ବିଜେଡିରେ ଚର୍ଚ୍ଚା – ଖବରକାଗଜ ଆଉ ଟିଭିକୁ ଜଗୁନାହାନ୍ତି କି ସୈାମ୍ୟ?

ନିଜ ରାଜନୈତିକ ପ୍ରତିଷ୍ଠା ଏବଂ ଭାବମୁର୍ତ୍ତି ତଥା ଦୀର୍ଘ ଦିନର ସାମ୍ବାଦିକତା ଜୀବନର ପୁଂଜିକୁ ଯେତେବେଳେ ପଛକୁ ଠେଲି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ ରାଜ୍ୟ ରାଜନୀତିର ଜଣାଶୁଣା ଚେହେରା ସୈାମ୍ୟରଂଜନ ପଟ୍ଟନାୟକ ସେତେବେଳେ ସେ ବିଲକୁଲ ମଧ୍ୟ ଭାବିନଥିବେ ତାଙ୍କ ପଛରେ ତାଙ୍କ ନାଁକୁ ବଦନାମ କରିବାକୁ ଏବଂ ଦଳ ଭିତରେ ତାଙ୍କର ଗ୍ରହଣୀୟତାକୁ କମ କରିବାକୁ ଷଡଯନ୍ତ୍ର କରିବାରେ ବ୍ୟସ୍ତ ରହିବେ ତାଙ୍କ ନିଜ ଅନୁଷ୍ଠାନର କିଛି ସାମ୍ବାଦିକ ଆଉ ତାଙ୍କର କିଛି ପାଖ ଲୋକ । ଏମିତି ଚର୍ଚ୍ଚା ଏବେ ରାଜନୈତିକ ମହଲରେ ଘୁରିବୁଲୁଛି । ବିଜେଡି ମହଲରେ ଏହାକୁ ନେଇ ଘଂଟାଚକଟା ମଧ୍ୟ ଆରମ୍ଭ ହେଇଗଲାଣି । ସତରେ କଣ ପୁଣି ସୈାମ୍ୟରଂଜନ ପଟ୍ଟନାୟକ ବିଜେଡି ବିରୁଦ୍ଧରେ ଯିବା ଆରମ୍ଭ କଲେଣି ନା ସଂସ୍ଥାରେ କାର୍ଯ୍ୟ କରୁଥିବା କିଛି ବ୍ୟକ୍ତି ତାଙ୍କ ଅଗୋଚରରେ ବଦନାମ କରିବା ପାଇଁ ଷଡଯନ୍ତ୍ର ରଚୁଛନ୍ତି । ଗତ କିଛି ଦିନର ଘଟଣାକ୍ରମ କିଛି ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଖାସ କରି ବିଜେଡିର ଅନ୍ଦରମହଲରେ ମଧ୍ୟ ସୈାମ୍ୟଙ୍କ ସଂସ୍ଥା ଉପରେ ବ୍ୟାପକ ନଜର ରଖାଯିବା ସହ ପ୍ରତିଟି ଦିଗକୁ ଅନୁଶୀଳନ କରାଯାଉଥିବା କଥା କୁହାଯାଉଛି ।

ନେତାଜୀ ଜୟନ୍ତୀକୁ ଉଦାହରଣ ଭାବେ ନେଇ ବିଜେଡିର ଜଣେ ବରିଷ୍ଠ ନେତା ଖୋଲାଖୋଲି ସୈାମ୍ୟଙ୍କ ମାଲିକାନାରେ ଥିବା ଦୁଇଟି ଗଣମାଧ୍ୟମ ସଂସ୍ଥାର ବିଶ୍ଳେଷଣ କରୁଥିବା ବେଳେ ସେଠାରେ ଥିବା ଆମ ପ୍ରତିନିଧିଙ୍କ କାନରେ ଏହି କଥା ପଡିଥିଲା । ନେତାଜୀ ଜୟନ୍ତୀରେ କଟକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କାର୍ଯ୍ୟକ୍ରମ ଥିଲା ପଶ୍ଚିମବଙ୍ଗରେ । ଏହି ଦୁଇ କାର୍ଯ୍ୟକ୍ରମକୁ ସୈାମ୍ୟଙ୍କର ଦୁଇଟି