ପୁଣି ବଢିଲା ଅପେକ୍ଷା ଜଗା ଦର୍ଶନରେ ବାଧକ ସାଜିଛି ମହାମାରୀ । ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ବଢିଲା କଟକଣା । ଜୁନ ୧୫ ଯାଏଁ ଶ୍ରୀମନ୍ଦିରରେ ଭକ୍ତଙ୍କୁ ପ୍ରବେଶ ମନା । କରୋନା ସଂକ୍ରମଣ ବଢିବା ପରେ ଆଜି ଯାଏଁ ଜଗା ଦର୍ଶନ ଉପରେ କଟକଣା ଲାଗୁ କରାଯାଇଥିଲା, କିନ୍ତୁ ଏବେ ସଂକ୍ରମଣ ଉପର ମୁହାଁ ଥିବା ବେଳେ ଏହି କଟକଣାକୁ ଜୁନ ୧୫ ଯାଏଁ ବଢାଯାଇଛି । ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନର ସମୀକ୍ଷା ବୈଠକରେ ଏନେଇ ନିଷ୍ପତି ନିଆଯାଇଛି ।
କାଳିଆ ଦର୍ଶନ ପାଇଁ କାହିଁ କେତେ ଦୂର ଭକ୍ତଙ୍କଟିଏ ଧାଇଁ ଆସିଥାଏ । କିନ୍ତୁ ଏବେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବାଧକ ସାଜିଛି ସଂକ୍ରମଣ । ମହାମାରୀ ପାଇଁ ଭକ୍ତଙ୍କ ପାଇଁ ବନ୍ଦ ରହିଛି ମହାପ୍ରଭୁଙ୍କ ଦର୍ଶନ । ସ୍ୱଳ୍ପ ସେବାୟତଙ୍କୁ ନେଇ ନୀତିକାନ୍ତି ଜାରି ରହିବ ବୋଲି ନିଷ୍ପତି ନିଆଯାଇଛି । କରୋନାର ପ୍ରଥମ ପର୍ଯ୍ୟାୟରେ ମଧ୍ୟ ପାଖାପାଖି ୯ ମାସ ଧରି ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିଲା । ହେଲେ ପ୍ରଥମ ପର୍ଯ୍ୟାୟଠୁ ବଳିଯାଇଛି ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ । ଦ୍ୱିତୀୟ ଲହର ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଥିବା ରାଜ୍ୟରେ ସ୍ଥିତି ଅସମ୍ଭାଳ ହୋଇପଡିଛି । ଶ୍ରୀମନ୍ଦିରର ଅନେକ ସେବାୟତ ଓ ଶ୍ରୀମନ୍ଦିର ସହ ଜଡିତ ଥିବା ଅନେକ କର୍ମଚାରୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛି ।
ତେବେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଅବଧି ବୃଦ୍ଧି କରାଯାଇଥିବା ବେଳେ ଚନ୍ଦନଯାତ୍ରା, ସ୍ନାନଯାତ୍ରା ଓ ରଥଯାତ୍ରା ନୀତିକାନ୍ତି କଟକଣାରେ ଭିତରେ ହେବାକୁ ନିଷ୍ପତି ନିଆଯାଇଛି । ଅକ୍ଷୟ ତୃତୀୟାରୁ ମହାପ୍ରଭୁଙ୍କ ଚନ୍ଦନ ଯାତା ଆରମ୍ଭ ହୋଇଛି । ସେହିପରି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥଖଳାରେ ୩ ରଥ କାମ ଜୋରସୋରରେ ଆରମ୍ଭ ହୋଇଛି ।