ଦେଶରେ ଭୟଙ୍କର କୋଇଲା ସଙ୍କଟ । ଥର୍ମାଲ ପାଓ୍ୱାର ପ୍ଲାଣ୍ଟରେ କୋଇଲା ଅଭାବରୁ ବାଧାପ୍ରାପ୍ତ ହୋଇଛି ବିଜୁଳି ଉତ୍ପାଦନ । ଯାହାଫଳରେ ଦିଲ୍ଲୀ, ପଞ୍ଜାବ ଓ ଉତ୍ତରପ୍ରଦେଶ ସମେତ ଅନ୍ୟ କେତେକ ରାଜ୍ୟରେ ଦେଖାଦେଇଛି ଘୋର ବିଦ୍ୟୁତ୍ ସଙ୍କଟ । କୋଇଲା ସଙ୍କଟ ଭିତରେ ରେଳ ବିଭାଗର ବଡ଼ ପଦକ୍ଷେପ । ୬୭୦ ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛି ରେଳ ବିଭାଗ । ମେ’ ୨୪ ତାରିଖ ପର୍ୟ୍ୟନ୍ତ ୬୭୦ଟି ମେଲ, ଏକ୍ସପ୍ରେସ୍ ଓ ପାସେଞ୍ଜର ଟ୍ରେନ୍ ବାତିଲ କରାଯାଇଛି । ଏହା ମଧ୍ୟରୁ ୫୦୦ରୁ ଅଧିକ ଦୂରଗାମୀ ମେଲ ଓ ଏକ୍ସପ୍ରେସ୍ ଟ୍ରେନ୍ ରହିଛି । କୋଇଲା ସଙ୍କଟ ଯୋଗୁ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି । ଭାରତୀୟ ରେଳ ବିଭାଗ ଗତ କିଛି ସପ୍ତାହ ହେବ ପ୍ରତିଦିନ ପାଖାପାଖି ୧୬ଟି ମେଲ, ଏକ୍ସପ୍ରେସ୍ ଓ ପାସେଞ୍ଜର ଟ୍ରେନ୍ ରଦ୍ଦ କରିଆସୁଛି ।
ସୂଚନା ଅନୁସାରେ ବର୍ତ୍ତମାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ପ୍ରତ୍ୟେକ ଦିନ ୪୧୫ଟି କୋଇଲା ନେଇଯାଉଥିବା ଟ୍ରେନ୍ ଯୋଗାଇ ଦେବ । ପ୍ରତ୍ୟେକ ଟ୍ରେନରେ ପାଖାପାଖି ୩ ହଜାର ୫୦୦ ଟନ୍ କୋଇଲା ନିଆଯାଇପାରିବ । ଏପରି ସଙ୍କଟ ପାଖାପାଖି ଦୁଇ ମାସ ପର୍ୟ୍ୟନ୍ତ ରହିପାରେ ବୋଲି ସୂଚନା ମିଳିଛି ।
ବିଜୁଳି ବିଭ୍ରାଟ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ଭୋଗିପାରନ୍ତି। ଏପରିକି ମେଟ୍ରୋ ଏବଂ ହସପିଟାଲ ଗୁଡ଼ିକ ମଧ୍ୟ ବିଜୁଳିକାଟ ସମ୍ମସ୍ୟା ସମ୍ମୁଖିନ ହୋଇପାରନ୍ତି। କିଛି ଏମିତି ଚେତାବନୀ ଦେଇଛନ୍ତି ଦିଲ୍ଲୀ ସରକାର । ଏନେଇ ଦିଲ୍ଲୀ ଶକ୍ତିମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଆଗକୁ ଯେମିତି ବିଜୁଳି ସମସ୍ୟା ନଉପୁଜେ ସେନେଇ ବୈଠକରେ ଆଲୋଚନା ହୋଇଥିଲା। କୋଇଲା ସଙ୍କଟ ଯୋଗୁ ଦିଲ୍ଲୀରେ ବିଜୁଳି ସଙ୍କଟ ଉପୁଜିପାରେ।
ସେପଟେ ପଞ୍ଜାବରେ ୪୦ ପ୍ରତିଶତ ବଢ଼ିଛି ବିଦ୍ୟୁତ୍ ଚାହିଦା । ଫାର୍ମିଂ ସେକ୍ଟରକୁ ଆବଶ୍ୟକ ବିଜୁଳି ଯୋଗାଣ ହୋଇପାରୁ ନଥିବାରୁ ଶକ୍ତି ମନ୍ତ୍ରୀଙ୍କ ଘର ଆଗରେ ଆନ୍ଦୋଳନ ଡାକରା ଦେଇଛି କିଶାନ ମଜଦୁର ସଂଘ । ସରକାର ଏହାର ବିକଳ୍ପ ଚିନ୍ତା କରୁଛନ୍ତି ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ମନିଟରିଂ କରୁଛନ୍ତି ବୋଲି ପଞ୍ଜାବ ଶକ୍ତି ମନ୍ତ୍ରୀ ହରବଜନ ସିଂ କହିଛନ୍ତି । ସେପଟେ ନାଲକୋ ଓଡ଼ିଶାରେ ମଧ୍ୟ କୋଇଲା ଅଭାବ ଯୋଗୁ ବାଧାପ୍ରାପ୍ତ ହୋଇଛି ଉତ୍ପାଦନ । ନାଲକୋ କାରଖାନା ଚାଲିବା ପାଇଁ ଆବଶ୍ୟକ କୋଇଲା ମିଳୁନି । କୋଇଲା ଯୋଗାଣ କମିବା ସାଙ୍ଗକୁ ଗଚ୍ଛିତ କୋଇଲା ପରିମାଣ ବି କମିବାରେ ଲାଗିଛି । ସେପଟେ ୟୁପିରେ ବି ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଦ୍ୟୁତ୍ ଚାହିଦା ବୃଦ୍ଧି ପାଇଛି ।