ବିଲ୍ ପାଶ କରିଦେବା ପାଇଁ ଲକ୍ଷେ ଟଙ୍କା ଲାଂଚ ନେବା ଅଭିଯୋଗରେ ଗିରଫ ହୋଇଥିଲେ ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟ । ଘରେ ରେଡ୍ ହେଲା, ବ୍ୟାଙ୍କ ଆକାଉଂଟ ଯାଂଚ କରାଗଲା । ଭିଜିଲାନସ ବିଭାଗ ପକ୍ଷରୁ ତଥ୍ୟ ଦେଇ କୁହାଗଲା, ୨୦୧୨ରୁ ୨୦୧୯ ମଧ୍ୟରେ ତିନୋଟି ବ୍ୟାଙ୍କରେ ୭୦ ଲକ୍ଷ ଟଙ୍କା ଜମା କରାଯାଇଛି । ଉଭୟ କାଉଂଟର ଏବଂ କ୍ୟାଶ ଡିପୋଜିଟ ମେସିନ୍ ଜରିଆରେ ଏହି ବିପୁଳ ପରିମାଣର ଅର୍ଥ ଜମା କରାଯାଇଥିବା ନେଇ ତଥ୍ୟ ଦିଆଗଲା । ଏହା କହିବାର ଉଦ୍ଦେଶ୍ୟ ଥିଲା, ଆଇଏଏସ ବିଜୟ କେତନ ଉପାଧ୍ୟାୟ ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଏବଂ ସେ ଲାଂଚ ନେଇ କାର୍ଯ୍ୟ କରୁଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସରକାରର ସ୍ୱଛତା ସାର୍ଟିଫିକେଟ ବାଂଟି ବାହାବା ଲୁଟିଥିଲା । ହେଲେ ବାସ୍ତବତା କଣ ହେଲା? ଆଇଏଏସ ବିଜୟ କେତନ ଉପାଧ୍ୟାୟ ଗିରଫ ହେବାର ମାସ କେଇଟାରେ ଜାମିନ ପାଇଗଲେ । ଆଉ ଯେଉଁ ସରକାର ଦୁର୍ନୀତିଗ୍ରସ୍ତ କହି ଚାକିରୀରୁ ନିଲମ୍ବିତ କରିଥିଲେ ସେମାନେ ନୁଆ ଚାକିରୀରେ ବିଜୟ କେତନ ଉପାଧ୍ୟାୟଙ୍କୁ ଅବସ୍ଥାପିତ କରିଦେଲେ । ମନରେ ପ୍ରଶ୍ନ ଉଠିବ, ଗିରଫ ହେବା ପରେ ବିଜୟ କେତନ ସ୍ୱଛ ହୋଇଗଲେ ନା ଯେଉଁ ଆଧାରରେ ଭିଜିଲାନସ ଗିରଫ କରିଥିଲା ତାର କୈାଣସି ତଥ୍ୟ ପ୍ରମାଣ ପାଇପାରିଲାନି । କେସ୍ ଦୁର୍ବଳ ହେଉଥିବା ଦେଖି ଗଳାବାଟ ଖୋଜି ବାହାର କରିଦିଆଗଲା? ସେହିଭଳି ସ୍ୱଛତାର କଥା କହି ପଦକ୍ଷେପ ନେଇଥିବା ସରକାରଙ୍କର ଆଭିମୁଖ୍ୟ ଓଲଟା ହୋଇଗଲା କାହିଁକି?
