ପୁଣି ପିନାକୀ ବନାମ ସମ୍ବିତ୍ !

ପିପିଲି ପଲିଟିକ୍ସକୁ ନେଇ ପାରା ଉପରମୁହାଁ ହେଲାଣି । ପ୍ରଦୀପ ମହାରଥୀଙ୍କ ବିୟୋଗର ମାସ କେଇଟା ବିତିନି ପିପିଲିରେ ଦେଖିବାକୁ ମିଳିଲାଣି ଉପନିର୍ବାଚନ ମାହୋଲ । ମାଳମାଳ ନେତା ଏବେ ପିପିଲି ମୁହାଁ ହେଉଥିବାର ଦେଖିବାକୁ ମିଳିଛି । ଆଉ ଶୀତଦିନରେ ଏହି ଉଷ୍ମତା ସେତେବେଳେ ଅଧିକ ବଢୁଛି ଯେତେବେଳେ ବିଜେପିର କଥା କୁହାଳିଆ ନେତା ସମ୍ବିତ ପାତ୍ର ଘନ ଘନ ପିପିଲି ଗସ୍ତ କରୁଛନ୍ତି । ପୁରୀରୁ ଗତ ୨୦୧୯ରେ ବିଜେପିର ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ସମ୍ବିତ ଏବେ ଦିଲ୍ଲୀରୁ ଆସି ପିପିଲିରେ ଡେରା ପକାଇ ରହୁଛନ୍ତି । ପିପିଲି ଉପନିର୍ବାଚନ ପାଇଁ ସମ୍ବିତ ବିଜେପିର ମଙ୍ଗ ଧରିବେ ବୋଲି ସଂକେତ ମିଳୁଥିବା ବେଳେ ସମ୍ବିତ ମଧ୍ୟ ଏଥିପାଇଁ ନିଜକୁ ପ୍ରସ୍ତୁତ କରିଥିବା ଭଳି ମନେ ହେଉଛି । ପିପିଲିରେ ପଦ୍ମ ଫୁଟାଇବା ପାଇଁ ସମ୍ବିତ ଏବେଠୁ ଅଙ୍କ କଷିବା ଆରମ୍ଭ କରିଥିବା ବେଳେ ବିଜେଡିର ଗଡ କୁହାଯାଉଥିବା ପିପିଲିରେ କିନ୍ତୁ ଏଯାଏଁ ଦଳୀୟ ନେତା ଆକ୍ଟିଭ ମୋଡକୁ ଆସିନାହାନ୍ତି । ଜନସମ୍ପର୍କ ନାଁରେ ପ୍ରଦୀପଙ୍କ ପରିବାର ଦଳୀୟ କର୍ମୀଙ୍କୁ ଭେଟୁଥିବା ବେଳେ ବିଜେଡି ଫୋକସକୁ ଏଯାଏଁ ପିପିଲି ଆସିନଥିବା ଭଳି ମନେ ହେଉଛି । ପିପିଲି ବ୍ୟାଟଲଗ୍ରାଉଣ୍ଡରେ ବିଜେଡିରୁ ଏଯାଏଁ କେହି ସାମ୍ନାକୁ ଆସିନଥିବା ବେଳେ ଏହା ଏବେ ଦଳକୁ ବ୍ୟାକଫୁଟକୁ ଠେଲି ଦେଇଛି । ତେବେ ଚର୍ଚ୍ଚା ହେଉଛି, ସମ୍ବିତଙ୍କ ସବୁ ମାଷ୍ଟରପ୍ଲାନକୁ ମାତ୍ ଦେବାକୁ ବିଜେଡିକୁ ବଡ଼ ବିଜୟ ଭେଟି ଦେବାକୁ ପିପିଲିର ମଙ୍ଗ ଧରିପାରନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ଆଉ ଯଦି ଏଭଳି ସ୍ଥିତି ଉପୁଜେ ତେବେ ପିପିଲିରେ ହାଇଭୋଲଟେଜ ଲଢେଇ ଦେଖିବାକୁ ମିଳିପାରେ ।

