ସଂକ୍ରମଣ ବଢୁଥିବା ସମୟରେ ଦେଖାଦେଇପାରେ ଟିକାର ଅଭାବ । ଦେଶରେ ଦୈନିକ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ ମଧ୍ୟ ୫୦୦ ଅତିକ୍ରମ କରିଛି । କରୋନାକୁ ମାତ ଦେବା ପାଇଁ ଟିକାକରଣ ପ୍ରକ୍ରିୟାକୁ ସରକାର ଜୋରଦାର କରିଛନ୍ତି । ଏତିକିବେଳେ ରାଜ୍ୟରେ ଦେଖାଦେଇପାରେ ଟିକାର ଅଭାବ । ଅଧିକ ଟିକା ଯୋଗାଇଦେବାକୁ କେନ୍ଦ୍ରକୁ ଚିଠି ଲେଖିଛି ରାଜ୍ୟ ।
ରାଜ୍ୟରେ ଯେତିକି ଟିକା ଅଛି ଦୁଇ ଦିନ ଭିତରେ ସରିଯିବ । କୋଭିସିଲ୍ଡ ଟିକା ମାତ୍ର ୬ ଲକ୍ଷ ଅଛି । ଯାହାକି ଦୁଇ ମଧ୍ୟରେ ସରିଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ହେଲେ କୋଭାକ୍ସିନ ଟିକା ପ୍ରଚୁର ପରିମାଣର ମହଜୁଦ ଥିବା କହିଛନ୍ତି ବିଜୟ ପାଣିଗ୍ରାହୀ । ରାଜ୍ୟରେ ୧ କୋଟି ୧୬ ଲକ୍ଷ ଲୋକଙ୍କ ଟୀକାକରଣ ନେଇ ଲକ୍ଷ୍ୟ ଧାର୍ୟ୍ୟ ହୋଇଛି । ୩୩ ଲକ୍ଷ ୪ ହଜାର ୭୩୨ ଜଣଙ୍କୁ ଟୀକା ଦିଆଯାଇଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । କେବଳ ଏତିକି ନୁହେଁ ବରଂ ଯେଉଁମାନେ ଛତିଶଗଡ଼ରୁ ଆସୁଛନ୍ତି ସେମାନଙ୍କର ଟେଷ୍ଟିଂ, ଟ୍ରେସିଂ କରାଯାଉଛି।
କରୋନା ବଢି ଚାଲିଥିବା ବେଳେ ଟୀକାକରଣକୁ ଗୁରୁତ୍ୱ ଦେଉଛନ୍ତି ସରକାର । ତେଣୁ ଅଧିକ ଟୀକା ଯୋଗାଇ ଦେବାକୁ କେନ୍ଦ୍ରକୁ ଜଣାଇଛନ୍ତି ରାଜ୍ୟ ସରକାର ।ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ଟୀକାକରଣରେ ରେକର୍ଡ କରୁଛି । ସୀମାବର୍ତ୍ତୀ ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ଆଲର୍ଟ ଅଛନ୍ତି। ଏହାସହ କରୋନାକୁ ନଜରରେ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ବି ଦିଆଯାଇଥିବା ବିଜୟ ପାଣିଗ୍ରା କହିଛନ୍ତି। ସଂକ୍ରମଣ ବଢୁଥବାରୁ ସୀମାନ୍ତ ଜିଲ୍ଲାରେ ଟିକାକରଣ ତ୍ୱରାନ୍ୱିତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।