ଏବେ ଠିକ ସମାନ ଘଟଣା ଦେଖିବାକୁ ମିଳିଛି ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କ ଗିରଫଦାରୀ ପ୍ରସଙ୍ଗରେ । ୬୦ ଦିନ ଭିତରେ ଭିଜିଲାନସ ଚାର୍ଜଶିଟ ଦେବାରେ ବିଫଳ ହେବାରୁ ସ୍ୱତନ୍ତ୍ର ଭିଜିଲାନସ କୋର୍ଟ ଉଭୟ ବାପା, ପୁଅଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହାର ଅର୍ଥ ହେଲା, ଉଭୟ ବାପା, ପୁଅଙ୍କ ବିରୋଧରେ ଭିଜିଲାନସ କୈାଣସି ପ୍ରମାଣ ପାଇ ପାରିଲା ନାହିଁ ନା ଠିକ ସମୟରେ କୋର୍ଟରେ କାଗଜ ଦାଖଲ କରିବାରେ ବିଫଳ ହେଲା? ସେ ଯାହା ହେଉ ନା କାହିଁକି, ଭିଜିଲାନସ ବିଭାଗର ଆଉ ଏକ ଦୁର୍ବଳତା ପଦାରେ ପଡିଲା । ଯେତେବେଳେ ଅଭୟକାନ୍ତ ପାଠକଙ୍କ ଘରେ ରେଡ୍ ହୋଇଥିଲା, ସେତେବେଳେ ମିଳୁଥିବା ସଂପତ୍ତିର ତାଲିକା, ପୁଅ ଆକାଶ ପାଠକର ଅୟସଭରା ଜୀବନ, ଦାମି ଗାଡିର ସଉକ, ବିପୁଳ ନଗଦ ଅର୍ଥ ରାଶି, କେଉଁଠି କେତେ ପ୍ଲଟ ଆଉ ଘର, ଚାଟାର୍ଡ ଫ୍ଲାଇଟରେ ବୁଲିବା, ଦାମୀ ହୋଟେଲରେ ରହିବା ଭଳି ଅନେକ ତଥ୍ୟ ଗଣମାଧ୍ୟମରେ ପ୍ରସାରିତ ହେଉଥିଲା । ଆଉ ବଡ କଥା ହେଉଛି, ଏସବୁ ତଥ୍ୟ ରାଜ୍ୟ ଭିଜିଲାନସ ବିଭାଗ ପକ୍ଷରୁ ହିଁ ଗଣମାଧ୍ୟମକୁ ଦିଆଯାଇଥିଲା । କେଉଁ ଆକଉଂଟରେ କେତେ ଟଙ୍କା ମିଳୁଛି, ଆଉ କେଉଁଠି ନୁଆ ଆକାଉଂଟ ଠାବ ହୋଇଛି ଏମିତି ସମସ୍ତ ତଥ୍ୟ ଉଭୟ ପ୍ରିଂଟ ଏବଂ ଇଲେକଟ୍ରୋନିକ୍ସ ମିଡିଆରେ ଘନଘନ ପ୍ରସାରିତ ହେଉଥିଲା । ଏତେ ସବୁ ତଥ୍ୟ ଯଦି ଭିଜିଲାନସ ପାଉଥିଲା, ତେବେ ୬୦ ଦିନ ଭିତରେ ଚାର୍ଜଶିଟ କାହିଁକି ଦାଖଲ କରିପାରିଲାନି?
ଉଭୟ ଘଟଣାକୁ ନିରିଖେଇ ଦେଖିଲେ ଭିଜିଲାନସ ବିଭାଗର ଏକ ଦୁର୍ବଳତା ସାମ୍ନାକୁ ଆସୁଛି । କାହା ଇଙ୍ଗିତରେ ଭିଜିଲାନସ କାର୍ଯ୍ୟ କରୁଛି ନା ତଥ୍ୟ ପ୍ରମାଣ ଆଧାରରେ ପଦକ୍ଷେପ ନେଉଛି । ରାଜନୈତିକ ଅଭିସନ୍ଧିରେ ଭିଜିଲାନସ କାର୍ଯ୍ୟ କରୁନାହିଁ ତ? ଉପାଧ୍ୟାୟ ଏବଂ ପାଠକ ମାମଲା ହାଇପ୍ରୋଫାଇଲ ଥିଲା । ଏହି ଦୁଇ ମାମଲା ଉପରେ ଭିଜିଲାନସ ବିଭାଗର ଭାବମୁର୍ତ୍ତି ନିର୍ଭର କରୁଥିଲା । ହେଲେ ଉଭୟ କ୍ଷେତ୍ରରେ ବିଫଳତା ସ୍ପଷ୍ଟ ବାରି ହୋଇଗଲା । ଯଦିଓ ପାଠକ ମାମଲାରେ ଅଧିକ ତଦନ୍ତ୍ର ଆବଶ୍ୟକତା ଥିବା ଏବଂ ଏହା ସମୟ ସାପେକ୍ଷ ବୋଲି ଆଭିମୁଖ୍ୟ ରଖାଯାଉଛି, ହେଲେ ଅନ୍ତରୀଣ ଚାର୍ଜଶିଟ ଫାଇଲ କରିଥିଲେ ଏଭଳି ସମସ୍ୟା ସୃଷ୍ଟି ହୋଇନଥାନ୍ତା । ରାଜନୈତିକ ଛତ୍ରଛାୟା ତଳେ ଯଦି ଏକ ବିଭାଗ ହାତବାରିସି ସାଜି କାର୍ଯ୍ୟ କରିବ, ତେବେ ବ୍ୟବସ୍ଥା ଉପରେ ଧୀରେ ଧୀରେ ସନ୍ଦେହ ସୃଷ୍ଟି ହେବା ଆରମ୍ଭ ହେବ ।