ସରକାରଙ୍କୁ ବାତ୍ୟା ଚିନ୍ତା

ଆସୁଛି ବାତ୍ୟା ‘ୟଶ’ । ଭୂତାଣୁ ଭିତରେ ବାତ୍ୟା ଭୟ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ତତ୍ପର ହୋଇପଡଛନ୍ତି ସରକାର । ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଗୁଆ ସତର୍କ ହୋଇପଡିଛନ୍ତି ରାଜ୍ୟ ସରକାର । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ବୈଠକରେ ଓଡ୍ରାଫ, ଏନଡିଆରଏଫ , ଓଡିଶା ପୋଲିସ, ଅଗ୍ନିଶମ ବାହିନୀଙ୍କ ସହ କିଭଳି ବାତ୍ୟାର ମୁକାବିଲା କରାଯିବ ସେ ନେଇ ଆଲୋଚନା କରିଛନ୍ତି ।ଏଥିସହ ଜିଲ୍ଲାପାଳ, ଏସପି, ଏଡିଏମ ଡିଇଓ ଓ ଫାୟାର ଅଫିସରଙ୍କ ସହ ଏସଆରସି ବୈଠକ କରିବାର କାର୍ୟ୍ୟକ୍ରମ ରହିଛି ।

ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏଥିସହ ଏହାର ୭୨ ଘଂଟା ମଧ୍ୟରେ ଏହା ଧୀରେ ଧୀରେ ଘନୀଭୂତ ହୋଇ ସାମୁଦ୍ରିକ ଝଡ କିମ୍ବା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ମଧ୍ୟ କୁହାଯାଇଛି । ବାତ୍ୟା ଓଡିଶା ଉପକୂଳର ଚାନ୍ଦବାଲିରୁ ପଶ୍ଚିମବଙ୍ଗର ଦୀଘା ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ତେଣୁ ଏହାର ପ୍ରଭାବରେ ଓଡିଶା ଉପକୂଳରେ ଥିବା ଏକାଧିକ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ତାହାକୁ ଆଖି ଆଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ପ୍ରସ୍ତୁତ ରହିବାକୁ ଏହି ବୈଠକ ହୋଇଛି । ସମୁଦ୍ର ଭିତରକୁ ନଯିବାକୁ ମତ୍ସଜୀବୀଙ୍କୁ ପରାମର୍ଶ ଦିଆଯାଇଛି । କେଉଁ ଜାଗାରେ ସ୍ଥଳ ଭାଗ ଛୁଇଁବ ଓ କେତେ ଜୋରରେ ପବନ ବୋହିବ ତାର ମଧ୍ୟ ଏଯାଏ ସୂଚନା ନାହିଁ ।

ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ, ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ-ଓଡିଶା ଉପକୂଳରେ ୨୬ ତାରିଖ ସନ୍ଧ୍ୟାରେ ପହଞ୍ଚିବାର ସମ୍ଭାବନା ରହିଛି । ଏଥିପାଇଁ ୨୫ ତାରିଖ ରାତିଠାରୁ ଉପକୂଳ ଓଡିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Comments (0)
Add Comment