କାର ଭିତରୁ ମିଳିଲା ମହିଳାଙ୍କ ନରକଙ୍କାଳ । ତାହା ପୁଣି ଫାଣ୍ଡି ଭିତରୁ । ଖୋର୍ଦ୍ଧା ଜିଲ୍ଲା ଜାଆଁଳା ଫାଣ୍ଡି ପରିସରରେ ଥିବା ସିଜ୍ କାର୍ ଭିତରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାରେ ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ୟ୍ୟଙ୍କୁ ନିଲମ୍ବିତ କରାଯାଇଛି । ଫାଣ୍ଡି ପରିସରରେ ଥିବା ଜବତ ଗାଡ଼ିରେ ମହିଳା ମୃତ୍ୟୁବରଣ କରିଥିଲେ ମଧ୍ୟ ଥାନା ଅଧିକାରୀ ଜାଣିନପାରି କର୍ତ୍ତବ୍ୟରେ ଅବହେଳା କରିଛନ୍ତି। ଏଣୁ ତାଙ୍କୁ ନିଲମ୍ବିତ କରାଯାଇଥିବା କହିଛନ୍ତି ଡିସିପି ଉମାଶଙ୍କର ଦାଶ।
ଫାଣ୍ଡିରେ ଥିବା ଜବତ କାର ଭିତରୁ ମହିଳାଙ୍କ ନରକଙ୍କାଳ । କିନ୍ତୁ ପୁଲିସ ଜାଣିପାରିଲାନାହିଁ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି, ଗଞ୍ଜାମ ପୋଲିସର ଏକ ସିଜର ଗାଡି ଥାନା ପରିସରରେ ରହିଥିଲା । ୨୦୧୯ ମସିହାରେ ଏକ ଗଞ୍ଜେଇ ଚାଲାଣ ମାମଲାରେ ଏହି ଗାଡିକୁ ସିଜ କରିଥିଲା ପୋଲିସ । ଫେବ୍ରୁଆରୀ ମାସରେ ଗାଡି ନେବାପାଇଁ ଆସିବାବେଳେ ଗାଡିରେ ଏକ ନରକଙ୍କାଳ ଥିବା ଦେଖିବାକୁ ମିଳିଲା । ଗତ ୮ ତାରିଖ ଦିନ ଏହି ମୃତଦେହ ଗାଡ଼ି ପଛରୁ ମିଳିଥିଲା। ଦୀର୍ଘ ଦିନ ହେବ ଶବ ପଡ଼ି ରହିଥିବାରୁ ଶବଟି ପଚି ଯାଇଥିଲା। ଏମ୍ସରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଏମ୍ସ ରିପୋର୍ଟ ଅନୁସାରେ ମହିଳାଙ୍କ ବୟସ ପାଖାପାଖି ୪୫ ବର୍ଷ । କୌଣସି ଆଘାତ ନଥିବା ବେଳେ ମହିଳାଙ୍କ ପରିଚୟ ମିଳିପାରି ନାହିଁ ।
ତେବେ ମହିଳା ଜଣକ କିଏ? ଜବତ ଗାଡ଼ି କାହିଁକି ଖୋଲା ରହିଥିଲା? ମହିଳାଙ୍କ ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ରହିଛି କି? ଏଭଳି ଅନେକ ପ୍ରଶ୍ନ ଏବେ ଉଠିଛି । ଏ ସବୁ ପ୍ରଶ୍ନ ଏବେ ଫାଣ୍ଡି ଅଧିକାରୀଙ୍କୁ ସନ୍ଦେହ ଘେରକୁ ଟାଣିଛି। ତେବେ ମାମଲାର ତଦନ୍ତ କରାଯାଉଛି। ମହିଳାଙ୍କ ପରିଚୟ ସହ ମୃତ୍ୟୁ ପଛର କାରଣ ସମ୍ବନ୍ଧରେ ଖୁବ୍ଶୀଘ୍ର ଜଣାପଡ଼ିବ ବୋଲି କହିଛନ୍ତି ଡିସିପି ।