ସମୀର ୱାଙ୍ଖଡେ ବିଦା ହେବା ପରେ ଓଡ଼ିଶା କ୍ୟାଡର ଆଇପିଏସଙ୍କୁ ଦାୟିତ୍ୱ । ଓଡିଶା କ୍ୟାଡର ଆଇପିଏସ ସଂଜୟ ସିଂହ କରିବେ ଆରୟନ ମାମଲାର ତଦନ୍ତ । ଆରୟନ ଖାନ ମାମଲା ସହ ଅନ୍ୟ ୫ଟି ମାମଲାକୁ ମଧ୍ୟ ଏନସିବିର ଦିଲ୍ଲୀ ଜୋନକୁ ହସ୍ତାନ୍ତର କରାଯାଇଛି । ଏଥିପାଇଁ ଦିଲ୍ଲୀ ଏନସିବି ପକ୍ଷରୁ ଏକ ଏସଆଇଟି ଗଠନ କରାଯାଇଛି । ଯାହାର ନେତୃତ୍ୱ ନେବେ ସଂଜୟ ସିଂହ । ଏଥିପାଇଁ ସେ ଆଜି ଦିଲ୍ଲୀରୁ ମୁମ୍ବାଇ ଯିବେ ।
ସଂଜୟ ସିଂହ ୧୯୯୬ ବ୍ୟାଚ୍ ଓଡିଶା କ୍ୟାଡର ଆଇପିଏସ ଅଫିସର । କ୍ୟାରିୟରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ସେ ସମ୍ଭାଳିଛନ୍ତି । ଓଡିଶା ପୋଲିସରେ ଅତିରିକ୍ତ କମିଶନର ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ପରେ ଆଇଜି ପଦକୁ ଉନ୍ନିତ ହୋଇଥିଲେ । ସେହିପରି ସିବିଆଇରେ ମଧ୍ୟ ନିଜର ଦାୟିତ୍ୱ ନିର୍ବାହ କରିଛନ୍ତି । ଏହାପରେ ଏନସିବିରେ ଆଇଜି ଅପରେସନ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଅନେକ ଗୁରୁତ୍ୱପୂର୍ଣ୍ଣ ଡ୍ରଗ୍ସ ମାମଲାର ସେ ତଦନ୍ତ କରିଛନ୍ତି । ସେଥିପାଇଁ ତାଙ୍କୁ ଡ୍ରଗ୍ସ ବିରୋଧୀ ଟାସ୍କଫୋର୍ସର ନେତୃତ୍ୱ ଦିଆଯାଇଛି ।
ସେପଟେ ପ୍ରତିକ୍ରିୟା ରଖି ସମୀର ୱାନଖଡ଼େ କହିଛନ୍ତି ଯେ, ତାଙ୍କୁ ତଦନ୍ତରୁ ହଟାଯାଇ ନାହିଁ । ବରଂ ଏହି ମାମଲାର ତଦନ୍ତ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା କରାଇବାକୁ ସେ କୋର୍ଟରେ ଆବେଦନ କରିଥିଲେ । ଏହା ପରେ ଏସବୁ କେସକୁ ସ୍ଥାନାନ୍ତର କରାଯାଇଛି । ଏନସିବିର ମୁମ୍ବାଇ ଓ ଦିଲ୍ଲୀ ଜୋନ୍ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି । କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲାରେ ଆରୟନ ଖାନ ଗିରଫ ହେବା ପରେ ଚର୍ଚ୍ଚାକୁ ଆସିଥିଲେ ୱାଙ୍ଖଡେ । ତେବେ ତାଙ୍କ ନାମରେ ଅଭିଯୋଗ ଆଣିଥିଲେ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକ । ସମୀର ଚାକିରି ପାଇବାକୁ ନିଜ ପ୍ରମାଣପତ୍ରରେ ହେରଫେର କରିଥିବା ସେ ଅଭିଯୋଗ କରିଥିଲେ ।