ଯାତ୍ରା, ଅପେରା, ଡ୍ରାମା, ମେଲୋଡିକୁ ଅନୁମତି

ରାଜ୍ୟରେ ସଂକ୍ରମଣ କମିବା ପରେ ଯାତ୍ରାଠୁ ଆରମ୍ଭ କରି ଅପେରା, ଡ୍ରାମା ଓ ମେଲୋଡିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଖାଲି ସେତିକି ନୁହେଁ ତା ସହିତ ଶାସ୍ତ୍ରୀୟ ନୃତ୍ୟ, ସାଂସ୍କୃତିକ ପ୍ରତିଯୋଗିତାକୁ ମଧ୍ୟ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଆଜିଠାରୁ ଏହି ଗାଇଡଲାଇନ୍ ଲାଗୁ ହୋଇଛି। ଅନଲାଇନରେ କିମ୍ବା ଅଧିକ କାଉଣ୍ଟରରେ ଟିକେଟ ବୁକିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରା, ଅପେରା ଓ ଡ୍ରାମା ପାଇଁ ଜିଲ୍ଲାପାଳ, ଏସ୍ ପି କିମ୍ବା ମ୍ୟୁନିସପାଲ କମିଶନରଙ୍କ ଅନୁମତି ନେବା ଜରୁରୀ ।
କିନ୍ତୁ ଏବେ ସଂକ୍ରମଣ କମିବା ପରେ ସମସ୍ତ କାର୍ୟ୍ୟକ୍ରମକୁ ଧୀରେ ଧୀରେ ଅନୁମତି ଦେବା ଆରମ୍ଭ କଲେଣି ରାଜ୍ୟ ସରକାର । କିଛି ଦିନ ତଳେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସମସ୍ତ ସିନେମା ହଲ୍‌ ଖୋଲିବାକୁ ଅନୁମତି ଦେଇଥିଲା ରାଜ୍ୟ ସରକାର । ଆଉ ଏବେ ରାଜ୍ୟରେ ଯାତ୍ରା, ଅପେରା, ଡ୍ରାମା ଏବଂ ମେଲୋଡ଼ି କାର୍ୟ୍ୟକ୍ରମ ଲାଗି ଗ୍ରୀନ୍‌ ସିଗ୍‌ନାଲ୍‌ ଦେଇଛନ୍ତି ସରକାର । ଯାତ୍ରା, ଅପେରା, ଡ୍ରାମା, ମେଲୋଡି ଆଦି ପାଇଁ ନୂଆ ଗାଇଡ଼ଲାଇନ୍‌ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର । ଏହିଭଳି କାର୍ୟ୍ୟକ୍ରମ ଲାଗି ଖୋଲା ପଡିଆରେ ୨ ହଜାର ଲୋକ ସାମାଜିକ ଦୂରତା ରଖି ବସିପାରିବେ। ଅନଲାଇନ୍‌ରେ କିମ୍ବା ଅଧିକ କାଉଣ୍ଟର ଖୋଲି ଟିକେଟ୍ ବୁକିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏତଦ୍ ବ୍ୟତୀତ ଇଣ୍ଡୋର ହଲ୍‌ରେ ବସିବା କ୍ଷମତା ୫୦ ପ୍ରତିଶତ ରଖାଯାଇଛି।
ପ୍ରତ୍ୟେକ ଦର୍ଶକ ନିଜ ନିଜ ଭିତରେ ସାମାଜିକ ଦୂରତା ରକ୍ଷା କରିବେ । ସିଟ୍ ଗୁଡିକ ଭିତରେ ଅତି କମରେ ୬ ଫୁଟର ଦୂରତା ରହିବ ବୋଲି ଗାଇଡଲାଇନରେ ଉଲ୍ଲେଖ କରାଯାଇଛି ।

Comments (0)
Add Comment