ସବ୍ୟସାଚୀ-ଅର୍ଚ୍ଚିତାଙ୍କର ବାହାଘରକୁ ନେଇ ସୋସିଆଲ ମିଡିଆରେ ହଜାର ହଜାର ପୋଷ୍ଟ । ସମସ୍ତ ଏହି ନୁଆ ଯୋଡିଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ଆମେ ମଧ୍ୟ ପଛରେ ରହିବୁ ନାହିଁ । ନବଦମ୍ପତିଙ୍କୁ ଦି ବ୍ୟାପିନୀ ପକ୍ଷରୁ ଅନେକ ଅନେକ ଅଭିନନ୍ଦନ । ହେଲେ ଓଲିଉଡର ଏହି ଷ୍ଟାର କପୁଲଙ୍କ ବାହାଘର ଆମ ମନରେ କିଛି ପ୍ରଶ୍ନ ଉଠାଇଛି । ଆପଣ ଏସବୁ ପ୍ରଶ୍ନକୁ ନେଇ ଭିନ୍ନ ଆଭିମୁଖ୍ୟ ପୋଷଣ କରିପାରନ୍ତି, ଉଭୟଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ଉପରେ ଆମେ କାହିଁକି ପ୍ରଶ୍ନ ଉଠାଉଛୁ, ସେନେଇ ମଧ୍ୟ ପାଠକ ମତ ରଖିପାରନ୍ତି । ସେଥିପାଇଁ ଆମେ ବାହାଘର ପରେ ଏହି ପ୍ରଶ୍ନ ଓଡିଶାବାସୀଙ୍କ ସାମ୍ନାରେ ରଖିବାକୁ ଚିନ୍ତା କଲୁ । ରାଜ୍ୟ ସରକାରଙ୍କ ଭାରତର ବେଷ୍ଟ କେପ୍ଟ ସିକ୍ରେଟ ଭାବେ ଓଡିଶାର ବ୍ରାଣ୍ଡିଂ କରୁଛନ୍ତି । ଆଉ ଓଡିଶାର ଦୁଇ ଜଣ ଆଗଧାଡିର ନାୟକ ନାୟିକା ରାଜ୍ୟ ବାହାରେ ଯାଇ ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି, ଏହା ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ।
ପୁଣି ଥରେ କହିରଖୁଛୁ, କେଉଁଠି ବାହାହେବେ ଏବଂ କେଉଁଠି ନବଦମ୍ପତ୍ତି ଭୋଜି ଦେବେ ଏହା ସେମାନଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ଏହା ଉପରେ କେହି ପ୍ରଶ୍ନ ଉଠାଇବା ଠିକ ନୁହେଁ । ହେଲେ ଏଭଳି କିଛି ପ୍ରଶ୍ନ ଅତୀତରେ ମଧ୍ୟ ଉଠିଥିଲା । ଯେତେବେଳେ ପ୍ରିୟଙ୍କା ଚୋପ୍ରାଙ୍କ ବାହାଘର ଦେଶ ବାହାରେ ହୋଇଥିଲା । ଯେତେବେଳେ କୋହଲି-ଅନୁଷ୍କା, ରଣବୀର-ଦୀପିକା ଦେଶ ବାହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ସେତେବେଳେ ବିଦେଶ ମାଟିରେ ବାହାଘରକୁ କିଛି ବ୍ୟକ୍ତି ନାପସନ୍ଦ କରିଥିଲେ । ଏପରିକି ଏହି ତାଲିକାରେ ବିଜେପି ବିଧାୟକଙ୍କ ନାଁ ମଧ୍ୟ ଆସିଥିଲା । କାହିଁକି ଦେଶ ଭିତରେ ଏହି ପବିତ୍ର ବନ୍ଧନରେ ଆବଦ୍ଧ ହେବା ବଦଳରେ ଦୁହେଁ ବିଦେଶ ମାଟିକୁ ବାଛିଥିଲେ, ସେନେଇ ସୋସିଆଲ ମିଡିଆରେ ମଧ୍ୟ ଅନେକ ପ୍ରଶ୍ନ କରିଥିଲେ । ଏବେ ସମାନ ସ୍ଥିତି ସବ୍ୟସାଚୀ-ଅର୍ଚ୍ଚିତାଙ୍କ କ୍ଷେତ୍ରରେ ମଧ୍ୟ ସାମ୍ନାକୁ ଆସିଛି ।