ଉଭୟ ପିନାକୀ ଓ ସମ୍ବିତଙ୍କ ପାଇଁ ପିପିଲି ଲଢେଇ ସମ୍ମାନର ଲଢେଇ ଭାବେ ଉଭା ହେବ । ପ୍ରାର୍ଥୀ ନହେଲେ ମଧ୍ୟ ପରାଜୟର ବୋଝ ମୁଣ୍ଡାଇବାକୁ ଚାହିଁବେନି ଉଭୟ ପିନାକୀ ଓ ସମ୍ବିତ । କାରଣ ପିପିଲି ଉପନିର୍ବାଚନ ସହ ଯୋଡି ହୋଇ ରହିଛି ଉଭୟଙ୍କର ରାଜନୈତିକ ଭବିଷ୍ୟତ । ଏକଥା ଏଥିପାଇଁ କୁହାଯାଉଛି କାରଣ, ୨୦୧୯ ନିର୍ବାଚନରେ ବିଜେଡି ଗଡ କୁହାଯାଉଥିବା ପୁରୀ ଜିଲ୍ଲାରେ ଧସେଇ ପଶିଥିଲା ବିଜେପି । ଦୀର୍ଘ ଦିନ ଧରି ବିଜେଡିର ଦବଦବା ରହି ଆସିଥିବା ପୁରୀ ସଦର ଆସନରେ ପ୍ରଥମଥର ପାଇଁ ପଦ୍ମ ଫୁଟିଥିଲା । ସେହିଭଳି ବ୍ରହ୍ମଗିରି ଆସନରେ ମଧ୍ୟ ଉଡିଥିଲା ଗେରୁଆ ବାନା । ତେବେ ମହାରଥୀଙ୍କ ପାଇଁ କୌଣସିମତେ ପିପିଲିରେ ଫୁଟିନଥିଲା ପଦ୍ମ । କିନ୍ତୁ ପିପିଲି ଗଡରେ ପଶିବାକୁ ଜୋରଦାର ଉଦ୍ୟମ କରିଥିଲା ବିଜେପି । ତେଣୁ ପିପିଲି ଆସନର ଦାୟିତ୍ୱ ଯଦି ପିନାକୀଙ୍କୁ ମିଳେ ତେବେ ଏଠାରେ ପୁଣିଥରେ ବିଜୟ ବାନା ଉଡାଇବା ପିନାକୀଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ହୋଇ ଛିଡାହେବ । ଏହାଛଡା ସାଧାରଣ ନିର୍ବାଚନ ପରେ ଅଧିକାଂଶ ସମୟ ଦିଲ୍ଲୀରେ ରହୁଥିବା ପିନାକୀ ବାସ୍ତବରେ ପୁରୀରେ କେତେ ଜନପ୍ରିୟ ତାହାର ସାର୍ଟିଫିକେଟ ପିପିଲି ନିର୍ବାଚନ ଦେବ । ମହାରଥୀଙ୍କ ମୃତ୍ୟୁ ପରେ ଯେହେତୁ ପୁରୀରେ ବିଜେଡି ଗଡ ଦୁର୍ବଳ ହେବାରେ ଲାଗିଛି ତେଣୁ ରାଜନୈତିକ ଅଭିଜ୍ଞତା ଥିବା ପିନାକୀଙ୍କ ଉପରେ ସଙ୍ଗଠନକୁ ମଜବୁତ କରି ଦଳକୁ ପୁଣିଥରେ ଅଣ୍ଟା ସଳଖି ଛିଡା କରାଇବାର ଦାୟିତ୍ୱ ରହିପାରେ । ଯାହା ପିନାକୀଙ୍କ ପାଇଁ ଏସିଡ ଟେଷ୍ଟ ସଦୃଶ । ତେଣୁ ପିପିଲି ନିର୍ବାଚନର ଫଳାଫଳ ଉପରେ ପିନାକୀଙ୍କ ରାଜନୈତିକ ଭବିଷ୍ୟତ ନିର୍ଭର କରୁଛି ।

