ରାଜ୍ୟ ସରକାର ଆଜି ଗୁଇନ୍ଦା ନିର୍ଦ୍ଦେଶକଙ୍କୁ ବଦଳାଇ ଦେଇଛନ୍ତି। ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଥିବା ଲଳିତ ଦାସଙ୍କୁ ଗୃହ ବିଭାଗର ଓଏସ୍ଡି ଭାବେ ବଦଳି କରାଯାଇଛି। ଏହା ସହିତ ଏଡିଜିପି ଆର୍.ପି କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
କୋଚେ ହେଉଛନ୍ତି ୧୯୯୩ ବ୍ୟାଚର ଆଇପିଏସ ଅଫିସର। ଏହା ପୂର୍ବରୁ କୋଚେ ତିନି ବର୍ଷ ଧରି କେନ୍ଦ୍ରାଞ୍ଚଳ ଆଇଜି ଭାବେ କାର୍ୟ୍ୟରତ ଥିଲେ। ଏହି ସମୟରେ ସେ ପୁରୀ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ଦାୟିତ୍ଵରେ ରହିଥିଲେ। ଏପରିକି ନବକଳେବର ସମୟରେ ମଧ୍ୟ ସେ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ସମ୍ଭାଳିଥିଲେ। କେବଳ ଏତିକି ନୁହେଁ ୨୦୧୫ରେ ସାରଥୀ ବାବାଙ୍କ ଗିରଫ ପରେ ଉପୁଜିଥିବା ହିଂସାକୁ ସଫଳତାର ସହ ନିୟନ୍ତ୍ରଣ କରିଥିଲେ ଆରପି କୋଚେ।