ପିପିଲି ଫାଇଟ ପାଇଁ ବାଜିଛି ବିଗୁଲ । ଆଉ ଏହାସହ ଉଷ୍ମ ହୋଇଛି ରାଜ୍ୟ ରାଜନୀତି । ଆସନ୍ତା ଏପ୍ରିଲ ୧୭ରେ ପିପିଲି ଉପ-ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପରେ ତତ୍ପର ହୋଇ ଉଠିଛି ଉଭୟ ବିଜେଡି-ବିଜେପି ଶିବିର । ପିପିଲି ଆସନରେ ବିଜୟ ବାନା ଉଡାଇବା ଏବେ ଦୁଇ ଦଳ ପାଇଁ ସମ୍ମାନର ଲଢେଇ ଭାବେ ଉଭା ହୋଇଛି । ଖାସକରି ନୂଆକରି ରାଜ୍ୟ ବିଜେପିର ପ୍ରଭାରୀ ଦାୟିତ୍ୱ ପାଇଥିବା ଡି. ପୁରେନ୍ଦେଶ୍ୱରୀଙ୍କ ପାଇଁ ପିପିଲି ସବୁଠୁ ବଡ ପରୀକ୍ଷା ଭାବେ ଉଭା ହେବାକୁ ଯାଉଛି । କାରଣ ଦୀର୍ଘ ୨ ଦଶନ୍ଧି ଧରି ବିଜେଡିର ଗଡ ରହି ଆସିଥିବା ପିପିଲିରେ ଧସେଇ ପଶିବା ପାଇଁ ପଦ୍ମ ଦଳ ନିକଟରେ ସୁଯୋଗ ରହିଛି । ତେଣୁ ତାରିଖ ଘୋଷଣା ସହ ଆକ୍ଟିଭ ମୋଡକୁ ଆସିଛନ୍ତି ପୁରେନ୍ଦେଶ୍ୱରୀ ।
ପିପିଲି ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର କିଛି ଘଣ୍ଟା ମଧ୍ୟରେ ପଦ୍ମ ଶିବିରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ପୁରୀ ଜିଲ୍ଲାର ନେତାଙ୍କୁ ନେଇ ପ୍ରଭାରୀ ପୁରେନ୍ଦେଶ୍ୱରୀଙ୍କ କବାଟ କିଳା ବୈଠକ ହିଁ ଏଭଳି ସଂକେତ ଦେଉଛି । ଉପନିର୍ବାଚନ ପାଇଁ ଏଭଳି ତତ୍ପରତା ହିଁ ଦର୍ଶାଉଛି ଯେ, ପୁରେନ୍ଦେଶ୍ୱରୀଙ୍କ ପାଇଁ ପିପିଲି କେତେ ଗୁରୁତ୍ୱପୂର୍ଣ୍ଣ? ପୁରେନ୍ଦେଶ୍ୱରୀ ପିପିଲି ଉପନିର୍ବାଚନକୁ ଗୁରୁତ୍ୱ ଦେବା ପଛର ସବୁଠୁ ବଡ କାରଣ ହେଲା ଓଡ଼ିଶାରେ ଏହା ତାଙ୍କର ପ୍ରଥମ ପଲିଟିକାଲ ପରୀକ୍ଷା । ଆଉ ତାହା ବି ପୁଣି ବିଜେଡିର ସବୁଠୁ ସୁରକ୍ଷିତ ଗଡ କୁହାଯାଉଥିବା ପିପିଲି ଆସନରେ । ତେଣୁ ଏହି ପରୀକ୍ଷାରେ ପରାଜୟର ସ୍ୱାଦ ଚାଖିବା ବଦଳରେ ସବୁଜ ଗଡକୁ ଗେରୁଆମୟ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବେ ପୁରେନ୍ଦେଶ୍ୱରୀ । ଯେଉଁଥିପାଇଁ ଏବେଠୁ କସରତ ଆରମ୍ଭ କରିଛନ୍ତି ବିଜେପିର ଏହି ମହିଳା ପ୍ରଭାରୀ । ତେବେ ଏହି ପରୀକ୍ଷାରେ ପୁରେନ୍ଦେଶ୍ୱରୀ କେତେ ସଫଳ ହେବେ ତାହାକୁ ନେଇ ପ୍ରଶ୍ନବାଚୀ ଛିଡା ହୋଇଛି?
ଏଭଳି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ଦୀର୍ଘ ୨ ଦଶନ୍ଧି ହେବ ପିପିଲି ବିଜେଡିର ଗଡ ରହି ଆସିଛି । ମହାରଥୀଙ୍କ ଦେହାନ୍ତ ପରେ ମଧ୍ୟ ବିଜେଡି ପାଇଁ ମହାରଥୀଙ୍କ ନାଁରେ ବଡ ଭୋଟବ୍ୟାଙ୍କ ରହିଛି । ଏହାବାଦ୍ ବିଜେଡି ଯଦି ମହାରଥୀଙ୍କ ପରିବାରରୁ କାହାକୁ ଟିକେଟ ଦିଏ ତେବେ ଉପ-ନିର୍ବାଚନରେ ମହାରଥୀଙ୍କ ନାଁରେ ସହାନୁଭୂତି ଭୋଟ ସାଉଁଟିବାରେ ସଫଳ ହେବ । ଏଭଳି ସ୍ଥିତିରେ ବିଜେଡିକୁ ବ୍ୟାକଫୁଟକୁ ଠେଲିଦେଇ ବିଜେପିର ବିଜୟ ବାନା ଉଡାଇବା ପୁରେନ୍ଦେଶ୍ୱରୀଙ୍କ ପାଇଁ ଏତେ ସହଜ ହେବନି । ଅନ୍ୟପଟେ ପୁରେନ୍ଦେଶ୍ୱରୀ ଆଜି ଯେଉଁଭଳି ତରବରିଆ ଭାବେ ବୈଠକ ଡାକି ପୁରୀ ନେତାଙ୍କ ସହ ଆଲୋଚନା କରି ପିପିଲି ଉପ-ନିର୍ବାଚନ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କଲେ, ତାହା କେଉଁଠି ନା କେଉଁଠି ସୂଚାଉଛି ଯେ, ଦଳର ହେଭିୱେଟ ନେତାଙ୍କୁ ପୁରେନ୍ଦେଶ୍ୱରୀ ସାଇଡଲାଇନ କରୁଛନ୍ତି । ଯାହାକୁ ନେଇ ଦଳ ଭିତରେ ଅସନ୍ତୋଷର ନିଆଁ କୁହୁଳୁଛି । ତେଣୁ ଦଳୀୟ ଏକାଠି କରି ଚାଲିବା ଓ ପିପିଲି ପରୀକ୍ଷାରେ ପାସ୍ ହେବା ପୁରେନ୍ଦେଶ୍ୱରୀଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ପାଲଟିପାରେ ।
ଏସବୁ ଭିତରେ ପୁରେନ୍ଦେଶ୍ୱରୀଙ୍କୁ ଯାହା ଆଶ୍ୱସ୍ତ କରିଛି ତାହା ହେଲା ୨୦୧୯ ନିର୍ବାଚନର ଫଳାଫଳ । ଯେଉଁ ଫଳାଫଳକୁ ଆଧାର କରି ପିପିଲି ପରୀକ୍ଷା ପାସ୍ କରିଯିବେ ବୋଲି ପୁରେନ୍ଦେଶ୍ୱରୀ ଆଶା ବାନ୍ଧି ବସିଛନ୍ତି । ୨୦୧୯ ନିର୍ବାଚନରେ ପିପିଲି ଆସନରେ ବଜେପି-ବିଜେଡି ମଧ୍ୟରେ ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିଥିଲା । ବିଜେଡିର ହେଭିୱେଟ ପ୍ରଦୀପ ମହାରଥୀ ଓ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ମଧ୍ୟରେ କ୍ଲୋଜ ଫାଇଟ ହୋଇଥିଲା । ବିଜୟ ସହ ବିଜେଡି ଗଡ ବଞ୍ଚାଇ ରଖିବାରେ ସକ୍ଷମ ହୋଇଥିଲା ସତ କିନ୍ତୁ ବିଜେପିର ଭୋଟ ହାର ବିଜେଡି ପାଇଁ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଥିଲା । ୭୦ ହଜାରରୁ ଅଧିକ ଭୋଟ ପାଇ ଆଶ୍ରିତ ପଟ୍ଟନାୟକ ବିଜେଡି ପାଇଁ ସର୍ତକଘଣ୍ଟି ବଜାଇଥିଲେ । ତେବେ ପ୍ରଦୀପଙ୍କ ଦେହାନ୍ତ ପରେ ଏବେ ପିପିଲି ରାଜନୀତିରେ ଆଶ୍ରିତ ବଡ ଚେହେରା ଭାବେ ଉଭା ହୋଇଛନ୍ତି । ତେଣୁ ଆଶ୍ରିତଙ୍କୁ ପ୍ରାର୍ଥୀ କରି ପିପିିଲି ଆସନ ହାତେଇବା ପାଇଁ ଆଶା ରଖିଛନ୍ତି ପୁରେନ୍ଦେଶ୍ୱରୀ । କିନ୍ତୁ ନବୀନଙ୍କ ଋଣନୀତି ଆଗରେ ସବୁବେଳେ ବିରୋଧୀ ଫେଲ ମାରୁଥିବା ପୁରେନ୍ଦେଶ୍ୱରୀ ଏହି ତାଲିକାରେ ସାମିଲ ହେଉଛନ୍ତି ନା ପ୍ରଥମ ପରୀକ୍ଷାରେ ପାସ୍ ହେଉଛନ୍ତି ତାହା ଦେଖିବା ବାକି ରହିଲା ।