ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ଜଣେ ଗିରଫ..ପୁରୀ ଏସପି ଦେଲେ ସୂଚନା

ପୁରୀ ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ତାଙ୍କ ନାମ ଜେ ମହାପାତ୍ର ବୋଲି ଜଣାପଡିଛି । ପୁରୀ ଏସପି କନଓ୍ୱର ବିଶାଲ ସିଂ ଏନେଇ ସୂଚନା ଦେଇଛନ୍ତି । ସେହି ବ୍ୟକ୍ତି ଜଣକ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆପଡା ଅଞ୍ଚଳର ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି । ଅନ୍ୟପଟେ ପ୍ରାଥମିକ ପଚରାଉଚରାରୁ ଅଭିଯୁକ୍ତ ଜଣକ ନିଜର ଦୋଷ ସ୍ୱୀକାର କରିନେଇଛନ୍ତି ବୋଲି ଜଣାପଡିଛି ।
ଏସପିଙ୍କ ସୂଚନା ମୁତାବକ, ସେହି ବ୍ୟକ୍ତି ଜଣକ ପ୍ରଥମେ ଶ୍ରୀମନ୍ଦିରରେ ପଶି ମହାପ୍ରଭୁଙ୍କ ଦର୍ଶନ କରିଥିଲା । ଏହାପରେ କୌଣସି କଥା ତାକୁ ଭଲ ନଲାଗିବା କାରଣୁ ସେ ଏପରି କାମ କରିଛି । ଏହାସହିତ ଗିରଫ ହେବା ପରେ ସେ ନିଜକୁ ଜଣେ ଜଗନ୍ନାଥଙ୍କ ଭକ୍ତ ବୋଲି ପୋଲିସକୁ ସୂଚନା ଦେଇଛି । ଗତକାଲି ଖୋର୍ଦ୍ଧା ଅଞ୍ଚଳରୁ ଅଭିଯୁକ୍ତକୁ ଧରିଥିଲା ପୁରୀ ପୋଲିସ । ତାଙ୍କୁ ପୁରୀ ଆଣି ପଚରାଉଚରା କରାଯାଇଥିଲା । ସେ କାହିଁକି ରୋଷ ଘର ଚୁଲି ଭାଙ୍ଗିଲେ ସେନେଇ ପୋଲିସ ପଚରାଉଚରା କରିଥିଲା ।
ଗତ ୨ ତାରିଖ ଦିନ ଘଟିଥିଲା ଏହି ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ମହାଲକ୍ଷ୍ମୀଙ୍କ ରୋଷଘରେ ପଶି ୪୦ରୁ ଅଧିକ ଚୁଲି ଭଙ୍ଗା ଯାଇଥିଲା । ଘଟଣା ଜଣାପଡିବା ପରେ ଖୋଳତାଡ ହୋଇଥିଲା । ସିସିଟିଭି ଫୁଟେଜରୁ ଚିହ୍ନଟ ହୋଇଥିଲା ସନ୍ଦିଗ୍ଧର ଚେହେରା । ସିସିଟିଭିରୁ ସନ୍ଦିଗ୍ଧ ଫଟୋ ବାହାର କରି ବିଭିନ୍ନ ସ୍ଥାନରେ ଖୋଜିଥିଲା ପୋଲିସ । ଶେଷରେ ଜିଲ୍ଲା ବାହାରୁ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି ପୁଲିସ ।

Comments (0)
Add Comment