ଜଗନ୍ନାଥଙ୍କ ଶରଣରେ ମମତା

ଜଗନ୍ନାଥଙ୍କ ଶରଣରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀ ନିଜ ବାସଭବନରେ ଏକ ବଡ଼ ଧରଣରେ ପୂଜାର୍ଚ୍ଚନା କରିଛନ୍ତି । ପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓରଫ ଜଗୁନି ମମତାଙ୍କ ଘରେ ପୂଜାର୍ଚ୍ଚନା କରୁଥିବାର ଭିଡିଓ ଭାଇରାଲ ହୋଇଛି ।

ଆଜି ନିର୍ବାଚନ କମିଶନ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ମମତାଙ୍କ ବାସଭବନରେ ଆରମ୍ଭ ହୋଇଥିଲା ପୂଜାର୍ଚ୍ଚନା । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ପୂଜା ଦିନତମାମ ଚାଲିଥିଲା । ଦୀର୍ଘ ୧୦ ଘଂଟାରୁ ଅଧିକ ସମୟ ଧରି ପୂଜା ହୋଇଥିଲା ବୋଲି କୁହାଯାଉଛି । ପୁରୀ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଜଗନ୍ନାଥ ସ୍ୱାଇଁ ମହାପାତ୍ର କଲିକତା ଗସ୍ତ କରି ଏହି ପୂଜା କରିଛନ୍ତି । ମମତା କୋଲକାତାସ୍ଥିତ ବାସଭବନରେ ହୋମଯଜ୍ଞ ଆୟୋଜନ କରି ନିଜେ ଯଜ୍ଞରେ ଆହୁତି ଦେଉଥିବା ସମୟର ଭିଡିଓ ସାମ୍ନାକୁ ଆସିଛି। ମମତାଙ୍କ ଅଫିସିଆଲ୍‌ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ଭିଡିଓଟି ସେୟାର‌ ହୋଇଛି। ପୂଜା ସରିବା ସମୟରେ ହିଁ ଏପଟେ ଆରମ୍ଭ ହୋଇଥିଲା ନିର୍ବାଚନ କମିଶନଙ୍କ ପ୍ରେସମିଟ୍ । ଆଉ ନିର୍ବାଚନ କମିଶନ ଭୋଟ ତାରିଖ ଘୋଷଣା କରିଥିଲେ ।

ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି ଯେ,ଶୃଙ୍ଖଳାରେ ନିର୍ବାଚନ ପାଇଁ ପୂଜା କରାଯାଇଛି। ମମତା ପୁରୀ ଗାଡ଼ି ପଠାଇ ଡାକିଥିଲେ, ମୋ ସହ ୭ ଜଣ ପଣ୍ଡିତ ବି ଆସିଛନ୍ତି ବୋଲି କହିଛନ୍ତି ଜଗନ୍ନାଥ ସ୍ୱାଇଁ ମହାପାତ୍ର । କେବଳ ଏତିକି ନୁହେଁ , ତାଙ୍କ ଘରେ ପ୍ରତିବର୍ଷ ପୂଜା ହୁଏ କହିବା ସହ କୋଲକାତା ଗରିଆରେ ତାଙ୍କର ଆଶ୍ରମ ଥିବା ବି କହିଛନ୍ତି ଜଗୁନି।
ପଶ୍ଚିମ ବଙ୍ଗରେ ମାର୍ଚ୍ଚ ୨୭ ଭୋଟ ଆରମ୍ଭ ହେବ ଏବଂ ୮ଟି ପର୍ୟ୍ୟାୟରେ ମତଦାନ ହେବ । ପୂର୍ବରୁ ମଧ୍ୟ ଜଗନ୍ନାଥ ସ୍ୱାଇଁ ମହାପାତ୍ର କୋଲକାତା ଯାଇ ମମତାଙ୍କ ବାସଭବନରେ ପୂଜାର୍ଚ୍ଚନା କରନ୍ତି । ଗତ ନିର୍ବାଚନରେ ମଧ୍ୟ ମମତା ବିଜୟୀ ହେବେ ବୋଲି ଭବିଷ୍ୟବାଣୀ କରିଥିଲେ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ପରେ ନିର୍ବାଚନ ଫଳାଫଳ ସେଇଆ ହେବାରୁ, ତାଙ୍କ ପ୍ରତି ମମତାଙ୍କ ଆସ୍ଥା ବଢି ଯାଇଥିଲା । ତେବେ ଏଥର କିଏ ନିର୍ବାଚନ ଜିତିବ ବୋଲି ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କୁ ପଚରାଯିବାରୁ ସେ କହିଥିଲେ, ୭ ଦିନ ପରେ ସେ ଏନେଇ ଭବିଷ୍ୟବାଣୀ କରିବେ ।

Comments (0)
Add Comment