୨୦୧୯, ମାର୍ଚ୍ଚ ମାସର କଥା । ୨୦୧୩ରେ ହୋଇଥିବା ଏକ ହତ୍ୟାକାଣ୍ଡ ମାମଲାରେ ଜଣଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ଏକ ଜାମିନ ଗିରଫ ପରୱାନା ଜରିଆରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତୁରନ୍ତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ୧୨ ଦିନ ଉକ୍ତ ବ୍ୟକ୍ତି ଜେଲରେ କାଟିବା ପରେ ଜଣାପଡିଥିଲା ପୋଲିସ ଭୁଲବଶତଃ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ସେ ସମୟରେ କମିଶନରେଟ ପୋଲିସ ନିଜ ଭୁଲ ମାନିବା ସହ ତୁରନ୍ତ ଗିରଫ ବ୍ୟକ୍ତିଙ୍କୁ ଛାଡି ଦିଆଯିବ ବୋଲି ସୁଚନା ଦେଇଥିଲା । ଏମିତି ଗୋଟିଏ ଘଟଣା ପୁରା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଥିଲା । କିଭଳି ଜଣେ ବ୍ୟକ୍ତିଙ୍କୁ ଭୁଲ ଭାବେ ଗିରଫ କରି ଦିଆଯିବ ଆଉ ତାଙ୍କୁ ଜେଲକୁ ପଠାଇ ଦିଆଯିବ? ପୋଲିସ କ୍ଷମା ମାଗିଲା ଠିକ ଅଛି ହେଲେ ସାମାଜିକ ସ୍ତରରେ ଯେଉଁ ଯାତନା ଉକ୍ତ ପରିବାରକୁ ମିଳିଥିଲା ତାକୁ ଦୁର କରିବା କଣ ଏତେ ସହଜ?
ଏଭଳି ଗୋଟିଏ ଘଟଣା ନୁହେଁ ଏମିତି ଶହ ଶହ ଘଟଣା ବର୍ଷ ବର୍ଷ ଧରି ସାମ୍ନାକୁ ଆସିଛି । ଯେଉଁଠି ପୋଲିସର ଭୁଲ ତଦନ୍ତ ପ୍ରକ୍ରିୟା ପାଇଁ ଅନେକ ନୀରିହ ଲୋକଙ୍କୁ ଜେଲର ଚାରିକାନ୍ଥ ଭିତରେ ସମୟ କାଟିବାକୁ ପଡୁଛି । ଏଥିପାଇଁ ଦାୟୀ କିଏ ରହିବ? ଯଦି ନିଜ ଦାୟିତ୍ୱକୁ ପୋଲିସ ସଠିକ ଭାବେ ନିର୍ବାହ କରିବ ନାହିଁ ତାହେଲେ କାହିଁକି ସେମାନେ ଦଣ୍ଡିତ ହେବେ ନାହିଁ? ଗୋଟିଏ ବଡ ଦିଗ ହେଉଛି, ଖାମଖିଆଲି ମନୋଭାବ ପାଇଁ ଏମିତି ସାଂଘାତିକ ଘଟଣା ଗୁଡିକ ଘଟୁଛି । ତଦନ୍ତକାରୀ ଅଧିକାରୀ ଯଦି ମାମଲାର ପରିଚାଳନା ବେଳେ ଟିକିଏ ସଚେତନ ରୁହନ୍ତେ ତାହେଲେ ଏଭଳି ସ୍ଥିତିକୁ ଏଡାଇ ଦିଆଯାଇ ପାରନ୍ତା ହେଲେ ଏମିତି ଘଟଣା ବାରମ୍ବାର ଘଟୁଛି ।
ଖାକିର ବହପ ବେଳେ ବେଳେ ଏଭଳି ଘଟଣା ପାଇଁ ଦାୟୀ ବୋଲି ଜଣାପଡୁଛି । କିଛି ମାମଲାରେ ହୁଏତ ପୋଲିସ ଭୁଲବଶତଃ କାହାକୁ ଗିରଫ କରିଦେଉଛି ହେଲେ ଅନେକ ମାମଲାରେ ଜାଣିଶୁଣି ନିର୍ଦ୍ଦୋଷକୁ ପୋଲିସ ଫସାଇ ଦେଉଥିବା ଅଭିଯୋଗ ହେଉଛି । ଏଭଳୀ ଘଟିବା ପଛର କାରଣ କଣ? ଦୃଷ୍ଟାନ୍ତମୁଳକ ଦଣ୍ଡବିଧାନ ଯଦି ପୋଲିସ ବିରୋଧରେ କରାଯାଆନ୍ତା ତେବେ ନିଜ ଦାୟିତ୍ୱକୁ ସଠିକ ଭାବେ ନିର୍ବାହ କଲାବେଳେ ପୋଲିସ ଅଧିକାରୀ ସତର୍କ ରୁହନ୍ତେ ନଚେତ ଏମିତି ଭୁଲ ବାରମ୍ବା ଘଟିଚାଲୁଥିବା । ଯଦି ଜଣେ ନିର୍ଦ୍ଦୋଷ ଲୋକକୁ ପୋଲିସ ଗିରଫ କରି ଜେଲକୁ ପଠାଇ ଦେଉଛି ଅଉ ପରେ ଜଣାପଡୁଛି ସେହି ବ୍ୟକ୍ତି ନିର୍ଦ୍ଦୋଷ ତେବେ ପୋଲିସକୁ ମଧ୍ୟ ତୁରନ୍ତ ସମାନ ଦଣ୍ଡ ମିଳିବା ଦରକାର । ଏମିତି ହେଲେ ହିଁ ବ୍ୟବସ୍ଥାରେ ପରିବର୍ତ୍ତନ ଆସିବ । ନଚେତ ନିଜ ପଦବୀର ଅହଙ୍କାରରେ ଯାହାକୁ ନାହିଁ ତାକୁ ଗିରଫ କରି ଜେଲରେ ଭର୍ତ୍ତି କରିଦେବେ ଖାକି ବାବୁ । ସାଧାରଣ ଜନତା ପ୍ରତିବାଦ କଲେ ତାଙ୍କ ବିରୋଧରେ ମାମଲା ହେବ, ହେଲେ ଭୁଲ କରୁଥିବା ପୋଲିସ ବାବୁ ଏସବୁ ମାମଲାରୁ ବଂଚିବେ କାହିଁକି?