ନୂତନ କୁଳପତି ଚୟନ ପ୍ରକ୍ରିୟା ଓ ନିଯୁକ୍ତିକୁ ନେଇ ଅସନ୍ତୋଷ । ରାଜ୍ୟର ପ୍ରମୁଖ ୬ ଟି ବିଶ୍ୱବିଦ୍ୟାଳୟ ପାଇଁ କୁଳପତିଙ୍କ ନିଯୁକ୍ତି କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶଲାଲ ।ଏହାକୁ ନେଇ ବିଭିନ୍ନ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତିମାନେ ପ୍ରଶ୍ନ ଉଠାଇଛନ୍ତି।
ଉତ୍କଳ ବିଶ୍ୱବିଦ୍ୟାଳୟ, ଉତର ଓଡିଶା ବିଶ୍ୱ ବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ,ଫକିରମୋହନ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପାଇଁ ଗତ ୨୩ ନଭେମ୍ବରରେ ରାଜ୍ୟପାଳ ପ୍ରଫେସର ଗଣେଶଲାଲ ନୁତନ କୁଳପତିଙ୍କୁ ଚୟନ କରି ନିଯୁକ୍ତି ଦେଇଥିଲେ ।ତେବେ କୁଳପତି ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ବିଭିନ୍ନ ବିଶ୍ୱବିଦ୍ୟାଳୟର ପୁର୍ବତନ କୁଳପତି ଓ ଶିକ୍ଷାବିତ ମାନେ ପ୍ରଶ୍ନ ଉଠାଇଛନ୍ତି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିନାୟକ ରଥ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଶିବ ପ୍ରସାଦ ରଥ ଓ ପ୍ରଫୁଲ୍ଲ ମିଶ୍ର, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଏସ ଏନ୍ ପଶୁପାଳକ, ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡର ପୂର୍ବତନ ସଂପାଦକ ହେମେନ୍ଦ୍ର ନାରାୟଣ ଦାସ, ଉଚ୍ଚ ଶିକ୍ଷା ବିଭାଗର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ଅମୀୟ ମହାନ୍ତି ପ୍ରମୁଖ ଛଅଟି ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଚୟନ ପ୍ରକ୍ରିୟା ଓ ନିଯୁକ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଯେଉଁଭଳି ପ୍ରକ୍ରିୟା ଦେଇ କୁଳପତିମାନଙ୍କୁ ନିଯୁକ୍ତି ଦିଆଯାଇଛି, ତାହା ପୂର୍ବରୁ କେବେ ହୋଇ ନ ଥିଲା। କୁଳପତି ଚୟନ ପାଇଁ ସର୍ଚ୍ଚ କମିଟି ଯେଉଁମାନଙ୍କ ନାମ ସୁପାରିସ କରିଥାନ୍ତି, ସେମାନଙ୍କୁ ଚାନ୍ସେଲର ଆଲୋଚନା ଲାଗି ନିର୍ଦ୍ଧିଷ୍ଟ ସମୟ ଦେଇଥାନ୍ତି। ଏହାପରେ ସେମାନେ ବ୍ୟକ୍ତିଗତ ଭାବେ କୁଳାଧିପତିଙ୍କୁ ଭେଟନ୍ତି। କିନ୍ତୁ ଚଳିତ ଥର ସମସ୍ତ ପ୍ରାର୍ଥୀଙ୍କୁ ଏକା ସାଙ୍ଗେ ଡକା ହେଲା। ସମସ୍ତଙ୍କୁ ଦିନ ୧୧ଟାରେ ରାଜଭବନକୁ ଡକାହେଲା ଓ ୧୧ଟାରୁ ୧ଟା ଯାଏଁ ସେମାନଙ୍କୁ ସେମିତି ବସେଇ ରଖାହେଲା। ଦିନ ଗୋଟାଏ ବେଳେ ରାଜ୍ୟପାଳଙ୍କ ସଚିବ ଆସି ସମସ୍ତଙ୍କୁ ଗୋଟିଏ ଲେଖାଏଁ ପେପର ଦେଇଥିଲେ ଓ ବିଶ୍ଵବିଦ୍ୟାଳୟ ସହ କୌଣସି ସମ୍ପର୍କ ନ ଥିବା ୪ଟି ଅବାନ୍ତର ପ୍ରଶ୍ନ ଦେଲେ। ପରିକ୍ଷାରେ ପଡିଥିବା ପ୍ରଶ୍ନ ଗୁଡିକ ବିଶ୍ୱବିଦ୍ୟାଳୟ ପରିଚାଳନା ସହ କୌଣସି ସମ୍ପର୍କ ନଥିବା ନେଇ ଅଭିଯୋଗ କରିଛନ୍ତି ଉକ୍ରଳ ବିଶ୍ୱବିଦ୍ୟାଳୟର ପୁର୍ବତନ କୁଳପତି ବିନାୟକ ରଥ ।