ସଂସ୍ଥା କିଭଳି ଭାବରେ ଚିତ୍ରଣ କଲେ ତାକୁ ନେଇ ବିଜେଡି ମହଲରେ ବ୍ୟାପକ ଚର୍ଚ୍ଚା ହୋଇଛି । ଏପରିକି ଏହା ଉପରେ ପ୍ରାୟ ଅଧଘଂଟା ଧରି ଜଣେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମାନସମନ୍ଥନ ହେଲା ବୋଲି ଆମ ନିକଟରେ ଖବର ପହଁଚିଛି ।

ସୈାମ୍ୟଙ୍କ ଖବରକାଗଜର ପ୍ରଥମ ପୃଷ୍ଠାରେ ମୁଖ୍ୟମନ୍ତ୍ରୀଙ୍କ କଟକର କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ସ୍ଥାନ ଦିଆଯାଇଥିଲା । ନେତାଜୀଙ୍କ ଜନ୍ମସ୍ଥାନର କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ବସ ଟର୍ମିନାଲ ଶୁଭ ରଖିବାଯାଏଁ ସବୁକିଛି ସ୍ଥାନ ପାଇଥିଲା ପ୍ରଥମ ପୃଷ୍ଠାରେ । ହେଲେ ସୈାମ୍ୟଙ୍କ ମାଲିକାନାରେ ଥିବା ଚ୍ୟାନେଲରେ ଏହା କିଛି ଏମିତି ସ୍ଥାନ ପାଇଥିଲା ଯେମିତି ଏହି ଖବରର ଗୁରୁତ୍ୱ ନାହିଁ । ଉଭୟ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କାର୍ଯ୍ୟକ୍ରମକୁ ମିଶାଇ ଖବର ନିଆଯାଇଥିଲା । ଯାହା ବିଜେଡି ମହଲକୁ ବେଶ ଆଶ୍ଚର୍ଯ୍ୟ କରିଛି । ଖବରକାଗଜ ଆଉ ଟିଭିର ଆଭିମୁଖ୍ୟକୁ ଦେଖିଲେ ଫରକ ସ୍ପଷ୍ଟ ଭାବେ ବାରି ହୋଇପଡିବ । ଖବରକାଗଜରେ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକ୍ରମକୁ ଭିତର ପୃଷ୍ଠାରେ ସାମିଲ କରାଯାଇଥିଲା, ହେଲେ ଟିଭିରେ କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବେଶ ଭଲ ଭାବେ ପ୍ରସାରିତ କରାଯାଇଥିଲା । ଏପରିକି କେନ୍ଦ୍ରମନ୍ତ୍ରୀଙ୍କ ଭିତରକନିକା ବୁଲିବା ଖବର କିଛି ଏଭଳି ଭାବେ ସ୍ଥାନିତ ହୋଇଥିଲା ସତେ ଯେମିତି ପେଟ୍ରୋଲ ଦର ୫୦ ତଳକୁ ଖସି ଆସିଲା । ଏହା ମଧ୍ୟ ବିଜେଡିର ଅନ୍ଦର ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ନେତାଜୀ ଜୟନ୍ତୀର ଆଉ ଏକ ଘଟଣାକ୍ରମ ଉପରେ ବିଜେଡି ନେତା ରଖିଥିବା ଟିପ୍ପଣୀ ହେଲା, ନରେନ୍ଦ୍ର ମୋଦିଙ୍କର କାର୍ଯ୍ୟକ୍ରମକୁ ସୈାମ୍ୟଙ୍କ ଟିଭି ଯେଭଳି ପ୍ରଦର୍ଶନ କଲା ଠିକ ଯେମିତି ନିର୍ବାଚନ ସରିଗଲା ଆଉ ପଶ୍ଚିମବଙ୍ଗ ବିଜେପି ହାତକୁ ଆସିଗଲା । ବିଜେଡି ନେତାଙ୍କର ସମୀକ୍ଷା ଥିଲା ଦୀର୍ଘ ସମୟ ଧରି ଟିଭିରେ ମୋଦିଙ୍କ ପଶ୍ଚିମବଙ୍ଗ କାର୍ଯ୍ୟକ୍ରମ ସିଧା ପ୍ରସାରଣ ହୋଇଥିଲା, ଆଉ ଖବରକାଗଜରେ ଏହା ଭିତର ପୃଷ୍ଠାରେ ସ୍ଥାନିତ ହୋଇଥିଲା । ତେଣୁ କୈାଣସି ନା କୈାଣସି ଜାଗାରେ ସଂସ୍ଥାରେ କାର୍ଯ୍ୟ କରୁଥିବା ସାମ୍ବାଦିକ ନିଜସ୍ୱ ଏଜେଣ୍ଡା ରଖି କାର୍ଯ୍ୟ କରୁଥିବା ଏହି ନେତା ଜଣକ ମତ ରଖିଥିଲେ । ହେଲେ ତାଙ୍କ କହିବା ଅନୁସାରେ, ଦଳର କିଛି ଯୁବ ନେତା କିନ୍ତୁ ସଂସ୍ଥା ଉପରେ ଦୀର୍ଘ ଦିନ ଧରି ନଜର ରଖିଛନ୍ତି । କେଉଁ ଖବର କିଭଳି ପ୍ରସାରିତ ହେଉଛି, ତାର ଏକ ରିପୋର୍ଟ ତିଆରି ହେଉଛି । ଖାଲି ସୈାମ୍ୟଙ୍କ ସଂସ୍ଥା ନୁହେଁ, ବରଂ ରାଜ୍ୟର ସମସ୍ତ ଆଗଧାଡିର ଗଣମାଧ୍ୟମର ରିପୋର୍ଟ ପ୍ରତିଦିନ ବିଜେଡିର କ୍ଷମତାକେନ୍ଦ୍ରଙ୍କ ନିକଟକୁ ଯାଉଥିବା କଥା ଆମେ ଜାଣିବାକୁ ପାଇଛୁ । ଆଉ ଯେଉଁ ତଥ୍ୟ ଆମେ ଆପଣଙ୍କ ସାମ୍ନାରେ ରଖୁଛୁ, ଏହା ସେହି ସମୀକ୍ଷାର ଅଂଶବିଶେଷ ।

ଏହି ନେତାଙ୍କର କହିବା କଥା ଥିଲା, ନେତାଜୀଙ୍କର ଜନ୍ମସ୍ଥାନ ହେଉଛି କଟକ । କର୍ମକ୍ଷେତ୍ର ହେଉଛି ପଶ୍ଚିମବଙ୍ଗ । ତେଣୂ କାର୍ଯ୍ୟକ୍ରମ ଅନୁସାରେ କଟକ ମଧ୍ୟ ସମ ପରିମାଣରେ ଗୁରୁତ୍ୱ ପାଇବାର ଆବଶ୍ୟକତା ଥିଲା । ହେଲେ ସୈାମ୍ୟଙ୍କ ଟିଭି ମୋଦିଙ୍କର ଯେଭଳି ପ୍ରଚାର କଲା ଲାଗୁଛି ସଂସ୍ଥାରେ ବିଜେପିର ଆଭିମୁଖ୍ୟ ପ୍ରଚାର କରିବା ପାଇଁ କିଛି ସାମ୍ବାଦିକ ନିରନ୍ତର ପ୍ରୟାସ କରୁଛନ୍ତି । ନଚେତ ଏଭଳି ବ୍ୟତିକ୍ରମ କେମିତି ହେବ ବୋଲି ସେହି ଚର୍ଚ୍ଚାରେ ମତ ପ୍ରକାଶ ପାଇଥିଲା । ସେହିଭଳି ନବୀନଙ୍କ କଟକ କାର୍ଯ୍ୟକ୍ରମକୁ ଯେଭଳି କାଂଟଛାଂଟ କରାଗଲା, ତାହା ବିଜେଡିର ଅନ୍ଦର ମହଲକୁ ମଧ୍ୟ ଆଶ୍ଚର୍ଯ୍ୟ କରୁଥିବା କଥା ସେ ଦର୍ଶାଇଥିଲେ ।

ବଡ କଥା ହେଉଛି ବିଧାୟକ ସୈାମ୍ୟରଂଜନ ପଟ୍ଟନାୟକ ଜଣେ ଜଣାଶୁଣା ବିଜେପି ବିରୋଧୀ ନେତା । ଖାସ କରି ତାଙ୍କ ଚିନ୍ତାଧାରା ବିଜେପି ଚିନ୍ତାଧାରା ଠାରୁ ସଂପୁର୍ଣ୍ଣ ଅଲଗା । ବିଭିନ୍ନ ସଭାସମିତିରେ ସେ ଏହାକୁ ପରୋକ୍ଷରେ ସ୍ୱୀକାର ମଧ୍ୟ କରିଛନ୍ତି । ହେଲେ ତାଙ୍କ ସଂସ୍ଥାର ଦୁଇଟି ଆଗଧାଡିର ଗଣମାଧ୍ୟମର ଯେଭଳି ଆଭିମୁଖ୍ୟ ଦେଖିବାକୁ ମିଳୁଛି, ତାହା ତାଙ୍କ ପାଇଁ ଆଗାମୀ ଦିନରେ ଅଡୁଆ ସ୍ଥିତି ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି । କାରଣ ପ୍ରତିଦିନ ଦୁଇଟି ଯାକ ଗଣମାଧ୍ୟମର ରିପୋର୍ଟ କାର୍ଡ ତିଆରି ହେଉଛି । ଯାହାକୁ ଅନୁଶୀଳନ ମଧ୍ୟ କରାଯାଉଛି । ତେଣୁ ସୈାମ୍ୟଙ୍କ ଉପରେ ଦଳୀୟ ନେତା ସନ୍ଦେହ କରିବା ସ୍ୱାଭାବିକ କଥା । ହେଲେ ନଜର ପକାଇବାର ଦିଗଟି ହେଉଛି, ଏସବୁ କାର୍ଯ୍ୟ ସୈାମ୍ୟଙ୍କ ଜାଣତରେ ହେଉଛି ନା ତାଙ୍କ ଅଜାଣତରେ ତାଙ୍କ ସଂସ୍ଥାର ସାମ୍ବାଦିକ ନିଜ ଫାଇଦା ପାଇଁ ଏଭଳି କାର୍ଯ୍ୟ କରିଚାଲିଛନ୍ତି । କାହାକୁ ଖୁସି କରି ଫାଇଦା ନେବା ପାଇଁ ନିଜ ମାଲିକ ବିରୁଦ୍ଧରେ ସାମ୍ବାଦିକ କାର୍ଯ୍ୟ କରୁନାହାନ୍ତି ତ? ସୈାମ୍ୟଙ୍କୁ ନିଜ ସଂସ୍ଥା ଜଗିବାର ଆବଶ୍ୟକତା ରହୁଛି । ନଚେତ କେତେବେଳେ ଯେ ତାଙ୍କ ଅଗୋଚରରେ କଣ କଣ ଖବର ପ୍ରସାରିତ ହେବ, ଯାହା ତାଙ୍କ ନିୟନ୍ତ୍ରଣରେ ନଥିବ । ଚର୍ଚ୍ଚା ଚାଲିଥିବା ବେଳେ ବିଜେଡିର ନେତା ଜଣକ କିନ୍ତୁ କହିଲେ, ସୈାମ୍ୟଙ୍କ ଜାଣତରେ ଏଭଳି ଘଟୁଥିବ ତାହା ବିଜେଡିର ଅନ୍ଦରମହଲ ଏଯାଏଁ ବିଶ୍ୱାସ କରୁନି । କାରଣ ଯଦି ସୈାମ୍ୟଙ୍କ ନିର୍ଦ୍ଦେଶରେ ଏଭଳି କାର୍ଯ୍ୟ ହେଉଥାନ୍ତା ତେବେ ଉଭୟ ଟିଭି ଆଉ ଖବରକାଗଜର ଆଭିମୁଖ୍ୟ ସମାନ ହୋଇଥାନ୍ତା । ତେଣୁ ବେଳୁ ହୁଁ ସାବଧାନ ହୋଇ ନିଜ ସଂସ୍ଥା ଉପରେ ସୈାମ୍ୟ ନଜର ରଖିବାର ଆବଶ୍ୟକତା ରହୁଛି ନଚେତ ଦଳର ଆଭିମୁଖ୍ୟ ସୈାମ୍ୟଙ୍କ ପ୍ରତି ବଦଳିପାରେ ।

Comments (0)
Add Comment