ଅସୁରକ୍ଷିତ ଓଡିଶା । ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ ରାଜ୍ୟ । ଘରୁ ବାହାରିଲେ ଭୟ ଘାରୁଛି । ପଦାକୁ ଗୋଡ କାଢିଲେ ଡର ଲାଗୁଛି । ଛକ ଛକରେ, ଗଳି କନ୍ଦିରେ, ନିଛାଟିଆ ରାସ୍ତାରେ ଛକି ରହୁଛନ୍ତି ଯୌନ ପିପାସୁ । ଆଉ ଝିଅଟିଏ କି ମହିଳାକୁ ଏକୁଟିଆ ଦେଖିଲେ ପାଲଟି ଯାଉଛନ୍ତି ସୈତାନ । ରଚୁଛନ୍ତି ଜଘଣ୍ୟ ଅପରାଧ । କିଏ ରାଗ ସୁଝାଇବାକୁ ଦୁଷ୍କର୍ମ କରୁଛି ତ କିଏ ପ୍ରତିଶୋଧ ପରାୟଣ ହୋଇ ଏମିତି ଅମାନୁଷିକ କାମ କରୁଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ନିଇତି ଆସୁଛି ନିଷ୍ଠୁରତାର ଏମିତି ଅନେକ ନିର୍ମମ କାହାଣୀ ।
ତେବେ ରାଜ୍ୟରେ ଦୁଷ୍କର୍ମ ନେଇ ଆସିଛି ସାଙ୍ଘାତିକ ରିପୋର୍ଟ । ଶ୍ୱେତପତ୍ରରେ ସାମ୍ନାକୁ ଆସିଛି ଅପରାଧର ଲାଲଚିତ୍ର । ୨୦୨୦ର ଶ୍ୱେତପତ୍ର ଗୃହ ବିଭାଗ ଦ୍ୱାରା ପ୍ରକାଶ ପାଇଥିବା ବେଳେ ଏଥିରେ ନାନାଦି ପ୍ରକାର ଅପରାଧର ଅଙ୍କ ଲେଖାଯାଇଛି । ତେବେ ଲୁଣ୍ଠନ, ଚୋରି, ଦୁଷ୍କର୍ମ, ହତ୍ୟା, ଡକାୟତି ପରି ଅନେକ ଚିତ୍ର ଶ୍ୱେତପତ୍ରରେ ଦର୍ଶାଯାଇଥିବା ବେଳେ ୨୦୨୦ରେ ୧ ଲକ୍ଷ ୩୪ ହଜାର ୨୩୦ ପଞ୍ଜିକୃତ ମାମଲା ଆସିଥିଲା । ୩୭୭୦ ମାମଲା ରୁଜୁ ହୋଇଥିଲା । ସେଥିରୁ ୨୦୫୯ଟି ଦଙ୍ଗା, ୩୫୨୪ଟି ଠକେଇ ଅର୍ଥାର ପ୍ରତାରଣା ଏବଂ ସବୁଠୁ ଆଶ୍ଚର୍ୟ୍ୟ କରିଛି ଦୁଷ୍କର୍ମର ରିପୋର୍ଟ । ୨୦୨୦ରେ ୨୯୮୪ଟି ଦୁଷ୍କର୍ମ ମାମଲା ହୋଇଛି ।
ଶ୍ୱେତପତ୍ରରେ ଦୁଷ୍କର୍ମ ନେଇ ଆସିିଥିବା ସାଙ୍ଘାତିକ ରିପୋର୍ଟ ଚିନ୍ତା ବଢାଇ ଦେଇଛି । ଜଘଣ୍ୟକାଣ୍ଡ ପାଇଁ ଅପରାଧୀଙ୍କୁ ଦଣ୍ଡ ଦିଆଯାଉଥିଲେ ବି ନ୍ୟାୟିକ ବ୍ୟବସ୍ଥାରେ ବିଳମ୍ବ ହେତୁ ଅପରାଧୀମାନେ ବାରମ୍ବାର ଏମିକି କାଣ୍ଡ ଭିଆଉଛନ୍ତି । ଗୋଟେ ଅପରାଧ ଘଟାଇବା ପରେ ଆଉ ଏକ ଅପରାଧ ରଚୁଛନ୍ତି । ଯୈøନ କ୍ଷୁଧା ମେଣ୍ଟାଇବାକୁ ମଣିଷ ପଶୁ ପାଲଟି ଯାଉଛି । କେଉଁଠି ନୟାଗଡର ପରୀ ପରି କଅଁଳ କଢିକୁ ଦୁଷ୍କର୍ମ ହେଲାଣି ତ କେଉଁଠି ପୋଲିସ ସ୍କୁଲ ଛାତ୍ରୀଙ୍କ କଲାଣି । ଯାଜପୁର କାଳିଆପାଣିରେ କଲେଜ ଛାତ୍ରୀଙ୍କୁ ଗୋଡେଇ ଗୋଡେଇ ଗଣଦୁଷ୍କର୍ମ ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଥିଲା । ଇଜ୍ଜତ ଯିବା ପରେ ଜୀବନ ବଞ୍ଚାଇବାକୁ କେମିତି ଯୁବତୀ ଜଣଙ୍କ ଉଲଗ୍ନ ହୋଇ ଦୌଡିଥିଲା ସେ ଛାତିଥରା ଘଟଣା ସଭ୍ୟ ସମାଜକୁ ଲଜ୍ଜିତ କରିଛି । ତେବେ ରାଜ୍ୟରେ ଦୁଷ୍କର୍ମ, ଅସଦାଚରଣ, ଦୁର୍ବ୍ୟବହାର ବଢି ବଢି ଚାଲିଥିବା ବେଳେ ଆଇନରେ କଠୋରତା ଆସୁନି । ଘଟଣାରେ ସଙ୍ଗେ ସଙ୍ଗେ ଅଭିଯୁକ୍ତକୁ ଗିରଫ କରାଯାଉଥିଲେ ବି ନ୍ୟାୟ ମିଳିବାରେ ବିଳମ୍ବ ହେଉଛି । ତେଣୁ ସମାଜରେ ନାରୀ କେତେ ସୁରକ୍ଷିତ ତାହା ପ୍ରଶ୍ନ ଉଠୁଛି ।
ସେପଟେ ୪୮୮୮ଟି ଯୌତୁକ ଜନିତ ମାମଲା, ୧୦୪୧୨ ଚୋରି, ୪୫୦୦ ସିନ୍ଧିଚୋରି, ୨୧୬୬ ସିନ୍ଧିଚୋରି, ଏବଂ ୧୪୭୦ଟି ନରହତ୍ୟା ମାମଲା ୨୦୨୦ ଶ୍ୱେତପତ୍ରରେ ଦର୍ଶାଯାଇଛି । ଆଉ ୟାରି ଭିତରେ ସବୁଠୁ ଚିନ୍ତାଜନକ ଦିଗଟି ହେଉଛି ଦୁଷ୍କର୍ମ ।