ମହାମାରୀ ବେଳେ ବାତ୍ୟା ଚିନ୍ତା । ତାଉତେ ପରେ ଆସୁଛି ଆଉ ଏକ ବାତ୍ୟା । କରୋନା ସମୟରେ କିଭଳି ବାତ୍ୟା ମୁକାବିଲା କରାଯିବ ତାହା ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଂଜ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଇଏମଡି ସହ ଏସଆରସିଙ୍କ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ହୋଇଛି । ଆଇଏମ୍ଡି ଡିଜି ଓ ବିଭିନ୍ନ ବିଭାଗର ସଚିବଙ୍କ ସହ ଏସ୍ଆର୍ସି ପ୍ରଦୀପ ଜେନା ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିଛନ୍ତି ।
ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ବାତ୍ୟାକୁ କେମିତି ମୁକାବିଲା କରାଯିବ ସେ ନେଇ ବୈଠକରେ ବିଚାରବିମର୍ଷ କରାଯାଇଛି । ଆବଶ୍ୟକ ମାନବସମ୍ବଳ ସହ ଯନ୍ତ୍ରପାତି ପ୍ରସ୍ତୁତ ରଖିବାକୁ ଏସଆରସି ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିରୋ କାଜୁଆଲିଟିକୁ ପ୍ରାଥମିକତା ଦେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଗତକାଲି ମଧ୍ୟ ଉପକୂଳବର୍ତୀ ଜିଲ୍ଲାମାନଙ୍କର ଜିଲ୍ଲାପାଳଙ୍କ ସହ ଏସଆରସି ଆଲୋଚନା କରିଥିଲେ । ୧୦ଟି ଜିଲ୍ଲାରେ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ଆସନ୍ତା ୨୨ ତାରିଖରେ ସୃଷ୍ଟି ହେବାର ଆଶଙ୍କା ରହିଛି । ପରବର୍ତ୍ତୀ ୭୨ ଘଣ୍ଟାରେ ଅର୍ଥାତ୍ ୨୫ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏଯାଏ ଏହାର ସ୍ଥିତି, ରୂପ, ବାତ୍ୟା ହେବ କି ନାହିଁ ସେନେଇ କୌଣସି ଅନୁମାନ କରାଯାଇ ନାହିଁ । ପ୍ରାକ୍ ଆକଳନ ଅନୁସାରେ, ଲଘୁଚାପ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେଲେ ଏହା ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ମେ ୨୬ ସନ୍ଧ୍ୟା ସମୟରେ ପହଞ୍ଚିପାରେ ।