ଆକ୍ସନ ମୋଡରେ କମିଶନରେଟ୍ ପୋଲିସ । ଖୋର୍ଦ୍ଧା ଏବେ ବି ରେଡ ଜୋନରେ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦୦ ପାଖପାଖି ରହୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ସର୍ବାଧିକ ରହୁଛି । ତେବେ କିଛି ଅମାନିଆ କୋଭିଡ ଗାଇଡ ଲାଇନ ମାନୁନଥିବା ଯୋଗୁଁ ସଂକ୍ରମଣ ନିୟନ୍ତ୍ରଣକୁ ଆସୁନାହିଁ । ତେଣୁ କୋଭିଡ୍ କଟକଣାକୁ ଉଲଂଘନ ଅଭିଯୋଗରେ ବିଏମସି ଓ କମିଶନରେଟ୍ ପୋଲିସ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।
ସପ୍ତାହନ୍ତ ସଟଡାଉନ୍ ଶେଷ ହେବା ପରେ ପୁଣି ଭୁବନେଶ୍ବରରେ ବିଭିନ୍ନ ମାର୍କେଟରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ବର୍ତ୍ତମାନ ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡି ଦେଇ କୌଣସି ଦୋକାନ ଖୋଲିବନି ବୋଲି ନିର୍ଦ୍ଦେଶ ରହିଛି । କିନ୍ତୁ କିଛି ଅମାନିଆ ଅନ୍ୟ ଦୋକାନ ଖୋଲା ରଖି ଚୋରା ବେପାର କରୁଥିବା ବେଳେ ପୋଲିସ ଦୋକାନ ଗୁଡିକୁ ସିଲ୍ କରି ସେମାନଙ୍କ ଠାରୁ ଫାଇନ୍ ଆଦାୟ କରିଛି । ଭୁବନେଶ୍ୱର ସମସ୍ତ ଜୋନର ଏସିପି ଓ ଆଇଆଇସି ପିସିଆର ଭ୍ୟାନରେ ସହର ପରିକ୍ରମା କରି ସଚେତନ କରିବା ସହ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।
ବିଏମସିର ୩ଟି ଯାକ ଜୋନରେ ପୋଲିସ ସହାୟତାରେ ରେଡ୍ ଚାଲିଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ପୃଥକ ଭାବେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି । କଟକ ପୁରୀ ରୋଡ଼ରେ ୨୦ରୁ ଅଧିକ ଦୋକାନକୁ ସିଲ୍ କରାଯିବା ସହ ଜରିମାନା ଆଦାୟ କରାଯାଇଛି । ବାପୁଜୀନଗରେ ଖୋଲିଥିବା କିଛି ମୋବାଇଲ୍ ଦୋକାନ କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗରେ ସିଲ୍ । ସେହିଭଳି ଅଶୋକ ନଗର ସ୍ଥିତ ବିଦେଶୀ ମଦ ଦୋକାନରେ ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ଦୋକାନକୁ ବନ୍ଦ କରିଛି ପୋଲିସ ।