ଶିମିଳିପାଳ ଜଳୁଛି, ନିଆଁ ଲିଭୁନି । ନିଆଁକୁ ଆୟତ୍ତ କରିବାକୁ ଅସମର୍ଥ ଜଙ୍ଗଲ ବିଭାଗ । ତଥ୍ୟ କହୁଛି ଦେଶର ୬୦ ପ୍ରତିଶତ ଜଙ୍ଗଲ ନିଆଁ ଓଡିଶାରେ । ୯୧୮ଟି ସ୍ଥାନରେ ବଡ ଧରଣର ନିଆଁ ଲାଗିଛି । ୭ ଦିନରେ ୧୯ ହଜାରଟି ଜଙ୍ଗଲ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଲାଣି । ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ତଥ୍ୟ ଅନୁସାରେ, ଜଙ୍ଗଲ ନିଆଁରେ ଓଡିଶା ସାରା ଦେଶରେ ସବୁଠାରୁ ଆଗରେ । ନିଆଁ ନିୟନ୍ତ୍ରଣକୁ ଆସିଲାଣି ବୋଲି ମୁହଁ ଭୁରୁଡି ମାରିଥିବା ପିସିସିଏଫ ୱାଇଲଡ ଲାଇଫଙ୍କ ବୟାନ ଏବେ ସନ୍ଦେହ ଘେରରେ । ନିଆଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବ୍ୟାପିଗଲାଣି । । ନୁଆ ନୁଆ ଜଙ୍ଗଲରେ ନିଆଁ ଲାଗୁଥିବା ଖବର ସାମ୍ନାକୁ ଆସୁଛି । ସୋସିଆଲ ମିଡିଆରେ ଲୋକ ପ୍ରଶ୍ନ କରୁଛନ୍ତି । ଜାତୀୟ ସ୍ତରର ପରିବେଶବିତ୍ ଚିନ୍ତା ପ୍ରକଟ କଲେଣି । ଅନେକ ଜୀବଜନ୍ତୁଙ୍କ ପାଇଁ ବିପଦ ଘନେଇ ଆସୁଛି । ପରିବେଶ ସନ୍ତୁଳନ ବିଗିଡିବାରେ ଲାଗିଛି । ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଉଛି । ହେଲେ ଜଙ୍ଗଲ ବିଭାଗର କିନ୍ତୁ ମଉଜ ଚାଲିଛି ।
ଆଶ୍ଚର୍ଯ୍ୟର କଥା ଜଙ୍ଗଲ ବିଭାଗ ସବୁ ଦେଖି ବୁଝି ଚୁପ୍ ରହିଯାଉଛି । ବିଭାଗୀୟ ମନ୍ତ୍ରୀ କଣ ପଦକ୍ଷେପ ନେଉଛନ୍ତି, ଏହା କେବଳ ମନ୍ତ୍ରୀ ନଚେତ ତାଙ୍କର କିଛି ଅନୁଗତ ଅବା ବିଭାଗୀୟ ଅଧିକାରୀ ଜାଣୁଥିବେ । ଅଫିସର ସ୍ତରୀୟ ଟିମ୍ ପଠାଇ ଦେଇ ଚୁପ୍ ହୋଇ ବସୁଥିବା ମନ୍ତ୍ରୀ, ନିଜେ ଘଟଣସ୍ଥଳ ପରିଦର୍ଶନ କରିବାକୁ ଉଚିତ୍ ମଣୁନାହାନ୍ତି । କାରଣ ସେ ଭଲ ଭାବେ ଜାଣିଛନ୍ତି, ନିଆଁ ଲାଗୁ ଅବା ଲିଭୁ ସେ ମନ୍ତ୍ରୀପଦରେ ରହିବା ଦରକାର । ଆଉ ଏମିତିରେ ବି ଗଂଜାମ ରାଜନୀତିରେ ସେ ଏକ ବଡ ଚେହେରା ଏବଂ ନବୀନଙ୍କୁ ଛାଡିଦେଲେ ସେ ଏକମାତ୍ର ମନ୍ତ୍ରୀ । ପ୍ରଦୀପ ପାଣିଗ୍ରାହୀ ଦଳରୁ ବାଦ୍ ପଡିବା ପରେ ତାଙ୍କ ମନ୍ତ୍ରୀପଦ ଉପରକୁ କୈାଣସି ବିପଦ ନାହିଁ । ତେଣୂ ଏତେ ଚିନ୍ତା କରି ଲାଭ କଣ? ବରଂ ଚୁପ୍ ଚାପ୍ ରହିଯିବା ହିଁ ଭଲ । ଏମିତିରେ ବି ଗଣମାଧ୍ୟମ ସାମ୍ନାରେ ସେ କେବେ ମୁହଁ ଖୋଲନ୍ତି ନାହିଁ । ବିଭାଗ ପାଇଁ ସେ କେତେ ଉତ୍ତରଦାୟୀ ଏକଥା ସେ ନିଜେ ହିଁ ଜାଣିଥିବେ । ତେଣୁ ଗତ କିଛି ଦିନ ଧରି ଗର୍ଜୁଥିବା ମିଡିଆ ଶୀଘ୍ର ଚୁପ୍ ହୋଇଯିବ ବୋଲି ବିଶ୍ୱାସ କରି ହୁଏତ ସେ କିଛି କରୁନଥାଇ ପାରନ୍ତି ।