ଏହି ଦୁଇ ଷ୍ଟାରଙ୍କ ବାହାଘର ଖବର ସୋସିଆଲ ମିଡିଆରେ ଆସିବା ପରେ ସମସ୍ତଙ୍କର ନଜର ଏମାନଙ୍କ ଉପରେ ଥିଲା । ହେଲେ ଓଡିଶାରେ ନିଜ ଜୀବନର ଏହି ଶ୍ରେଷ୍ଠ ସମୟ ପାଇଁ ସ୍ଥାନ ବାଛିବା ବଦଳରେ ଦୁହେଁ ବାଛିଥିଲେ ରାଜସ୍ଥାନକୁ । ହୁଏତ ଆପଣ କହିପାରନ୍ତି, ଏହା ଉଭୟଙ୍କ ବ୍ୟକ୍ତିଗତ ନିଷ୍ପତ୍ତି, ଏଥିରେ ଆମେ ମଧ୍ୟ ସହମତ । ହେଲେ ଯଦି ଓଡିଶାରେ ବିବାହ ପାଇଁ ଉଭୟେ ନିଷ୍ପତ୍ତି ନେଇଥାନ୍ତେ ଏବଂ ଓଡିଶା ମାଟିରେ ବିବାହ କରିଥାନ୍ତେ ତେବେ ଏକ ଭଲ ବାର୍ତ୍ତା ମଧ୍ୟ ସାମ୍ନାକୁ ଆସିଥାନ୍ତା । କରୋନା କଟକଣା ଭିତରେ, ଜନଗହଳିକୁ ଏଡାଇବା ପାଇଁ ଏହି ଦୁଇ ଷ୍ଟାର ଯଦି ଏଭଳି ନିଷ୍ପତ୍ତି ନେଇଥାନ୍ତି ତେବେ ଏହାକୁ ସ୍ୱାଗତ କରାଯାଇପାରେ, ହେଲେ ଓଡିଶାରେ ମଧ୍ୟ କଟକଣା ଭିତରେ ନିଜର ଖୁବ କମ ସଂପର୍କୀୟଙ୍କୁ ନେଇ ମଧ୍ୟ ବିବାହ ପାଇଁ ସ୍ଥାନ ବାଛି ପାରିଥାନ୍ତେ ଏହି ଦୁଇ ଷ୍ଟାର ।
ସବ୍ୟସାଚୀ-ଅର୍ଚ୍ଚିତା ଉଭୟେ ନିଜର ସମସ୍ତ ସମ୍ମାନ ଓଡିଶା ମାଟିରେ କମାଇଛନ୍ତି । ସେମାନଙ୍କର କର୍ମଭୁମି ଓଡିଶା । ଏହି ରାଜ୍ୟ ସେମାନଙ୍କୁ ଘରେ ଘରେ ପରିଚୟ ଦେଇଛି । ଓଡିଶାକୁ ପର୍ଯ୍ୟଟନ ଦୃଷ୍ଟିରୁ ଲୋକପ୍ରିୟ କରାଇବାକୁ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ନେଉଛନ୍ତି, ଦେଶ ବିଦେଶରୁ ଲୋକ ଓଡିଶାର ସିକ୍ରେଟ ଦେଖିବାକୁ ଆସୁଛନ୍ତି । ଆଉ ଏଭଳି ସମୟରେ ଯଦି ଓଡିଶାର କୈାଣସି ଏକ ସ୍ଥାନକୁ ଉଭୟେ ବାଛିଥାନ୍ତେ ତେବେ ଅନେକ ଦୃଷ୍ଟିକୋଣରୁ ଭଲ ହୋଇଥାନ୍ତା । ରାଜ୍ୟ ସରକାରଙ୍କୁ ଆମର ଏକ ଛୋଟିଆ ଅନୁରୋଧ ରହିବ, ଆଗାମୀ ଦିନରେ କୈାଣସି ବି ବିଭାଗ ଅବା କୈାଣସି ବି କାର୍ଯ୍ୟକ୍ରମ ପାଇଁ ଉଭୟଙ୍କୁ ବ୍ରାଣ୍ଡ ଆମ୍ବାସଡର କରିବା ବେଳେ ଏହି ଦିଗକୁ ମଧ୍ୟ ଧ୍ୟାନ ଦେବେ, ଓଡିଶା ପାଇଁ ସେମାନେ ନିଜର କର୍ତ୍ତବ୍ୟକୁ ସଠିକ ଭାବେ ତୁଲାଇଛନ୍ତି ତ? ହଁ କରୋନା ସମୟରେ ଅନେକ ବ୍ୟକ୍ତିବିଶେଷଙ୍କୁ ସବ୍ୟସାଚୀ ସାହାଯ୍ୟ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ପ୍ରଶଂସା ମଧ୍ୟ କରାଯାଇଛି, ହେଲେ ଯେତେବେଳେ ତାଙ୍କର କିଛି କାର୍ଯ୍ୟ ଆମ ମନରେ ପ୍ରଶ୍ନ ଉଠାଇବ, ଆମେ ତାକୁ ଜନତାଙ୍କ ସାମ୍ନାରେ ମଧ୍ୟ ରଖିବାକୁ ଚାହିଁବୁ । ପୁଣି ଥରେ ଉଭୟ ନବଦମ୍ପତ୍ତିଙ୍କୁ ଆମର ଶୁଭେଛା, ଉଭୟଙ୍କର ଏକ ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଆମେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ ।