ଅଧାରୁ ପଡିଆ ଛାଡିଲେ କ୍ରୀଡାମନ୍ତ୍ରୀ । ଆଜ୍ଞା ହଁ, ଆମ ତୁଷାରକାନ୍ତି ବେହେରା । ଯାହାଙ୍କୁ ଖେଳ ମଝିରୁ ଅଧାରୁ ପଡିଆ ଛାଡିବାକୁ ପଡିଛି । ଏଭଳି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ପ୍ରିମିୟର ଲିଗ ବା ଏମପିଏଲରେ । ତେବେ ଖେଳମନ୍ତ୍ରୀଙ୍କୁ ଖେଳ ମଝିରୁ ପଡିଆରୁ କାହିଁକି ବାହାରିବାକୁ ପଡିଲା? ଆଉ ଏହା ପଛରେ ମଧ୍ୟ ଏକ ରୋଚକ ଦିଗ ରହିଛି । ବିଜେଡି ପକ୍ଷରୁ ଆୟୋଜିତ ଏମପିଏଲରେ ଗତ ୬ ତାରିଖରେ ମୁହାଁମୁହିଁ ହୋଇଥିଲେ ବିଧାୟକ ଏକାଦଶ ଓ ମୟୂରଭଞ୍ଜ ଜିଲ୍ଲା ବିଜେଡି ଟିମ୍ ।
ମନ୍ତ୍ରୀ ଅରୁଣ ସାହୁଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇଥିଲା ବିଧାୟକ ଏକାଦଶ ଟିମ୍ । ଆଉ ସାଙ୍ଗଠନିକ ସମ୍ପାଦକ ବବି ଦାସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୟୂରଭଞ୍ଜ ଜିଲ୍ଲା ବିଜେଡି ଟିମ ସାମ୍ନାରେ ବଡ ବିଜୟଲକ୍ଷ୍ୟ ଛିଡା କରିଥିଲା ବିଧାୟକ ଏକାଦଶ । ତେବେ ମୟୂରଭଞ୍ଜ ଜିଲ୍ଲା ବିଜେଡି ବ୍ୟାଟିଂ କରୁଥିବା ବେଳେ ଏକ ରୋଚକ ଦୃଶ୍ୟ ପଡିଆରେ ଦେଖିବାକୁ ମିଳିଥିଲା । ବିଧାୟକ ଏକାଦଶ ଟିମର ୧୨ ଜଣ ପ୍ଲେୟାର ଏକ ସମୟରେ ପଡିଆରେ ଫିଲ୍ଡିଂ କରୁଥିବାର ଦେଖିବାକୁ ମିଳିଥିଲା । କ୍ରିକେଟ ଖେଳର ନିୟମ ଅନୁଯାୟୀ, ୧୧ ଜଣ ପ୍ଲେୟାର ପଡିଆରେ ଫିଲ୍ଡିଂ କରିପାରିବେ । ତେବେ ଖେଳ ଶେଷ ଆଡକୁ ଏଭଳି ଭୁଲକୁ ଧରିଥିଲେ ଜିଲ୍ଲାର ମନ୍ତ୍ରୀ ସୁଦାମ ମାରାଣ୍ଡି । ୧୨ ଜଣ ପ୍ଲେୟାର ପଡିଆ ମଝିରେ ଜଗିବା ଭୁଲ ବୋଲି କହିଥିଲେ । ଆଉ ଶେଷରେ ଖେଳ ମଝିରୁ କ୍ରୀଡା ମନ୍ତ୍ରୀଙ୍କୁ ପଡିଆ ଛାଡିବାକୁ ପଡିଥିଲା । ତେବେ କ୍ରୀଡାମନ୍ତ୍ରୀ ଥାଉ ଥାଉ ଏଭଳି ଭୁଲ କିଭଳି ହେଲା ବୋଲି ଜଣେ ବିଜେଡି କର୍ମୀ ପଚାରୁଥିଲେ । ଆଉ ଏହାର ଉତ୍ତରରେ ଅନ୍ୟ ଜଣେ ବିଜେଡି କର୍ମୀ କ୍ରୀଡାମନ୍ତ୍ରୀ ତୁଷାରକାନ୍ତିଙ୍କ ଅଧା ଇନିଂସର ଆଉ ଗୋଟିଏ ଉଦାହରଣ ସାମ୍ନାକୁ ଆଣିଥିଲେ ।
