ବିନା ରିପୋର୍ଟରେ ଓଡିଶା ମନା

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ କଠୋର ହୋଇଛନ୍ତି ସରକାର । ସଂକ୍ରମଣରେ ରୋକ୍ ପାଇଁ ନୂଆ ଗାଇଡଲାଇନ ଜାରି କରିଛି ସ୍ୱତନ୍ତ୍ର ରିଲିଫ୍ କମିଶନର। ଓଡ଼ିଶା ଆସିବାକୁ ହେଲେ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । ଏହି ରିପୋର୍ଟ ୭୨ ଘଂଟା ଭିତରେ ହୋଇଥିବା ଆବଶ୍ୟକ । ନଚେତ୍ ଦୁଇଟି କୋଭିଡ୍ ଟିକା ନେଇଥିବା ରିପୋର୍ଟ ଦେଖାଇବାକୁ ପଡିବ ବୋଲି କୁହାଯାଇଛି । ନହେଲେ ପ୍ରବାସୀଙ୍କୁ ୭ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏସଆରସିଙ୍କ ତରଫରୁ ଦିଆଯାଇଥିବା ନିର୍ଦ୍ଦେଶନାମା ଅନୁସାରେ ଏଣିକି ଅନ୍ୟ ରାଜ୍ୟରୁ ଟ୍ରେନ୍, ବସ୍, ବିମାନରେ ଓଡିଶା ଆସିଲେ ଆରଟି-ପିସିଆର୍ ଟେଷ୍ଟ ରିପୋର୍ଟ ଦେବାକୁ ପଡିବ । ଯେଉଁ ଲୋକମାନେ ବିନା କୋଭିଡ ରିପୋର୍ଟରେ ଓଡ଼ିଶା ଆସୁଛନ୍ତି ସେମାନେ ବାଧ୍ୟତାମୂଳକ ଭାବେ ହୋମ୍‌ କ୍ବାରେଣ୍ଟାଇନ୍‌ ଅଥବା ସରକାରୀ ସଂଗରୋଧରେ ରହିବେ। ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆସନ୍ତା ୧୨ ତାରିଖ ଠାରୁ ନୂଆ ନିୟମ ଲାଗୁ କରାଯିବ।

ଅନ୍ୟପଟେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡା, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳଙ୍କୁ ମଧ୍ୟ ଅସ୍ଥାୟୀ ମେଡିକାଲ ସେଂଟର ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଶିଳ୍ପ ସଂସ୍ଥାନ, ଶିକ୍ଷାନୁଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନରେ କୋଭିଡ-୧୯ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। କରୋନା ପଜିଟିଭ ଚିହ୍ନଟ ବ୍ୟକ୍ତିମାନଙ୍କ ପାଇଁ ଏହି ସବୁ ପ୍ରତିଷ୍ଠାନରେ କୋଭିଡ କେୟାର ସେଣ୍ଟର, କୋଭିଡ କେୟାର ହୋମ୍‌ସର ବ୍ୟବସ୍ଥା କରିବାକୁ କୁହାଯାଇଛି । ଏଥି ପାଇଁ ହେଉଥିବା ଖର୍ଚ୍ଚ ସଂସ୍ଥାକୁ ବହନ କରିବାକୁ ପଡ଼ିବ।

Comments (0)
Add Comment