ସ୍ୱାସ୍ଥ୍ୟ ବିଭାଗକୁ ଅସୁସ୍ଥ କରୁଛନ୍ତି ନବ !

ନବୀନଙ୍କୁ ବଦନାମ କରିଦେବେ କି ନବ । ଆଜ୍ଞା ହଁ ଆମେ କହୁଛୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ କଥା । ଯିଏ ମୁହଁ ଖୋଲିଲେ ସରକାରଙ୍କ ମୁଣ୍ଡବ୍ୟଥା ହେଉଛି ଲବଂ ବିରୋଧୀଙ୍କୁ ବିତର୍କ ପାଇଁ ନୂଅ ମୁଦ୍ଦା ମିଳିଯାଉଛି । ଦୀର୍ଘ ଦିନ ଧରି ଅଜ୍ଞାତବାସରେ ଥିବା ନବ ମହାମାରୀ କରୋନାକୁ ନେଇ ପଦୁଟିଏ କହୁନଥିବା ବେଳେ ବ୍ଲାକ ଫଙ୍ଗସକୁ ନୂଆ ମହାମାରୀ ଭାବେ ମନଇଚ୍ଛା ଘୋଷଣା କରିଛନ୍ତି । ଆଉ ନବଙ୍କ ଏହି ବୟାନ ଏବେ ସରକାରଙ୍କ ବ୍ଲଡପ୍ରେସରକୁ ବଢାଇ ଦେଇଛି । ଯେଉଁଥିପାଇଁ ଖୋଦ ବିଭାଗକୁ ସାମ୍ନାକୁ ଆସି ସ୍ପଷ୍ଟୀକରଣ ରଖିବାକୁ ପଡିଛି ।

ବ୍ଲାକ ଫଙ୍ଗସକୁ ମହାମାରୀ ଭାବେ ଘୋଷଣା କରିଥିବା ନେଇ ରାଜ୍ୟବାସୀଙ୍କୁ ଗୁରୁବାର ସନ୍ଧ୍ୟାରେ ସୂଚନା ଦେଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ମିଡିଆରେ ମୁହଁ ଦେଖାଉନଥିବା ନବ ଏକ ଛୋଟ ଭିଡ଼ିଓ ମାଧ୍ୟମରେ ଏହି କଥା ସ୍ପଷ୍ଟ କରିଥିଲେ । ଯେହେତୁ ବିଭାଗୀୟ ମନ୍ତ୍ରୀ କହୁଛନ୍ତି ତେଣୁ ଏହାକୁ ଅବିଶ୍ୱାସ କରିବାର କୌଣସି ଅବକାଶ ମଧ୍ୟ ନଥିଲା । ଆଉ ଗଣମାଧ୍ୟମର ପ୍ରାଇମ ଟାଇମ ବୁଲେଟିନରେ ଏହାକୁ ଯଥେଷ୍ଟ ପ୍ରାଥମିକତା ଦିଆଗଲା । ଖବରଟି ବିଜୁଳି ବେଗରେ ପ୍ରଚାରିତ ହେବା ପରେ ଅକଳରେ ପଡିଥିଲେ ସରକାର । ଆଉ ଏହାର କିଛି ଘଣ୍ଟା ପରେ ନବଙ୍କ ବୟାନ ଉପରେ ଛକି ଚିହ୍ନ ପକାଇଥିଲା ସ୍ୱାସ୍ଥ୍ୟ ବିଭାଗ । ଅଥାର୍ତ ବ୍ଲାକ ଫଙ୍ଗସକୁ ରାଜ୍ୟ ସରକାର ଏଯାଏଁ ମହାମାରୀ ଭାବେ ଘୋଷଣା କରିନଥିବା ନେଇ ସ୍ପଷ୍ଟ କରିଥିଲା ସ୍ୱାସ୍ଥ୍ୟ ବିଭାଗ ।

ବ୍ଲାକ ଫଙ୍ଗସକୁ ମହାମାରୀ ନୁହେଁ ବରଂ ନୋଟିଫାଇବଲ ରୋଗ ଭାବେ ଗ୍ରହଣ କରାଯାଇଥିବା ନେଇ ସୂଚନା ଦେଇଥିଲା ବିଭାଗ । ଅଥାର୍ତ ଏହି ରୋଗ ବାବଦରେ ଟିକିନିକି ସୂଚନା ସରକାରଙ୍କ ପାଖରେ ଉପଲବ୍ଧ ରହିବ । ଯାହା ଲୋକଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତ କରିଥିଲା । କାରଣ କରୋନା ମହାମାରୀ ସହ ଯୁଦ୍ଧ ଶେଷ ହୋଇନଥିବା ବେଳେ ବ୍ଲାକ ଫଙ୍ଗସକୁ ମହାମାରୀ ରୂପ ଦେବା ଲୋକଙ୍କ ମନରେ କେଉଁଠି ନା କେଉଁଠି ଭୟ ସୃଷ୍ଟି କରିଥିଲା । ତେବେ ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ସରକାରଙ୍କ ନାଁ ନେଇ ନବ ଏତେବଡ ଘୋଷଣା କରିବା ପୂର୍ବରୁ ବିଭାଗ ସହ କୌଣସି ବୈଠକ କରିଥିଲେ କି? ବ୍ଳାକ ଫଙ୍ଗସକୁ ନେଇ ସମୀକ୍ଷା ବିନା ଏମିତି ଘୋଷଣା କରିବା କେତେଦୂର ଯୁକ୍ତିଯୁକ୍ତ । ଏଭଳି ଘୋଷଣା କରି ନବ ନିଜକୁ ପାୱାରଫୁଲ ବୋଲି ଦର୍ଶାଇବାକୁ ଚାହୁଁଛନ୍ତି ନା ସରକାରଙ୍କୁ ବାରମ୍ବାର ବଦନାମ କରିବାକୁ ଚାହୁଁଛନ୍ତି ।

