ରାଜ୍ୟରେ ରେକର୍ଡ ଟିକାକରଣ

ରାଜ୍ୟରେ ରେକର୍ଡ ଟିକାକରଣ । ଗୁରୁବାର ରାଜ୍ୟରେ ୧୨୧ ପ୍ରତିଶତ ଟିକାକରଣ ହୋଇଛି । ୩୭ ହଜାର ୭୬ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମୋଟ ୪୩୬ଟି କେନ୍ଦ୍ରରେ ୪୪ ହଜାର ୮୮୦ ଜଣଙ୍କୁ ଟିକା ଦିଆଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏନେଇ ସୂଚନା ଦେଇଛନ୍ତି ।

ଗଂଜାମ‌ ଜିଲ୍ଲାରେ ୧୭ଟି କେନ୍ଦ୍ରରେ ସର୍ବାଧିକ ୨୮୧ ପ୍ରତିଶତ କରୋନା ଟିକାକରଣ ହୋଇଛି। ଜିଲ୍ଲାରେ ୧୩ ଶହ ୩୫ ଜଣଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ୩୭ ଶହ ୪୭ ଜଣ ଟିକା ନେଇଥିଲେ। ଅନୁଗୁଳର ୧୨ଟି କେନ୍ଦ୍ରରେ ୮୦୦ ଜଣଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ୧୮ ଶହ ୮୬ ଜଣଙ୍କୁ ଅର୍ଥାତ ୨୩୬ ପ୍ରତିଶତ ଟିକାକରଣ ହୋଇଛି। ସେହିପରି ଢେଙ୍କାନାଳ ଜିଲ୍ଲାରେ ୧୩୧ ପ୍ରତିଶତ, ଗଜପତିରେ ୧୧୬ ପ୍ରତିଶତ, ଜଗତସିଂହପୁରରେ ୯୮ ପ୍ରତିଶତ, ଯାଜପୁରରେ ୧୧୦ ପ୍ରତିଶତ, ଝାରସୁଗୁଡ଼ାରେ ୧୦୫ ପ୍ରତିଶତ, କଳାହାଣ୍ଡିରେ ୯୧ ପ୍ରତିଶତ, କନ୍ଧମାଳ ଓ କେନ୍ଦ୍ରାପଡ଼ାରେ ୧୩୫ ପ୍ରତିଶତ ଲେଖାଏଁ, କେନ୍ଦୁଝରରେ ୮୨ ପ୍ରତିଶତ, ଖୋର୍ଦ୍ଧାରେ ୧୦୬ ପ୍ରତିଶତ, କେରାପୁଟରେ ୧୧୩ ପ୍ରତିଶତ, ମାଲକାନଗିରିରେ ୧୦୫ ପ୍ରତିଶତ, ମୟୂରଭଂଜରେ ୧୦୪ ପ୍ରତିଶତ, ନବରଂଗପୁରରେ ୯୮ ପ୍ରତିଶତ, ନୟାଗଡ଼ରେ ୧୧୨ ପ୍ରତିଶତ, ନୂଆପଡ଼ାରେ ୮୧ ପ୍ରତିଶତ, ପୁରୀରେ ୧୬୭ ପ୍ରତିଶତ, ରାୟଗଡ଼ାରେ ୮୮ ପ୍ରତିଶତ, ସମ୍ବଲପୁରରେ ୯୫ ପ୍ରତିଶତ, ସୋନପୁରରେ ୧୩୧ ପ୍ରତିଶତ ଓ ସୁନ୍ଦରଗଡ଼ରେ ୧୫୨ ପ୍ରତିଶତ କରୋନା ଟିକାକରଣ ହୋଇଛି।

ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ୪୪ ପ୍ରତିଶତ ଅର୍ଥାତ ୧୪୮ ଜଣଙ୍କୁ ଟିକା ଦିଆଯାଇଛି। ବଲାଙ୍ଗୀର ଜିଲ୍ଲାରେ ୧୮ ଶହ ୫୦ରୁ ୧୭ ଶହ ୦୨ ଜଣଙ୍କୁ କରୋନା ଟିକା ଦିଆଯାଇଥିବା ବେଳେ ବାଲେଶ୍ବରରେ ୨୪ ଶହ ୨୨ ଜଣଙ୍କୁ ଟିକା ଦିଆଯାଇଛି। ବାଲେଶ୍ବର ଜିଲ୍ଲାରେ ୧୪୭୦ ଜଣଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଥିଲା। ଭଦ୍ରକରେ ୮୭୦ ଜଣଙ୍କୁ ଟିକାଦିଆଯିବାର ଥିଲେ ମଧ୍ୟ ଏଠାରେ ୧୮୯୬ ଜଣଙ୍କୁ ଟିକା ଦିଆଯାଇଛି। ବୌଦ୍ଧ ଜିଲ୍ଲାରେ ୩୨୦ ଜଣଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଏଠାରେ ୩୨୨ ଜଣ ଟିକା ନେଇଛନ୍ତି।

Comments (0)
Add Comment