କେବଳ କ୍ରିକେଟ ପଡିଆ ନୁହେଁ ପଲଟିକାଲ ପଡିଆରୁ ମଧ୍ୟ ଅଧାରୁ ଫେରିଛନ୍ତି ତୁଷାରକାନ୍ତି । ୨୦୧୯ ନିର୍ବାଚନ ବେଳର କଥା । କାକଟପୁର ପାଇଁ ବିଜେଡିର ପ୍ରାର୍ଥୀ ଖୋଜା ଚାଲିଥାଏ । ବିଜେପି ଆଗୁଆ ପ୍ରାର୍ଥୀ ଦେଇ ସାରିଥାଏ । ତେବେ କାକଟପୁରରୁ ବିଜେଡିର ପ୍ରାର୍ଥୀ କିଏ ହେବ ତାକୁ ବିଚାରବିମର୍ଷ ଚାଲିଥାଏ । ଆଉ ଏହି ସମୟରେ ତୁଷାରକାନ୍ତିଙ୍କର ହେଲା ଅଭ୍ୟୁଦୟ । ବିଜେପି ପକ୍ଷରୁ ଟିକେଟ ମିଳିଥିବା ବେଳେ ପଦ୍ମ ପୋଖରୀରେ ପହଁରିବା ଆରମ୍ଭ କରିଥିଲେ ତୁଷାର । କିନ୍ତୁ ନାମଙ୍କନପତ୍ର ଦାଖଲର ଦିନ କେଇଟା ପୂର୍ବରୁ ରାତାରାତି ପଟ୍ଟ ପରିବର୍ତ୍ତନ କରିଥିଲେ ତୁଷାର । ପଦ୍ମ ପୋଖରୀରୁ ଅଧା ପହଁରାରୁ ଉଠି ଶଙ୍ଖର ସବୁଜ ଶିବିରକୁ ଏଣ୍ଟ୍ରି କରିଥିଲେ ତୁଷାର । ପଦ୍ମ ପଲିଟିକ୍ସରେ ପୂର୍ଣ୍ଣଚ୍ଛେଦ ପକାଇ ବିଜେଡି ଟିକେଟରେ କାକଟପୁରରୁ ପ୍ରାର୍ଥୀ ହୋଇଥିଲେ ତୁଷାର । ଆଉ ଏହାପରେ ଯାହା ବି କିଛି ହୋଇଛି ତାହା ଆପଣଙ୍କ ସାମ୍ନାରେ । ବିଜେଡି ଟିକେଟରୁ ତୁଷାର ବିଜୟୀ ହେବା ଓ ରାଜନୀତିର ପ୍ରଥମ ଇନିଂସରେ ହିଁ ମନ୍ତ୍ରୀପଦ ପାଇବା ତୁଷାରଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । କିନ୍ତୁ ଅଧାରୁ ପଦ୍ମ ପୋଖରୀ ଛାଡିଥିବାରୁ ରାଜନୀତିରେ ତାଙ୍କୁ ସଫଳତା ମିଳିଛି ବୋଧହୁଏ ଏକଥାକୁ କେବେ ଅସ୍ୱୀକାର କରିବେନି ତୁଷାର । ତେଣୁ କ୍ରିକେଟ ମ୍ୟାଚର ଅଧାରୁ ପଡିଆ ଛାଡିଥିବା କ୍ରୀଡାମନ୍ତ୍ରୀ ଭବିଷ୍ୟତରେ ଏହି ଟିମର କ୍ୟାପଟେନ ଯେ ନ ହୋଇଯିବେ ତାହା କିଏ ବା କହିବ । ସେତେବେଳେ ନିଜ ଇଚ୍ଛା ଅନୁସାରେ ଟମି ଗଢିବେ ଓ ପ୍ଲେୟାରଙ୍କୁ ଖେଳାଇବେ ତୁଷାର ।