ସ୍କୁଟି ମିଳିଲା, କିନ୍ତୁ ଝରାଫୁଲ ମୃତ୍ୟୁ ସସପେନ୍ସ ଉପରୁ ପରଦା କେବେ ହଟିବ । ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ପୋଲିସକୁ ବଡ ସୁରାକ ମିଳିଛି । ଯେଉଁ ସ୍କୁଟିରେ ଝରାଫୁଲକୁ ବସାଇ ରାକେଶ ଓ ତାର ସହଯୋଗୀ ବସାଇ ନେଇଥିଲେ ତାକୁ ଜବତ କରିଛି ପୋଲିସ । ଭୁବନେଶ୍ୱର ସୁନ୍ଦରପଦାରୁ ଏହି ସ୍କୁଟିକୁ ଜବତ କରିଛି ଯାଜପୁର ପୋଲିସ । ତେଣୁ ଏହି ସ୍କୁଟି କାହାର ସେନେଇ ଏବେ ପୋଲିସ ତନାଘନା ଆରମ୍ଭ କରିଛି । ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟରେ ଏହି ସ୍କୁଟିରେ ଝରାଫୁଲକୁ ବସାଇ ନେଉଥିଲେ ରାକେଶ ଓ ତାର ସହଯୋଗୀ ।
ସ୍କୁଟି ଜବତ କରିବା ପୂର୍ବରୁ ଗତକାଲି ଅଭିଯୁକ୍ତ ରାକେଶକୁ ଭୁବନେଶ୍ୱରକୁ ଆଣି ପୂରା ଘଟଣାର ସିନ୍- ରିକ୍ରିଏସନ କରିଥିଲା କୁଆଖିଆ ପୋଲିସ । ସୁନ୍ଦରପଦାରେ ଥିବା ରାକେଶର ଘର, ଶିବ ସାଇ ଗେଷ୍ଟ ହାଉସ, ପାର୍କ ଓ ମୃତ୍ୟୁ ପୂର୍ବରୁ ଝରାଫୁଲ ଯାଇଥିବା ଫାଷ୍ଟଫୁଡ ଦୋକାନରେ ପହଞ୍ଚି ସିନ୍ ରିକ୍ରିଏଟ କରାଯାଇଥିଲା । ଏପରିକି ଏହି ସମୟ ମଧ୍ୟରେ କଣ କଣ ହୋଇଥିଲା ସେ ବାବଦରେ ରାକେଶ ପୋଲିସକୁ ଡେମୋ ଦେଖାଇଥିଲା । କେଉଁଠି ଖାଇଥିଲେ, ଗେଷ୍ଟ ହାଉସରେ କଣ ହୋଇଥିଲା, ସ୍କୁଟିରେ ନେବା ପୂର୍ବରୁ ଝରାଫୁଲ ଅଚେତ ଥିଲେ ନା ନାହିଁ, ଯଦି ସ୍କୁଟିରେ ନେଲେ ତେବେ ଝରାଫୁଲଙ୍କୁ ହସ୍ପିଟାଲ ବଦଳରେ ରାସ୍ତାରେ କାହିଁକି ଫୋପାଡିଦେଲେ ଏଭଳି ଅନେକ ପ୍ରଶ୍ନର ଉତ୍ତର ଏବେ ରହସ୍ୟ ହୋଇ ରହିଛି । ତେବେ ରିମାଣ୍ଡରେ ଆଣି ପୋଲିସ ଅଭିଯୁକ୍ତକୁ ପଚରାଉଚରା କରୁଥିବା ବେଳେ ଖୁବଶୀଘ୍ର ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିବା ନେଇ ପରିବାର ଆଶା ବାନ୍ଧି ବସିଛନ୍ତି ।