ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ଆସିବାରେ ଲାଗିଛି । ଆଜି ସୌମ୍ୟଙ୍କ ବାପା ଡିଜିପିଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ବୋହୂ, ଡିଏଫଓ ଓ ରୋଷେୟାର ଲାଏ ଡିଟେକସନ ଟେଷ୍ଟ କରିବାକୁ ଦାବି କରିଛନ୍ତି। ଘଟଣାଦିନ ଡିଏଫଓଙ୍କ ସରକାରୀ କ୍ୱାର୍ଟର ଆଗରେ ଦେଢ଼ ଘଣ୍ଟା ଅଟକିଥିଲା ଆମ୍ବୁଲାନ୍ସ। ଆମ୍ବୁଲାନ୍ସ କାହିଁକି ଅଟକାଯାଇଥିଲା, ତାର ବିଧିବଦ୍ଧ ତଦନ୍ତ ଦାବି କରିଛନ୍ତି ଅଭିରାମ ମହାପାତ୍ରା ।
ସେପଟେ ପାରଳାଖେମୁଣ୍ଡି ଆଇଆଇସିଙ୍କ ନେତୃତ୍ୱରେ ଯାଇଥିବା ୫ ଜଣିଆ ଟିମ୍ ସୌମ୍ୟଙ୍କ ପରିବାର ସଦସ୍ୟଙ୍କୁ ପଚରା ଉଚରା କରିଛି । ତାଙ୍କ ମାଆ, ମାମୁଁ ଓ ଭାଇଙ୍କ ସହ ଆଲୋଚନା କରିଥିବାବେଳେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସୌମ୍ୟଙ୍କ ମାମୁଁ । ତାଙ୍କ କହିବା ହେଲା, ସୌମ୍ୟ ଓ ତାଙ୍କ ପତ୍ନୀଙ୍କୁ ଭୁବନେଶ୍ୱର ନେବା ଆଣିବା ପାଇଁ ଗାଡି ପଠାଉଥିଲେ ଡିଏଫଓ ।ସୌମ୍ୟଙ୍କ ସଂପତିର ଉତ୍ତରାଧିକାର ନେଇ ଏକ କୋର୍ଟ ଏଗ୍ରିମେଂଟ ହୋଇଥିବା କହିଛନ୍ତି ସୌମ୍ୟଙ୍କ ମାମୁଁ । ଏଥିରେ ଲେଖାଯାଇଛି ଯେ, ସୌମ୍ୟଙ୍କର କିଛି ହୋଇଗଲେ, ତାଙ୍କର ସମସ୍ତ ସ୍ଥାବର, ଅସ୍ଥାବର ସଂପତିର ଅଧିକାରୀ ତାଙ୍କ ପତ୍ନୀ ବିଦ୍ୟାଭାରତୀ ହେବେ ବୋଲି ଉଲ୍ଲେଖ କରାଯାଇଛି । ଏପରିକି କରିବା କାହିଁକି ଆବଶ୍ୟକ ପଡିଲା ବୋଲି ସେ ପ୍ରଶ୍ନ ଉଠାଇଠନ୍ତି ସୌମ୍ୟଙ୍କ ମାମୁଁ ।