ସ୍ନେହାଙ୍ଗିନୀଙ୍କ ମନ୍ତ୍ରୀ ଆଶା ମଉଳିଗଲା !

ମନ୍ତ୍ରୀମଣ୍ଡଳ ଅଦଳବଦଳ ହେଲେ ମନ୍ତ୍ରୀପଦ ପାଇବାର ଆଶା ବାନ୍ଧି ବସିଥିଲେ । ହେଲେ ସଂଗଠନର ଦାୟିତ୍ୱ ଦେଇ ମୁଖିଆ ଏହି ରାସ୍ତା ବନ୍ଦ କରିଦେଲେ । ଅତାବିରା ବିଧାୟିକା ସ୍ୱେହାଙ୍ଗିନୀ ଛୁରିଆଙ୍କ ପାଇଁ ଏହି ନିଷ୍ପତ୍ତି ଯଦିଓ ନୁଆବର୍ଷ ଗିଫଟ ଭଳି ଆସିଛି, ହେଲେ ଏଥିରେ ସେ ଖୁସି ହେବା ବଦଳରେ ଦୁଃଖୀ ଥିବା ଚର୍ଚ୍ଚା ହେଉଛି । ସ୍ୱାଭାବିକ କଥା ମଧ୍ୟ । କ୍ୟାବିନେଟ ପାହ୍ୟା ସହ ନବୀନଙ୍କ ଟିମରେ ସୁଯୋଗ ପାଇବାକୁ ଆଶା ଥିବା ବେଳେ ଯଦି ଦଳୀୟ ପଦବୀର ଲଲିପପ୍ ଧରାଇ ଦିଆଯାଏ, ତେବେ ମନ ମଉଳି ଯିବା ସ୍ୱାଭାବିକ କଥା । ହେଲେ ଯେଉଁ ଦିଗଟିକୁ ସମସ୍ତଙ୍କ ନଜର ଯିବା କଥା ତାହେଉଛି, ନବୀନ ସ୍ନେହାଙ୍ଗିନୀଙ୍କୁ ଦଳୀୟ ମହିଳା ବ୍ରିଗେଡର ମୁଖ୍ୟ ବନାଇବା ପଛରେ କଣ ଉଦ୍ଦେଶ୍ୟ ଥାଇପାରେ?

ପଶ୍ଚିମ ଓଡିଶାରେ ଦଳର ସଂଗଠନକୁ ଆହୁରି ମଜଭୁତ କରିବା ଉପରେ ବିଜେଡି ଜୋର ଦେଉଛି । ଏହି କ୍ରମରେ ପଶ୍ଚିମ ଓଡିଶାର ନେତାମାନେ ଆହୁରି ପଦପଦବୀ ପାଇବେ । ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ ପଶ୍ଚିମ ଓଡିଶାର ଜଣେ ଯୁବ ନେତା ବାଦ୍ ପଡିବେ, ଆଉ ଜଣେ ଯୁବ ନେତା ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପାୱାର କରିଡରର ଚର୍ଚ୍ଚା ଅନୁସାରେ ଯୁବ ନେତାଙ୍କ ରାସ୍ତାରୁ କଂଟା ସଫା କରିବା ପାଇଁ ସ୍ନେହାଙ୍ଗିନୀଙ୍କୁ ମହିଳା ବ୍ରିଗେଡର ମୁଖ୍ୟ ଦାୟିତ୍ୱ ଦିଆଯାଇଛି ।

ଅତାବିରାରୁ ଦୁଇ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ସ୍ନେହାଙ୍ଗିନୀ । ରାଜ୍ୟ ବୟନ ଶିଳ୍ପ ମନ୍ତ୍ରୀ ଭାବେ ନବୀନଙ୍କ ଚତୁର୍ଥ ଟର୍ମରେ ସେ ଦାୟିତ୍ୱ ତୁଲାଇଥିଲେ । ଅନୁସୁଚିତ ଜାତି ଓ ଜନଜାତି ବିଭାଗର ଦାୟିତ୍ୱ ମଧ୍ୟ କିଛି ବର୍ଷ ତାଙ୍କ ହାତରେ ଥିଲା । ହେଲେ ନବୀନଙ୍କ ପଂଚମ ପାଳିରେ ଯେଉଁ କ୍ୟାବିନେଟ ଗଠନ କରାଗଲା, ସେଥିରେ ସାମିଲ ନଥିଲେ ସ୍ନେହାଙ୍ଗିନୀ । ଆଶା କରିଥିଲେ, ପଂଚମ ପାଳିର ପ୍ରଥମ ଅଦଳବଦଳରେ ତାଙ୍କ ପାଳି ଆସିପାରେ । ହେଲେ ଏହା ଆଗରୁ ଦଳର ସଂଗଠନ ଦାୟିତ୍ୱ ସମ୍ଭାଳିବାକୁ ତଙ୍କୁ ଦାୟିତ୍ୱ ମିଳିଲା ।

ପରୋକ୍ଷରେ ଦେଖିବାକୁ ଗଲେ ମନ୍ତ୍ରୀପଦ ଠାରୁ ବିଜୁ ମହିଳା ଜନତା ଦଳର ସଭାପତି ପଦ ଆହୁରି ଆହ୍ୱାନଭରା । କାରଣ ରାଜ୍ୟ ସରକାର ଆଉ ବିଜେଡି ମହିଳା ଭୋଟ ଉପରେ ଯଥେଷ୍ଟ ଜୋର ଦେଉଛନ୍ତି । ମହିଳାଙ୍କ ପାଇଁ ସଂରକ୍ଷଣ ଠାରୁ ଆରମ୍ଭ କରି, ମିଶନ ଶକ୍ତି ଜରିଆରେ ମହିଳା ଭୋଟ ବ୍ୟାଙ୍କକୁ ଏକାଠି ରଖୀବାର ଦାୟିତ୍ୱ ଏବେ ସ୍ନେହାଙ୍ଗିନୀଙ୍କ ଉପରେ । ଦଳର ବିଜୟ ପଛରେ ସବୁବେଳେ ମହିଳା ଭୋଟର ଏକ ବଡ ଭୂମିକାରେ ଆସିଥାନ୍ତି । ତେଣୁ ୨୦୨୪ରେ ନିର୍ବାଚନକୁ ସାମ୍ନା କରିବା ଆଗରୁ ଯଦି ମହିଳା ଭୋଟରଙ୍କ ଆସ୍ଥା ଅତୁଟ ରଖିବାରେ ସ୍ନେହାଙ୍ଗିନୀ ଛୁରିଆ ସଫଳ ହୁଅନ୍ତି, ତେବେ ବିଜେଡି ପାଇଁ ଲଢେଇ ସହଜ ହୋଇପାରେ ।

Comments (0)
Add Comment