ୟୁକ୍ରେନରେ ନରସଂହାର ପରେ ବିଜୟ ଶପଥ ନେଲେ ପୁଟିନ

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ ଉପରେ ବିଜୟର ଶପଥ ଗ୍ରହଣ କରିଛନ୍ତି । ୟୁକ୍ରେନରେ ଋଷ ଯୁଦ୍ଧର ମହତ୍ ଉଦ୍ଦେଶ୍ୟ ହାସଲ କରିବ ବୋଲି ପୁଟିନ୍ ଏହି ଶପଥ ଗ୍ରହଣ ଦିବସରେ କହିଛନ୍ତି । ବିଭିନ୍ନ କଟକଣା ଲଗାଇ ଋଷକୁ ଅର୍ଥନୈତିକ ସ୍ତରରେ ଦେବାଳିଆ କରିବାକୁ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡିକର ଚେଷ୍ଟା କରୁଥିବାବେଳେ ଏହା ବିଫଳ ହୋଇଛି ବୋଲି ପୁଟିନ ଦୃଢତାର ସହ କହିଛନ୍ତି । ପ୍ରତିପକ୍ଷ ଆଲେକଜାଣ୍ଡାର ଲୁକାସେଙ୍କୋଙ୍କ ସହ ଆଲୋଚନାରେ ପୁଟିନ୍ କହିଛନ୍ତି , ୟୁକ୍ରେନ ସହ ଯୁଦ୍ଧ କରିବା ନିହାତି ଜରୁରୀ ଥିଲା । ଋଷ ଭାଷାଭାଷି ଲୋକ ରହୁଥିବା ଡୋନବାସ୍ ଅଞ୍ଚଳର ସୁରକ୍ଷା ପାଇଁ ତାଙ୍କ ନିକଟରେ କୌଣସି ବିକଳ୍ପ ନଥିଲା । ଏଥିସହ ମସ୍କୋର ଶତ୍ରୁମାନଙ୍କ ସହ ପୂର୍ବ ସୋଭିଏତ୍ ସଂଘର ଏହି ଦେଶକୁ ଋଷ ବିରୋଧୀ ହେବାକୁ ରୋକିବାକୁ ଆବଶ୍ୟକ ଥିଲା ।
ସେପଟେ , ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ବର୍ଷିଲେ ବାଇଡେନ । ଜଣେ ଏକଛତ୍ରବାଦୀ ଶାସକଙ୍କ ଦ୍ୱାରା ଏହି ଗଣହତ୍ୟା ଜାରି ରହିଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ପ୍ରଥମ ଥର ଲାଗି ବାଇଡେନ ଗଣହତ୍ୟା ଶବ୍ଦର ପ୍ରୟୋଗ କରିଛନ୍ତି । ଗତ ସପ୍ତାହରେ ପୁଟିନ ଜଣେ ଯୁଦ୍ଧ ଅପରାଧୀ ବୋଲି ଦର୍ଶାଇଥିଲେ ବାଇଡେନ । ସେପଟେ ଋଷ କବଜାରେ ଥିବା ଯୁଦ୍ଧବନ୍ଦୀଙ୍କୁ ମୁକ୍ତ କରାଗଲେ ୟୁକ୍ରେନ କବଜାରେ ଥିବା ବନ୍ଦୀମାନଙ୍କୁ ମୁକ୍ତ କରାଯିବ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।

Comments (0)
Add Comment