ସେହିଭଳି ପିପିଲି ଉପନିର୍ବାଚନ ଉପରେ ସମ୍ବିତଙ୍କର ଅଧିକ ଫୋକସ ରହିବା ପଛର ସବୁଠୁ ବଡ କାରଣ ହେଲା ୨୦୨୪ ନିର୍ବାଚନ । ୨୦୧୯ରେ ଖୁବ୍ ଭୋଟରେ ହାରି ସାଂସଦ ଭାବେ ନିର୍ବାଚିତ ହେବାରୁ ବଞ୍ଚିତ ହୋଇଥିବା ସମ୍ବିତଙ୍କ ପାଇଁ ପିପିଲି ଆସନ ବଡ ସୁଯୋଗ ଆଣି ଦେଇଛି । ଯାହାକୁ ଆଦୌ ହାତଛଡା କରିବାକୁ ଚାହୁଁନାହାନ୍ତି ସମ୍ବିତ । ପିପିଲି ଉପନିର୍ବାଚନର ମଙ୍ଗ ନିଜେ ଧରିବା ସହ ବିଜେଡି ଗଡରେ ଗେରୁଆ ବାନା ଉଡାଇ ନିଜର ଲୋକପ୍ରିୟତାର ପ୍ରମାଣ ଦେବାକୁ ଚାହୁଁଛନ୍ତି ସମ୍ବିତ । ଏହି ନିର୍ବାଚନରେ ବିଜୟ ସହ ଓଡ଼ିଶା ରାଜନୀତିରେ ମଧ୍ୟ ନିଜର ଦବଦବା ଜାହିର କରିବାକୁ ଉଦ୍ୟମ କରିପାରନ୍ତି ସମ୍ବିତ । କାରଣ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ବିଜେପି ପରାଜିତ ହୋଇଥିବା ବେଳେ ଶୀର୍ଷ ସ୍ତରର ନେତାଙ୍କ ନିର୍ବାଚନ ଋଣନୀତିକୁ ନେଇ ପ୍ରଶ୍ନ ଉଠାଇଥିଲେ ତୃଣମୂଳସ୍ତରର କର୍ମୀ । ତେଣୁ ମହାରଥୀଙ୍କ ଗଡରେ ଗେରୁଆ ବାନା ଉଡାଇ ଉଭୟ ଜାତୀୟ ଓ ରାଜ୍ୟ ସ୍ତରରେ ମାଇଲେଜ ନେବାକୁ ସମ୍ବିତ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ସମ୍ବିତ ଭଲ ଭାବେ ଜାଣିଛନ୍ତି ପିପିଲି ଉପନିର୍ବାଚନର ଫଳାଫଳ ତାଙ୍କ ରାଜନୈତିକ କ୍ୟାରିୟରର ସବୁଠୁ ବଡ ଟର୍ଣ୍ଣିଂ ପଏଣ୍ଟ ସାଜିପାରେ । କାରଣ ପୁରୀରେ ବିଜୟ ବାନା ଉଡାଇବାକୁ ହେଲେ ପିପିଲି ପ୍ରବେଶପଥ ଦେଇ ଯିବାକୁ ହେବ ଏକଥା ହୁଏତ ସମ୍ବିତଙ୍କୁ ଅଛପା ନଥିବ । ତେଣୁ ୨୦୨୧ରେ ପିପିଲି ବିଜୟ ୨୦୨୪ରେ ତାଙ୍କର ପୁରୀ ବିଜୟକୁ ଆହୁରି ସହଜ କରିଦେବ ବୋଲି ସମ୍ବିତ ଆକଳନ କରିଥାଇପାରନ୍ତି । ଆଉ ଯଦି ଏଭଳି ହୁଏ ତେବେ ପୁରୀ ପରେ ପ୍ରଚ୍ଛଦପଟରେ ହେଉ ପଛେ ପୁଣିଥରେ ସମ୍ବିତ-ପିନାକୀଙ୍କ ଲଢେଇ ଦେଖିବାକୁ ପାଇବେ ରାଜ୍ୟବାସୀ ।

