ଆଜିଠୁ ତିନିଦିନ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଆଜି ଗଣେଶ ପୂଜା ଥିବାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଛି । ସେପଟେ ପୂର୍ବ ଏସ୍ଓପି ଅନୁଯାୟୀ ଶନିବାର ଓ ରବିବାର ବି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ । ଲଗାତର ତିନିଦିନ ଶ୍ରୀମନ୍ଦିର ବନ୍ଦ ରହିବା ପରେ ସୋମବାରଠାରୁ ଭକ୍ତମାନେ ପରିବର୍ତ୍ତିତ ନୂଆ ଏସ୍ଓପି ଅନୁଯାୟୀ ମହାପ୍ରଭୁଙ୍କ ଦର୍ଶନ କରିବେ ।
ସୋମବାରଠାରୁ ନୂଆ କଟକଣାରେ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । କେବଳ ରବିବାର ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ । ବାକି ୬ ଦିନ ଭକ୍ତମାନେ ସକାଳ ୭ଟାରୁ ୯ଟା ପର୍ୟ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ସେପଟେ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ କଟକଣା ହଟାଇ ଦିଆଯାଇଥିବାରୁ ସୋମବାରଠାରୁ ଭକ୍ତମାନେ ଆନନ୍ଦବଜାରରେ ବସି ସପରିବାର ମହାପ୍ରସାଦ ସେବନ କରିପାରିବେ । ମହାପ୍ରଭୁଙ୍କ ପାଇଁଫୁଲ, ଦୀପ, ଧୂପ ନେଇ ଶ୍ରୀମନ୍ଦିରକୁ ଯାଇପାରିବେ ।