ରାଜ୍ୟରେ ଜଙ୍ଗଲ ବିଭାଗରେ ଚାଲିଥିବା ଦୁର୍ନୀତି ଆକାଶଛୁଆଁ । କୋଟିପତି ଡିଏଫଓ ଆଉ ପାଠକଙ୍କ ସଂପତ୍ତି ତାଲିକା ଦେଖିବା ପରେ ଯେକେହି ବି ଆଖି ବୁଜି କହିପାରିବ, ଜଙ୍ଗଲ ବିଭାଗରେ ଟଙ୍କା ଉଡୁଛି ଆଉ କିଛି ଲାଂଚଖୋର ମନୋବୃତ୍ତି ରଖୁଥିବା ବ୍ୟକ୍ତି ଏହାର ଫାଇଦା ଉଠାଇ ଚାଲୁଛନ୍ତି । ବାଘ ଚମଡା, ହାତୀ ଦାନ୍ତ, ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମିଳିବା, ଲାଗିପଡି ଜଙ୍ଗଲରେ ବଡ ବଡ ଗଛ କାଟି ବିକ୍ରି କରିବା ଭଳି ଘଟଣା ବଢିଚାଲିଛି । ଜଣେ ମନ୍ତ୍ରୀ ଭାବେ ବିକ୍ରମ କେଶରୀ ଆରୁଖ ଏସବୁ ଦିଗ ପ୍ରତି କଣ ନିଘା ରଖିପାରିବେ ନାହିଁ । କାହିଁକି ସେ ନିଜେ ଘଟଣା ସ୍ଥଳକୁ ବୁଲି ଦେଖି ନିଆଁ ଲିଭାଇବା କାମର ନେତୃତ୍ୱ ନେଉନାହାନ୍ତି । କାହିଁକି ସେ କ୍ୟାମ୍ପ କରି ଶିମିଳିପାଳରେ ରହୁନାହାନ୍ତି । ଯଦି ମନ୍ତ୍ରୀ ସାମ୍ନାକୁ ଆସି ନିଆଁ ଲିଭାଇବାର ନେତୃତ୍ୱ ନିଅନ୍ତେ ତେବେ ଅନେକ ସମସ୍ୟାର ସମାଧାନ ହୋଇପାରନ୍ତା । ହେଲେ ଏହା କରିବା ବଦଳରେ ସେ ଚୁପ୍ ରହିଯାଉଛନ୍ତି ।
ବିଶିଷ୍ଟ ପରିବେଶବିତ୍ ବିଶ୍ୱଜିତ ମହାନ୍ତି ରାଜ୍ୟ ଜଙ୍ଗଲ ବିଭାଗକୁ ତିନୋଟି ପ୍ରଶ୍ନ ପଚାରିଛନ୍ତି । ସ୍ଥାନୀୟ କମ୍ୟୁନିଟିକୁ ଗତ ୫ ବର୍ଷ ମଧ୍ୟରେ କେତେ ଇନସେନଟିଭ ପ୍ରଦାନ କରାଯାଇଛି । ଗତ ୫ ବର୍ଷରେ ଜଙ୍ଗଲ ନିଆଁ ପାଇଁ କେତେ ଲୋକଙ୍କୁ ଗିରଫ କରାଯାଇଛି? ନିଆଁ ଲିଭାଇବାରେ ଆଉ ନିୟନ୍ତ୍ରଣକୁ ଆଣିବାରେ ବିଫଳ ହୋଇଥିବା କେତେ ଅଧିକାରୀଙ୍କ ବିରୋଧରେ ମାମଲା ହୋଇଛି । ଏହି ତିନୋଟି ପ୍ରଶ୍ନର ଉତ୍ତର ଦେବାରେ ଜଙ୍ଗଲ ବିଭାଗ କେବେ ସଫଳ ହେବନାହିଁ ।
ସେହିଭଳି ବିକ୍ରମ ଆରୁଖ ଇସ୍ତଫା ଦିଅନ୍ତୁ ବୋଲି ମଧ୍ୟ ଟ୍ୱିଟର ବ୍ୟବହାରକାରୀ ଦାବି କରିଛନ୍ତି । ଯାହା ସ୍ପଷ୍ଟ ଦର୍ଶାଉଛି, ଜଙ୍ଗଲ ବିଭାଗର ମନ୍ତ୍ରୀଙ୍କ ପ୍ରତି ଅନାସ୍ଥାଭାବ ବଢି ବଢି ଚାଲିଛି ।
ଆଉ ସ୍ପଷ୍ଟ କଥା ହେଲା, ଯଦି ବିଭାଗ ସମ୍ଭାଳି ପାରୁନାହାନ୍ତି ତେବେ ସେ ଇସ୍ତଫା ଦେଇଦେବା ଉଚିତ୍ । କାରଣ ନବୀନଙ୍କ ପଂଚମ ପାଳିରେ ଯେତେ ଭୁଲ କାମ କଲେ ବି କାହାର ମନ୍ତ୍ରୀ ପଦ ଯାଉନି, ତେଣୁ ମନ୍ତ୍ରୀ ମହୋଦୟ ନିଜେ ଉତ୍ତରଦାୟିତ୍ୱ ମୁଣ୍ଡାଇବାର ଆବଶ୍ୟକତା ରହୁଛି ।