ଏକଥା ଆମେ ଏଥିପାଇଁ କହୁଛୁ କାରଣ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ନବ ଲଗାତାର ଏମିତି ଅନେକ ଘୋଷଣା ଓ ବୟାନ ରଖିଛନ୍ତି ଯାହାକୁ ନେଇ ସରକାର ବାରମ୍ବାର ଅକଳରେ ପଡିଛନ୍ତି । ସେ ଭଦ୍ରକକୁ ମେଡିକାଲ କଲେଜ କଥା ହେଉ ବା ମହାମାରୀ ସମୟରେ ମାସ୍କ ଦୁର୍ନୀତି ପ୍ରସଙ୍ଗରେ ଦ୍ୱନ୍ଦ୍ୱାତ୍ମକ ବୟାନ ରଖିବା, ପ୍ରତିଟି ଘଟଣାରେ ନବୀନ ସରକାର ପାଇଁ ଅଡୁଆ ସୃଷ୍ଟି କରିଛନ୍ତି ନବ । ବଡ ବଡ ଘୋଷଣା କରି ନବ ବାହାବା ନେଉଛନ୍ତି ସତ କିନ୍ତୁ ତାହା କ୍ଷଣସ୍ଥାୟୀ । କାରଣ ନବଙ୍କ ପ୍ରତିଟି ଘୋଷଣାର କିଛି ଘଣ୍ଟା ପରେ ଏଥିରେ ଛକିଚିହ୍ନ ଟାଣୁଛି ବିଭାଗ । ଯାହା ଦର୍ଶାଉଛି ସ୍ୱାସ୍ଥ୍ୟ ବିଭାଗରେ ମନ୍ତ୍ରୀ ଓ ଅଫିସରଙ୍କ ମଧ୍ୟରେ ସମନ୍ୱୟ ବା ତାଳମେଳ ରହୁନାହିଁ । ତାଳମେଳ ରହିବ ବା କେମିତି, ମହାମାରୀ ବେଳେ ମନ୍ତ୍ରୀ ଭୁବନେଶ୍ୱରରେ ରହି ସ୍ଥିତିର ସମୀକ୍ଷା କରିବା ବଦଳରେ କେଉଁ ଅଜ୍ଞାତସ୍ଥାନରେ ଡେରା ପକାଇଛନ୍ତି । ତେଣୁ ରାଜଧାନୀରେ କଣ ନିଷ୍ପତି ନିଆଯାଉଛି ବୋଧହୁଏ ସେ ବାବଦରେ ଅବଗତ ହୋଇପାରୁନାହାନ୍ତି ନବ । ଏଭଳି ଜଣେ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗକୁ ଅସୁସ୍ଥ କରୁଥିବା କୁହାଯାଉଛି । ନା ମହାମାରୀ ସର୍ମ୍ପକରେ ସଠିକ ସୂଚନା ଦେଇପାରୁଛନ୍ତି ନା ସ୍ୱାସ୍ଥ୍ୟ ଭିତ୍ତିଭୂମି ବାବଦରେ ସମୀକ୍ଷା କରୁଛନ୍ତି । ଅକ୍ସିଜେନ ଅଭାବରୁ ରୋଗୀଙ୍କର ମୃତ୍ୟୁ ହେଉଥିବା ନେଇ ଅଭିଯୋଗ ହେଉଥିବା ବେଳେ ନବ ଯେପରି ନିଘୋଡ ନିଦ୍ରାରେ ଶୋଇ ରହିଛନ୍ତି । ବିପଦ ବେଳେ ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ଲୋକେ ଯାହା ଜାଣିବାକୁ ଚାହୁଁଛନ୍ତି ସେ ବାବଦରେ ପୂରା ନିରବ ନବ । ଅନ୍ୟପଟେ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ଲୋକେ ଅଧିକ ସମ୍ବେଦନଶୀଳ ଥିବା ବେଳେ ମନ୍ତ୍ରୀଙ୍କ ଏଭଳି ମନଇଚ୍ଛା ଘୋଷଣା ପାଇଁ ସରକାରଙ୍କୁ ଉତ୍ତରଦେହୀ ହେବାକୁ ପଡୁଛି । ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡୁଥିବା ବେଳେ ଲୋକଙ୍କ ବିଶ୍ୱାସ ମଧ୍ୟ ହରାଉଛନ୍ତି । ଏଭଳି ସ୍ଥଳେ ଲୋକଙ୍କ ପ୍ରଶ୍ନ ଆମେ କାହା କଥାକୁ ବିଶ୍ୱାସ କରିବୁ । ମନ୍ତ୍ରୀ ନା ବିଭାଗ ।

Comments (0)
Add Comment