ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପରେ ଛୋଟ ହେଲା ବ୍ୟାରକେଡ଼ । ବିନା କୋଭିଡ ରିପୋର୍ଟରେ ଶ୍ରୀମନ୍ଦିରକୁ ପ୍ରବେଶ ନେଇ ଅନୁମତି ପରେ ଜଗାକୁ ଦେଖିବାକୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଥିଲା ।ତେବେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ବ୍ୟାରିକେଡ଼ର ବ୍ୟବସ୍ଥା କରାଯାଇଥିଲା । ଫଳରେ ଭକ୍ତଙ୍କୁ ୨ କିଲୋମିଟର ଯାଏ ଚାଲି ଚାଲି ଯିବାକୁ ପଡିଥିଲା । ତେବେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ପରେ ଏବେ ମାର୍କେଟ ଛକରୁ ବ୍ୟାରିକେଡ଼ ହଟାଇ ମରିଚକୋଟରୁ ଶ୍ରୀମନ୍ଦିର ଯାଏ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି ।
ଏବେ ପୁରୀ ମାର୍କେଟ ଛକରୁ ନୁହେଁ ମରିଚକୋଟରୁ ଶ୍ରୀମନ୍ଦିର ଯାଏ ବ୍ୟାରିକେଡ଼ ରହିଛି । ଫଳରେ ଜଗାକୁ ଦେଖିବାକୁ ଭକ୍ତକୁ ଆଉ ବେଶି ବାଟ ଚାଲିବାକୁ ପଡିବନି । ଅନେକ ବାଟ ଚାଲିବାକୁ ପଡ଼ୁଥିବାରୁ ବରିଷ୍ଠ ନାଗରିକମାନେ ଏଥିପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଶ୍ରୀମନ୍ଦିର ଖୋଲିବା ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିଲା । କୋଭିଡ ରିପୋର୍ଟ ବାଧ୍ୟତାମୂଳକ ଥିବାରୁ ଦୂର ଦୂରନ୍ତାରୁ ଆସୁଥିବା ଭକ୍ତମାନେ ଜଗା ଦର୍ଶନ ନକରି ଫେରିଯାଉଥିଲେ । ଏହାକୁ ନଜର ରଖି ବିନା କୋଭିଡ ରିପୋର୍ଟରେ ଜଗା ଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା ।
ମହାମାରୀ କୋଭିଡ ପାଇଁ ଗତ ୯ ମାସ ପରେ ଡିସେମ୍ବର ୨୩ରେ ଶ୍ରୀମନ୍ଦିର ଖୋଲିଥିଲା । ପ୍ରଥମେ ସେବାୟତ ଓ ପୁରୀ ବାସୀଙ୍କୁ ଦର୍ଶନ ପାଇଁ ଅଗ୍ରାଧିକାର ଦିଆଯାଇଥିଲା । ଏହା ପରେ ଜାନୁଆରୀ ୩ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିଥିଲା ଶ୍ରୀମନ୍ଦିର । କିନ୍ତୁ ମନ୍ଦିରକୁ ପ୍ରବେଶ କରିବାକୁ ହେଲେ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିଲା । ତେବେ ଭକ୍ତ ମାନେ ହଇରାଣ ହେବାରୁ ଏବେ କଟକଣା ମୁକ୍ତ ଜଗା ଦର୍ଶନ ପାଇଁ ଅନୁମତି ଦିଆଯାଇଛି ।