ଗୋଟିଏ ପଟେ ପିପିଲି ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ସମ୍ବିତଙ୍କୁ ଗୁରୁଦାୟିତ୍ୱ ମିଳିବ ବୋଲି ସ୍ପଷ୍ଟ ସଂକେତ ମିଳୁଥିବା ବେଳେ ବିଜେଡି ପକ୍ଷରୁ କାହା ମୁଣ୍ଡରେ ନିର୍ବାଚନ ପରିଚାଳନାର ଗୁରୁଦାୟିତ୍ୱ ରହିବ ତାହା ଏବେ ବି ସସପେନ୍ସ ହୋଇ ରହିଛି । ଏପରିକି ଦଳ ଏଠାରେ କାହାକୁ ପ୍ରାର୍ଥୀ କରିବ ସେନେଇ ମଧ୍ୟ କୌଣସି ସଂକେତ ଏଯାଏଁ ମିଳିନାହିଁ । ଲୋକପ୍ରିୟତା ଓ ସଙ୍ଗଠନ ଦୃଷ୍ଟିରୁ ଯଦି ପିନାକୀଙ୍କୁ ଦଳ ଏହି ଗୁରୁଦାୟିତ୍ୱ ନ ଦିଏ ତେବେ ତଥାକଥିତ ୟଙ୍ଗବିଗ୍ରେଡଙ୍କୁ ନିର୍ବାଚନ ମୈଦାନକୁ ଓହ୍ଲାଇବ କି ବିଜେଡି । ଏକଥା ଏଥିପାଇଁ କୁହାଯାଉଛି କାରଣ, ମହାରଥୀଙ୍କ ପୁଅ ଏବେ ପିପିଲିରେ ବିଜେଡି ରାଜନୀତିକୁ ମନିଟରିଂ କରୁଛନ୍ତି । ଯୁବଗୋଷ୍ଠୀଙ୍କୁ ସାଥୀରେ ଧରି ବିଭିନ୍ନ ସଭା ଓ କାର୍ୟ୍ୟକ୍ରମ ମାଧ୍ୟମରେ କର୍ମୀଙ୍କ ପାଖରେ ପହଞ୍ଚୁଛନ୍ତି । ଏହାଛଡା ମହାରଥୀଙ୍କ ନିଜସ୍ୱ ଭୋଟବ୍ୟାଙ୍କ ରହିଥିବା ବେଳେ ଅନୁକମ୍ପାର ହାୱାକୁ ସାଥୀ କରି ପୁଣିଥରେ ପିପିଲିରେ ବିଜେଡିର ବିଜୟ ବାନା ଉଡାଇବାକୁ ପୁଅ ରୁଦ୍ର ଦକ୍ଷତା ରଖିଛନ୍ତି ବୋଲି ଚର୍ଚ୍ଚା ହେଉଛି । ତେଣୁ ପିନାକୀଙ୍କ ବଦଳରେ ମହାରଥୀଙ୍କ ପୁଅ ହାତରେ ପିପିଲି ନିର୍ବାଚନର ଭାର ଟେକି ଦିଆଯାଇପାରେ ବୋଲି ସଂକେତ ମିଳୁଛି । କାରଣ ପିନାକୀଙ୍କୁ ଏହି ଗୁରୁଦାୟିତ୍ୱ ଦେଇ ନିର୍ବାଚନୀ ବ୍ୟାଟେଲଗ୍ରାଉଣ୍ଡରେ ବ୍ୟାକଫୁଟରେ ରହିବାକୁ ଚାହିଁବନି ବିଜେଡି ।

Comments (0)
Add Comment