ଗଣମାଧ୍ୟମରେ ଖବର ଛାଇଗଲା ପରୀ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାଶ କରିବାର ଶେଷ ପର୍ଯ୍ୟାୟରେ ପହଂଚିଯାଇଛି ଏସଆଇଟି । ହାଇକୋର୍ଟରେ ବନ୍ଦ ଲଫାପାରେ ଦିଆଯାଇଥିବା ତଥ୍ୟରେ କୁହାଗଲା, ଦୁଷ୍କର୍ମ ପରେ ପରୀକୁ ହତ୍ୟା କରାଯାଇଥିଲା । ପରୀ ଫ୍ରକରୁ ସିମେନ୍ ମିଳିଛି । ଅପରାଧୀକୁ ଚିହ୍ନଟ କରାଯାଇ ସାରିଛି, ଖୁବଶୀଘ୍ର ଅପରାଧୀକୁ ଗିରଫ କରାଯିବ । ହେଲେ ଶୁଣାଣି ବେଳେ ହାଇକୋର୍ଟ କିଛି ଏଭଳି ଟିପ୍ପଣୀ ଦେଲେ ଯାହା ଏସଆଇଟିର ତଦନ୍ତ ପ୍ରକ୍ରିୟା ବିଶେଷ ଅଗ୍ରଗତି ହୋଇନାହିଁ ବୋଲି ପ୍ରମାଣିତ କରିଦେଲା ।
ଏସଆଇଟି ପକ୍ଷରୁ ଦିଆଯାଇଥିବା ତଥ୍ୟ ଆଧାରରେ ହାଇକୋର୍ଟ ନିଜ ଆଭିମୁଖ୍ୟ ରଖି କହିଲେ, ରିପୋର୍ଟକୁ ଅନୁଶୀଳନ କରିବା ପରେ ଜଣାପଡିଲା ତଦନ୍ତରେ କୈାଣସି ଆଖିଦୃଶିଆ ଅଗ୍ରଗତି ହୋଇନାହିଁ । ପ୍ରକୃତ ଅପରାଧୀଙ୍କୁ ଧରିବାକୁ ଏହା ପର୍ଯ୍ୟାପ୍ତ ନୁହେଁ । ଆସନ୍ତା ୨୪ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସେହିଦିନ ତଦନ୍ତରେ ଆଉ କଣ ଅଗ୍ରଗତି ହୋଇଛି ଜଣାଇବାକୁ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କୁ ନିର୍ଦ୍ଦେଶ ଦେଇଥିଲେ ଓଡିଶା ହାଇକୋର୍ଟ ।
ଏହି ପୁରା ଘଟଣାରେ ଦୁଇଟି ବ୍ୟତିକ୍ରମ ଦେଖିବାକୁ ମିଳିଲା । ଗୋଟିଏ ପଟେ ଖବର ଆସିଥିଲା ଖୁବଶୀଘ୍ର ଅପରାଧୀ ଧରାପଡିବେ ଆଉ ଅପରପକ୍ଷରେ ଅପରାଧୀକୁ ଧରିବାକୁ ତଦନ୍ତ ପର୍ଯ୍ୟାପ୍ତ ନୁହେଁ ବୋଲି ହାଇକୋର୍ଟ କହିବା ସ୍ପଷ୍ଟ ଭାବେ ପ୍ରମାଣିତ କରିଦେଲା ଅନ୍ଧାରରେ ବାଡି ବୁଲାଉଛି ଏସଆଇଟି । ପରୀ ମାମଲାର ପର୍ଦ୍ଦାଫାଶ କରିବାକୁ ୧୫ ଦିନ ସମୟ ମାଗିଥିବା ଅରୁଣ ବୋଥ୍ରାଙ୍କ ଟିମ୍ ଯେଉଁ ସବୁ ଦିଗକୁ ଅନୁଧ୍ୟାନ କରି ତଦନ୍ତ କରୁଥିଲେ, ତାହା ପ୍ରକୃତ ଅପରାଧୀଙ୍କୁ ସାମ୍ନାକୁ ଆଣିପାରିବ ନାହିଁ ବୋଲି ବୁଝିବାକୁ ପଡିବ କି?
ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଅପରାଧୀକୁ ଧରି ପ୍ରଶଂସା ସାଉଁଟିଥିବା ଅରୁଣ ବୋଥ୍ରାଙ୍କ ସାମ୍ନାରେ ପରୀ ମାମଲା ଏକ ବଡ ଚ୍ୟାଲେଂଜ । ସେପଟେ ଉଭୟ କଂଗ୍ରେସ ଓ ବିଜେପି ଟାର୍ଗେଟକୁ ଅରୁଣ ବୋଥ୍ରା ଆସିଯାଇଛନ୍ତି । ଏସଆଇଟି ମୁଖ୍ୟ ପଦରୁ ତାଙ୍କୁ ହଟାଇବାକୁ ଉଭୟ ଦଳ ଦାବି କରିଛନ୍ତି । ଘଟଣାରେ ଯେଉଁମାନେ ମୁକ୍ୟ କାର୍ପଟଦାର ସେମାନଙ୍କୁ ବଂଚାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ ଓ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।
ହାଇକୋର୍ଟଙ୍କ ଆଭିମୁଖ୍ୟ, ବିରୋଧୀ ଦଳଙ୍କ ବୟାନ ଅରୁଣ ବୋଥ୍ରାଙ୍କ ଉପରେ ଆହୁରି ଚାପ ବଢାଇଛି । ଏହି ମାମଲାର ମୁଳରେ ପହଁଚିବା ସହ ଅପରାଧୀଙ୍କୁ ଧରିବା ପାଇଁ ଅରୁଣ ବୋଥ୍ରା ଯେତେ ଅଧିକ ସମୟ ନେବେ ସରକାରଙ୍କ ଉପରେ ବିରୋଧୀଙ୍କ ଚାପ ସେତେ ଅଧିକ ବଢିବ । ହେଲେ ଏସବୁ ଭିତରେ କିନ୍ତୁ ଗୋଟି କଥା ସ୍ପଷ୍ଟ ପରୀ ମାମଲାରେ ରାଜନୈତିକ ରୁଟି ସେକିବାକୁ ପଛାଉନାହାନ୍ତି ବିରୋଧୀ ।