ତାଙ୍କ ସମର୍ଥକଙ୍କ ଭିତରେ ଆରମ୍ଭ ହୋଇଯାଇଥିଲା ଗୃହଯୁଦ୍ଧ ।  ବିଧାନସଭା ଭୋଟ ପାଇଁ ସିନା କଳି ଲାଗିଲା , କିନ୍ତୁ ଉପର ଭୋଟ ଅର୍ଥାତ ସଂସଦୀୟ ଆସନ ପାଇଁ ଉଭୟ ଗୋଷ୍ଠୀର ଭୋଟ ହାତେଇଥିଲେ ମ୍ୟାଡାମ ଅପରାଜିତା ।

ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଓ ରାଜ୍ୟରେ ବିଭିନ୍ନ ଉଚ୍ଚ ପଦବୀରେ ରହିସାରିଥିବା ଅପରାଜିତା ଭୁବନେଶ୍ୱରରୁ ଲଢ଼ିବା ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା ସେତେବେଳେ । ସମସ୍ତେ ଆଶା କରୁଥିଲେ ଯେ ଅପରାଜିତା ନିଜ ପୂର୍ବ ଲୋକପ୍ରିୟତା ବଳରେ ଏକପାଖିଆ ବିଜୟ ଲାଭ କରିବେ । କିନ୍ତୁ ମାତ୍ର ତେଇଶି ହଜାରରୁ ସାମାନ୍ୟ ଅଧିକା ଭୋଟରେ ଜିତିଥିଲେ ସେ । ବିଜେଡିରୁ ଲଢ଼େଇକୁ ଓହ୍ଲାଇଥିବା ପୂର୍ବତନ ଆଇପିଏସ ଅରୂପ ପଟ୍ଟନାୟକଙ୍କ ପ୍ରଚାର ଶୈଳୀ ମଧ୍ୟ ତାଙ୍କୁ ସୁହାଇଥିଲା । କାରଣ ଅରୂପ ତାଙ୍କର ପୋଲିସିଆ ସ୍ଵଭାଵ ଯୋଗୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରିନଥିଲେ । ତେଣୁ ନିଜ ତୃଣମୂଳ ସଂଗଠନକୁ ଭାଙ୍ଗିବା ଓ ବିଜେଡି ପ୍ରାର୍ଥୀଙ୍କ ମନ୍ଥର ଶୈଳୀ ଯୋଗୁ ଅପରାଜିତା ଭୁବନେଶ୍ୱର ଆସନ ହାତେଇଥିବା ଆଲୋଚନା ହୁଏ ।

ତେବେ ପାଖାପାଖି ଦେଢ଼ ବର୍ଷ ପରେ ଏବେ ଏହାର ପ୍ରଭାବ ଦେଖିବାକୁ ମିଳିଛି । କାରଣ ଏହାରି ଭିତରେ ଅପରାଜିତା ବିଜେପି ସଂଗଠନ ଠାରୁ ଦୂରେଇ ନିଜର ସମାନ୍ତରାଳ ସଂଗଠନ ଗଢିଛନ୍ତି । ଆଉ ଯାହାକୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ ନେତା ଓ କର୍ମୀ । ଭରତପୁରରେ ନିଜ ଦଳ ପକ୍ଷରୁ ବିରୋଧର ସାମ୍ନା କରିଥିବା ଅପରାଜିତା ଆଗକୁ ଆହୁରି ଯେ ଅଧିକ ହଟ୍ଟାହଟ୍ଟା ନହେବେ ତାହା କହିହେବ ନାହିଁ ।

Comments (0)
Add Comment