ଏମିତି ବି ଆସିପାରେ ମୃତ୍ୟୁ । କେଡେ ନିଷ୍ଠୁର ହୋଇପାରେ ବିଧାତା । ଏ ମହାମାରୀ କେଜାଣି ଆଉ କେତେ ଜଣକ ସୁଖର ସଂସାର ଭାଙ୍ଗିକି ଏମିତି ଚୁରମାର କରିବ । ବାହାଘର ୫ ଦିନ ହୋଇଛି । ଚତୁର୍ଥୀ ହୋମ ନିଆଁ ଲିଭିନାହିଁ । ହେଲେ ମଥାରୁ ସିନ୍ଦୁର ପୋଛିଦେଇଛି ମହାମାରୀ । ସଂସାର ଗଢିବା ଆଗରୁ ଉଜୁଡିଗଲା । କେନ୍ଦ୍ରାପଡା ରାଜକନିକାରୁ ଆସିଛି କରୋନାର ଏଭଳି ଏକ ହୃଦୟବିଦାରକ ଦୃଶ୍ୟ । ବରର ମୃତ୍ୟୁ ପରେ ପୁରା ଗାଁରେ ସ୍ତବ୍ଧ ହୋଇଯାଇଛି । କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ । ଆଉ କରୋନାରେ ବରର ମୃତ୍ୟୁ ପରେ ଘରେ ଶବ ପହଚିଂବା ଆଗରୁ ଝିଅକୁ ନେଇଯାଇଛନ୍ତି ବାପଘର ଲୋକ ।
ରାଜକନିକା ଥାନା ଦୁର୍ଗାଦେବୀପଡ଼ା ଗ୍ରାମର ସଞ୍ଜୟ କୁମାର ନାୟକ ବେଙ୍ଗାଲୁରୁରେ ନିଜ ବଡ଼ ଭାଇଙ୍କ ସହ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ବାହାଘର ଠିକ୍ ହେବା ପରେ ସେ ଗତ ୧ ତାରିଖରେ ବଡ଼ଭାଇଙ୍କ ସହ ଗାଁକୁ ଫେରିଥିଲେ । ଦୀପୁ ବେଙ୍ଗାଲୁରୁ ଛାଡ଼ିବା ବେଳେ କୋଭିଡ୍ ପରୀକ୍ଷା କରିଥିଲେ । ରିପୋର୍ଟ ନେଗେଟିଭ୍ ଆସିଥିଲା । ଗତ ୯ ତାରିଖରେ ବାହାଘର ହୋଇଥିଲା । ଘରେ ପହଞ୍ଚିବାର କିଛି ଦିନ ପରେ ଅଚାନକ ତାଙ୍କ ଦେହ ଅସୁସ୍ଥ ହେବା ଆରମ୍ଭ କରିଥିଲା । ଥଣ୍ଡାଜ୍ୱର ଲାଗିରହିବା ସହ କାଶ ହୋଇଥିଲା । ବାହାଘରର ପାରମ୍ପରିକ ରୀତିନୀତି ଭିତରେ ଏକାଧିକ ବାର ଗାଧୋଇବା ଯୋଗୁଁ ତାଙ୍କ ଦେହ ଖରାପ ହୋଇଥିବ ବୋଲି ଘର ଲୋକେ ଭାବିଥିଲେ । ତେଣୁ ଔଷଧ କିଣି ଖାଇଥିଲେ । ହେଲେ ଥଣ୍ଡା, ଜ୍ୱର କମିନଥିଲା । ବରଂ ଦିନକୁ ଦିନ ସେ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ । ୧୨ ତାରିଖରେ ଥିଲା ଚତୁର୍ଥୀ । ଅସୁସ୍ଥତା ସତ୍ତେ୍ୱ ଚତୁର୍ଥୀ ପିଣ୍ଡ ପଡ଼ି ହୋମ ହୋଇଥିଲା । ଚତୁର୍ଥୀ ବାସି ସକାଳେ ଦୀପୁଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଯିବାରୁ ପରିବାର ଲୋକେ ତାଙ୍କୁ ନେଇ ଯାଜପୁର ମେଡିକାଲକୁ ଯାଇଥିଲେ । ହେଲେ ସେଠାରେ ଚିକିତ୍ସାରେ ରହିବା ପରେ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନ ଆସିବାରୁ ଡାକ୍ତର ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ । ପରିବାର ସଦସ୍ୟମାନେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନେଇଯିବା ପାଇଁ ଯୋଗାଯୋଗ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
ଏଣେ ସଞ୍ଜୟଙ୍କ ଶବ ତାଙ୍କ ଘରେ ପହଞ୍ଚିବା ଆଗରୁ ତାଙ୍କ ଶ୍ୱଶୂର ଘର ଲୋକେ ନବବିବାହିତା ଝିଅକୁ ନିଜ ଘରକୁ ନେଇ ଯାଇଥିଲେ । ସଞ୍ଜୟଙ୍କ ସଂସ୍ପର୍ଶରେ ଆସିଥିବା ପରିବାର ସଦସ୍ୟ, ବନ୍ଧୁବାନ୍ଧବ ଓ ବିଭିନ୍ନ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ କୁହାଯାଇଛି । ଘଟଣାଟି ସମଗ୍ର ଅଞ୍ଚଳରେ ଶୋକ ଖେଳାଇ ଦେଇଛି । ପୁଅକୁ ହରାଇ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି । କିଛି ଭାବିବା ଆଗରୁ ସବୁ କିଛି ସାରିଦେଇଛି ମହାମାରୀ ।