ପୁରୀ ଜିଲ୍ଲାର ତଥାକଥିତ ଟାଣୁଆ ନେତା ସଂଜୟ ଦାସବର୍ମା । ୨୦୯ ନିର୍ବାଚନ ହାରିବା ପରେ ସତେ ଯେମିତି ତାଙ୍କର ଶନିଦଶା ଚାଲିଛି । ପରିବର୍ତ୍ତିତ ସ୍ଥିତିରେ ସେ ଯେଉଁ ଆଶା ରଖିଥିଲେ ତାହା ବି ଭାଙ୍ଗିରୁଜ୍ଜି ଯାଉଥିବା ଚର୍ଚ୍ଚା ହେଉଛି । ମହେଶ୍ୱର ମହାନ୍ତି ହାରିବା ପରେ, ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଅଭିଜ୍ଞ ନେତା ଭାବେ ସଂଜୟ ଭାବିଥିଲେ ବ୍ରହ୍ମଗିରି ସହ ପୁରା ଜିଲ୍ଲାର ଦାୟିତ୍ୱ ତାଙ୍କୁ ମୁଖିଆ ଦେବେ । ଜିଲ୍ଲାର ରାଜନୀତିକୁ ନିୟନ୍ତ୍ରଣ କରିବେ । ଜିଲ୍ଲାର ସବୁ ନିଷ୍ପତ୍ତି ତାଙ୍କ ସମ୍ମତିରେ କରାଯିବ । ହେଲେ ଏଥିରେ ପୁରା ଓଲଟା ଦିଗ ଦେଖୀବାକୁ ମିଳୁଛି । ୨୦୧୯ ନିର୍ବାଚନ ହାରିବା ପରେ ତାଙ୍କ ଗୁରୁତ୍ୱ ଯଥେଷ୍ଟ କମିଥିବା କୁହାଯାଉଛି । ଏମିତିରେ ବି ମୁଖ୍ୟାଳୟ ଦାୟିତ୍ୱରେ ଥିଲେ ବି ଏହା କେବଳ ଏକ ପଦବୀ । ଏହାର କିଛି ଗୁରୁତ୍ୱ ନଥିବା ନିଜେ ସଂଜୟ ଦାସବର୍ମା ଜାଣିଛନ୍ତି । କାରଣ ବିଜେଡିରେ, ବିଜୁ ଜନତା ଦଳର ଅଫିସର ମହତ୍ତ୍ୱ ଶୁନ କହିଲେ ଭୁଲ ହେବାନହିଁ । ପ୍ରକୃତ କ୍ଷମତାକେନ୍ଦ୍ର ହେଉଛି ନବୀନ ନିବାସ । ସମସ୍ତ ନିଷ୍ପତ୍ତି ସେଠାରେ ହିଁ ହୁଏ । ତେଣୁ ମୁଖ୍ୟାଳୟ ସାଧାରଣ ସଂପାଦକ ଦାୟିତ୍ୱ ପାଇବା ପରେ ସଂଜୟ ଦାସବର୍ମା ଭାବିଥିଲେ ଦଳ ଭିତରେ ତାଙ୍କ ଗୁରୁତ୍ୱ ବଢୁଛି । ମାତ୍ର ଏବେ ବାସ୍ତବତାକୁ ସେ ଭଲ ଭାବେ ଜାଣିଯାଇଛନ୍ତି ।
ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ପାଇଁ ଉପ-ନିର୍ବାଚନ ହେବାକୁ ଯାଉଛି । ସଂଜୟ ଭାବୁଥିଲେ ଦଳ ତାଙ୍କୁ ଦାୟିତ୍ୱ ଦେବ, ପ୍ରାର୍ଥୀ ଚୟନରେ ତାଙ୍କର ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକା ରହିବ । ଏକଥା ଭାବିବା ସ୍ୱାଭାବିକ ମଧ୍ୟ । କାରଣ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ କ୍ୟାବିନେଟ ପାହ୍ୟା ତାଙ୍କର ଅଛି । ପୁରୀ ଜିଲ୍ଲାରେ ତାଙ୍କ ଅଭିଜ୍ଞତା ସବୁଠାରୁ ଅଧିକ । ନିର୍ବାଚନ ପରିଚାଳନାରେ ସେ ମାହିର୍ । ହେଲେ ଏସବୁ ମାପକାଠିକୁ ଆଉ ଦଳ ଗୁରୁତ୍ୱ ଦେଇନାହିଁ । ଶୁଣିବାକୁ ମିଳୁଛି ସଂଜୟ ଦାସବର୍ମାଙ୍କୁ ପିପିଲି ନିଷ୍ପତ୍ତିରେ ବିଲକୁଲ ବି ପରାମର୍ଶ କରାଯାଉନାହିଁ । ଅର୍ଥାତ୍ କିଏ ପ୍ରାର୍ଥୀ ହେବ, ନିର୍ବାଚନ ଦଳ କିଭଳି ଲଢିବ, ସେ ସଂକ୍ରାନ୍ତରେ ହେଉଥିବା ଆଲୋଚନାରେ ସଂଜୟଙ୍କୁ ସାମିଲ କରାଯାଉ ନାହିଁ । ଏପରିକି ନିଜେ ସଂଜୟ ଏନେଇ କିଛି ପରାମର୍ଶ ଦେବାକୁ ଚାହିଁଲେ ବି ଦଳର କ୍ଷମତାଶାଳୀ ଗୋଷ୍ଠୀ କଥା ବଦଳାଇ ଦେଉଥିବା ଚର୍ଚ୍ଚା ହେଉଛି । ଯେଉଁ ନେତା ମାନଙ୍କୁ ପିପିଲି ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ଦିଆଯାଇଛି, ସେଥିରୁ ସ୍ପଷ୍ଟ ଭାବେ ଏକଥା ବାରି ହେଉଛି । ଶୁଣିବାକୁ ମିଳୁଛି ପିପିଲି ପ୍ରାର୍ଥୀ ଚୟନ ପାଇଁ ଯେଉଁ କମିଟି ହୋଇଛି, ଯିଏ ଦଳର ମୁଖିଆଙ୍କୁ ଗ୍ରାଉଣ୍ଡରୁ ରିପୋର୍ଟ ଦେବେ ସେଥିରେ ମନ୍ତ୍ରୀ ସମୀର ଦାସଙ୍କ ବଡ ଭୂମିକା ରହୁଛି । ତେଣୁ ପିପିଲି ଆଶାୟୀଙ୍କ ଭିଡ ସମୀର ଦାସଙ୍କ ôଘ ସାମ୍ନାରେ ଅଧିକ ସଂଜୟ ଦାସବର୍ମାଙ୍କ ôଘ ସାମ୍ନାରେ କମ୍ ଦେଖିବାକୁ ମିଳୁଛି ।
ସଂଜୟ ଦାସବର୍ମାଙ୍କୁ ହଠାତ୍ ଏଭଳି ସାଇଡ୍ କରିବା ପଛର କାରଣ କଣ? କୁହାଯାଉଛି, ଲୁଲୁ ମହାପାତ୍ର ଯେଭଳି ବିଧାନସଭା ନଆସନ୍ତି ସେନେଇ ବିଜେଡି ସବୁ ପ୍ରକାରର ଚେଷ୍ଟା କରୁଥିଲେ । ନିଜେ ବିଜେଡି ମୁଖିଆ ଏହା ଚାହୁଁଥିବାରୁ ସମସ୍ତ ବଳ ଆଉ କୈାଶଳ ଲଗାଇ ସଂଜୟଙ୍କୁ ଜିତାଯାଉଥିଲା । ହେଲେ ଲୁଲୁ ମହାପାତ୍ରଙ୍କ ଦେହାନ୍ତ ପରେ ଏହି ନିର୍ବାଚନ ମଣ୍ଡଳୀ ବିଜେଡି ସୁପ୍ରିମୋଙ୍କ ପାଇଁ କମ୍ ଗୁରୁତ୍ୱ ରଖୁଛି । ଏମିତିରେ ବି ସଂଜୟ ଦାସବର୍ମା ହାରିଯିବା କାରଣରୁ ତାଙ୍କର ଛବି ମୁଖିଆଙ୍କ ସାମ୍ନାରେ ମଳିନ ପଡିଯାଇଛି । ଯଦିଓ ହାରିଥିବା ନେତା ଭିତରେ କେବଳ ସଂଜୟ ଦାସବର୍ମାଙ୍କୁ ଥଇଥାନ କରାଯାଇଛି ତେବେ ଏହା ପଛରେ ଆନ୍ତରିକତା କମ୍ ବରଂ ବାଧ୍ୟବାଧକତା ଅଧିକ ବୋଲି କୁହାଯାଉଛି । ଶୁଣିବାକୁ ମିଳୁଛି, ସଂଗଠନ ସଂପାଦକ ଦାୟିତ୍ୱ ପ୍ରଣବ ପ୍ରକାଶ ଦାସଙ୍କୁ ଦେବା ପରେ ସଂଜୟ ଦାସବର୍ମାଙ୍କୁ ଦଳ ଭିତରେ ପଦବୀ ଦେବାର ଆବଶ୍ୟକତା ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ହେଉଛି । ହେଲେ ଏହାର ସତ୍ୟତା କେତେ ତାହା ସ୍ପଷ୍ଟ ହୋଇ ପାରିନାହିଁ । ମାତ୍ର ପିପିଲି ଉପ-ନିର୍ବାଚନ ପାଇଁ ସଂଜୟଙ୍କ ପରାମର୍ଶ ନ’ଲୋଡିବା ଦଳ ଭିତରେ ଚର୍ଚ୍ଚାର କାରଣ ପାଲଟିଛି ।